ବିଶ୍ୱର ୧୦% ଲୋକ ହୋଇପାରନ୍ତି ସଂକ୍ରମିତ

ଜେନିଭା,୬।୧୦: ମହାମାରୀ କରୋନା ବୋଲ ମାନୁନି। ସଂକ୍ରମିତଙ୍କ ସଂଖ୍ୟା ବଢ଼ାଇବା ସହ ନିରୀହ ଲୋକଙ୍କ ଜୀବନ ନେଉଛି। ବିିଶ୍ୱର ପ୍ରାୟ ୧୦% ଲୋକ ଏହା ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଇମର୍ଜେନ୍ସି ମୁଖ୍ୟ ଡାକ୍ତର ମିଚେଲ ଜୋଶେଫ ର଼୍ୟାନ୍‌ ପ୍ରକାଶ କରିଛନ୍ତି। ଆଗକୁ ଅଧିକ ଭୟଙ୍କର ପରିସ୍ଥିତି ଆସୁଛି ବୋଲି ସେ ଚେତାଇ ଦେଇଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ୩୪ ଜଣିଆ କାର୍ଯ୍ୟନିର୍ବାହୀ ବୋର୍ଡର ସ୍ବତନ୍ତ୍ର ଅଧିବେଶନରେ ସେ କହିଛନ୍ତି, ସହର, ଗ୍ରାମ ଓ ଗୋଷ୍ଠୀ ସବୁଠାରେ ସଂକ୍ରମିତଙ୍କ ସଂଖ୍ୟାରେ ଫରକ ଦେଖାଯାଉଛି। ସଂକ୍ରମିତଙ୍କ ସଂଖ୍ୟା ଲୁଚାଯାଉଛି। ଏହାର ଅର୍ଥ ଏବେ ବିଶ୍ୱର ଅଧିକାଂଶ ଲୋକ ବିପଜ୍ଜନକ ସ୍ଥିତିରେ ରହିଛନ୍ତି। ବିଭିନ୍ନ ସ୍ତରରେ ସଂକ୍ରମଣକୁ ରୋକିବା ସହ ମୃତ୍ୟୁହାର କମାଇବା ଲାଗି ପ୍ରୟାସ କରାଯାଉଛି। ସ୍ବାସ୍ଥ୍ୟକର୍ମୀମାନେ ଅହରହ ସେବା ଯୋଗାଇ ଆସୁଛନ୍ତି। ସତର୍କ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି।
ଦକ୍ଷିଣ ପୂର୍ବ ଏସିଆରେ ସଂକ୍ରମଣ ମାମଲା ବୃଦ୍ଧି ପାଇଚାଲିଛି। ୟୁରୋପ ଓ ଆମେରିକାରେ ମୃତ୍ୟୁସଂଖ୍ୟା ଅଧିକ ରହିଛି ବୋଲି ର଼୍ୟାନ୍‌ ମତ ଦେଇଛନ୍ତି। ଏବେ ବିଶ୍ୱର ୨୧୪ ଦେଶରେ ୩ କୋଟି ୫୪ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ୧୦.୪୩ ଲକ୍ଷ ଲୋକଙ୍କ ଜୀବନ ନେଲାଣି କରୋନା। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଅଧିକ ସତର୍କତା ଅବଲମ୍ବନ କରାଯିବା ଉଚିତ ବୋଲି ସେ କହିଛନ୍ତି।

Share