ମୁମ୍ବାଇ,୯ା୬: ଦେଶର ବ୍ୟାଙ୍କଗୁଡ଼ିକୁ ପ୍ରାୟ ୧.୮୦ ଲକ୍ଷ କୋଟି ଟଙ୍କାର ୨ ହଜାରିଆ ନୋଟ୍ ଫେରିଲାଣି ବୋଲି ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୨୩ ମାର୍ଚ୍ଚ ୩୧ରେ ସର୍କ୍ୟୁଲେଶନରେ ୩.୬୨ ଲକ୍ଷ କୋଟିର ୨ ହଜାର ଟଙ୍କିଆ ନୋଟ୍ ଥିଲା। ଗତ ମେ’ ୧୯ରେ ଏହି ବଡ଼ ନୋଟ୍ର ପ୍ରଚଳନ ବନ୍ଦ ଘୋଷଣା କରାଯିବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧.୮୦ ଲକ୍ଷ କୋଟି ଟଙ୍କାର ଅର୍ଥାତ୍ ପ୍ରାୟ ଅଧା ନୋଟ୍ ଫେରିସାରିଲାଣି। ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ଜମା ହେଉଥିବା ନୋଟ୍ଗୁଡ଼ିକ ମଧ୍ୟରୁ ପ୍ରାୟ ୮୫% ହେଉଛି ୨,୦୦୦ ଟଙ୍କିଆ ନୋଟ୍।