Categories: Uncategorized

ଗର୍ଭସ୍ଥ ସନ୍ତାନଠାରେ ସମସ୍ୟା ଥିଲେ ଗର୍ଭପାତ କରାଯାଇ ପାରିବ, ହାଇକୋର୍ଟଙ୍କ ରାୟ

ମୁମ୍ବାଇ,୨୫।୧୧: ଏକ ମାମଲାର ବିଚାର କରି ମୁମ୍ବାଇ ହାଇକୋର୍ଟ କହିଛନ୍ତି ଯେ, ଗର୍ଭସ୍ଥ ସନ୍ତାନଠାରେ ସମସ୍ୟା ଥିଲେ ଗର୍ଭପାତ କରାଯାଇ ପାରିବ। ବିଚାରପତି ଏସ.ଜେ.କାଥଓ୍ବାଲା ଏବଂ ମାଧବ ଜାମଦାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଗର୍ଭସ୍ତ ସନ୍ତାନଠାରେ ସମସ୍ୟା ଥିଲେ ଜଣେ ଗର୍ଭବତୀଙ୍କ ଉପରେ ଚାପ ପକାଇବା ଠିକ୍‌ ନୁହେଁ। ଏହା ଦ୍ୱାରା ତାଙ୍କର ମୌଳିକ ଅଧିକାରର ଉଲ୍ଲଂଘନ ହୋଇଥାଏ। ଗର୍ଭବତୀଙ୍କ ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିବାରେ ଆଶଙ୍କା ଥିବା ସ୍ତଳେ ଗର୍ଭପାତ କରାଯିବାରେ କୌଣସି ଅସୁବିଧା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଏଭଳି ସ୍ଥିତିରେ କୌଣସି ଭ୍ରୁଣକୁ ରଖାଯାଇ ପାରିବ ନାହିଁ।

ଜଣେ ୩୦ ବର୍ଷ ବୟସ୍କା ମହିଳାଙ୍କର ୨୫ ସପ୍ତାହର ଭ୍ରୁଣକୁ ଗର୍ଭପାତ କରାଇବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମେଡ଼ିକାଲ ଟର୍ମିନେଶନ ପ୍ରେଗାନ୍ସି ଆକ୍ଟ-୨୦୨୧ର ଧାରା ୩-୨-ବି ଅନୁସାରେ ଆବଶ୍ୟକ ସ୍ଥଳେ ୨୦ ସପ୍ତାହ ପୂର୍ବରୁ ଉପଯୁକ୍ତ କାରଣ ଆଧାରରେ ଗର୍ଭପାତ କରାଯିବାକୁ ଅନୁମତି ପ୍ରଦାନ କରାଯାଇଥାଏ। ତେବେ ୨୪ ସପ୍ତାହ ପରେ ଏଭଳି ଉଚିତ ନୁହେଁ। ଏହା ଦ୍ୱାରା ସମ୍ପୃକ୍ତ ମହିଳାଙ୍କ ଜୀବନ ପ୍ରତି ବିପଦ ରହିଥାଏ।

ସାର୍‌ ଜେଜେ ଗ୍ରୁପ୍‌ ଅଫ୍‌ ହସ୍ପିଟାଲର ଡାକ୍ତର ଦଳ ମହିଳାଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍‌ ସହିତ ଗର୍ଭସ୍ଥ ଭ୍ରୁଣର ପରୀକ୍ଷା ନିରୀକ୍ଷା କରି ଜାଣିପାରିଥିଲେ ଯେ, ଭ୍ରୁଣଠାରେ ଗୁରୁତର ମାଇକ୍ରୋସେଫାଲେ ସମସ୍ୟା ରହିଛି। ସେହିପରି ଏହାର ମସ୍ତିଷ୍କ ପୂର୍ଣ୍ଣ ବିକଶିତ ନୁହେଁ। ତେଣୁ ଡିସେମ୍ବର ୩୧ରେ ଡାକ୍ତରୀ ଦଳ ଗର୍ଭପାତ କରାଇବାକୁ ପରାମର୍ଶ ଦେଇଥିଲେ।
ଏହି ମାମଲା ବିଚାର ପରି ଖଣ୍ଡପୀଠ ମହିଳାଙ୍କୁ ଘରୋଇ ହସ୍ପିଟାଲରେ ଗର୍ଭପାତ କରିବାକୁ ଅନୁମତି ପ୍ରଦାନ କରିଛନ୍ତି।