”ଚକ୍ଷୁ ଦାନ ପାଇଁ ଆପଣ ନିଜକୁ କୌଣସି ଚକ୍ଷୁ ବ୍ୟାଙ୍କ୍ ବା ଚକ୍ଷୁ ଡାକ୍ତରଖାନା ମାଧ୍ୟମରେ ଠିକ୍ ଫର୍ମାଟ୍ରେ ନିଜକୁ ରେଜିଷ୍ଟର୍ କରାଇ ନିଅନ୍ତୁ। ଯଦି କେହି ଆଗରୁ ରେଜିଷ୍ଟର କରାଇନାହାନ୍ତି, ତେବେ ବି ମୃତ ବ୍ୟକ୍ତିଙ୍କର ନିକଟ ପରିବାରବର୍ଗ କେହି ଫୋନ୍ କରି ଚକ୍ଷୁଦାନ ହେଲ୍ପଲାଇନ୍କୁ ଜଣେଇପାରିବେ। ଚକ୍ଷୁ ବ୍ୟାଙ୍କ୍ ତରଫରୁ ଡାକ୍ତର ଟିମ୍ ଯାଇ ଚକ୍ଷୁ କଲେକ୍ସନ୍ କରିବେ।“
ପ୍ରତିବର୍ଷ ଅଗଷ୍ଟ ୨୮- ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ପାଳିତ ହୋଇଥାଏ ‘ଜାତୀୟ ଚକ୍ଷୁଦାନ ପକ୍ଷ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା…
କଥାରେ ଅଛି, ଯଦି ଆପଣ ମୃତ୍ୟୁ ପରେ ବି ଏ ସୁନ୍ଦର ପୃଥିବୀକୁ ଉପଭୋଗ କରିବାକୁ ଚାହଁୁଛନ୍ତି, ତେବେ ଚକ୍ଷୁଦାନ କରନ୍ତୁ। ଏହା ଅକ୍ଷରେ ଅକ୍ଷରେ ସତ୍ୟ। ଚକ୍ଷୁଦାନ ଦ୍ୱାରା ଆମେ ଯେ କେବଳ ଦୁଇ ଜଣ ଦୃଷ୍ଟି ଶକ୍ତି ହରାଇଥିବା ବ୍ୟକ୍ତିଙ୍କୁ ଦୃଷ୍ଟିଦାନ କରିବା ତାହା ନୁହେଁ, ତଦ୍ଦ୍ବାରା ଆମେ ନିଜକୁ ମଧ୍ୟ ବଞ୍ଚେଇ ରଖିପାରିବା। ଆମ ପରିବାର, ବନ୍ଧୁ ପରିଜନଙ୍କୁ ମଧ୍ୟ ଗର୍ବିତ କରେଇ ପାରିବେ।
ଚକ୍ଷୁଦାନ ପାଇଁ ଆପଣ ନିଜକୁ କୌଣସି ଚକ୍ଷୁ ବ୍ୟାଙ୍କ୍ ବା ଚକ୍ଷୁ ଡାକ୍ତରଖାନା ମାଧ୍ୟମରେ ଠିକ୍ ଫର୍ମାଟ୍ରେ ନିଜକୁ ରେଜିଷ୍ଟର୍ କରାଇ ନିଅନ୍ତୁ । ଯଦି କେହି ଆଗରୁ ରେଜିଷ୍ଟର କରାଇନାହାନ୍ତି, ତେବେ ବି ମୃତ ବ୍ୟକ୍ତିଙ୍କର ନିକଟ ପରିବାରବର୍ଗ କେହି ଫୋନ୍ କରି ଚକ୍ଷୁଦାନ ହେଲ୍ପଲାଇନ୍କୁ ଜଣେଇପାରିବେ। ଚକ୍ଷୁ ବ୍ୟାଙ୍କ୍ ତରଫରୁ ଡାକ୍ତର ଟିମ୍ ଯାଇ ଚକ୍ଷୁ କଲେକ୍ସନ୍ କରିବେ। ଏହା ଡାକ୍ତରଖାନା ସହ ନିଜ ଘରେ ମଧ୍ୟ ସମ୍ଭବ। କିନ୍ତୁ ଏହା ମୃତ୍ୟୁର ଛଅ ଘଣ୍ଟା ମଧ୍ୟରେ ହେବା ଦରକାର। ମୃତ୍ୟୁ ପରେ ଶରୀରକୁ ଛାଇରେ, ଥଣ୍ଡାରେ ବା ଏସି ରୁମ୍ରେ ରଖନ୍ତୁ। ଫ୍ୟାନ୍ ବନ୍ଦ କରିଦିଅନ୍ତୁ। ଚକ୍ଷୁ କଲେକ୍ସନ୍ ଟିମ୍ ଆସି ପହଞ୍ଚିବା ପର୍ଯ୍ୟନ୍ତ ଆଖିପତା ଦୁଇଟିକୁ ବନ୍ଦ କରି ଓଦା ତୁଳା ବା ରୁମାଲ୍ରେ ଘୋଡ଼େଇ ରଖନ୍ତୁ।
ଆଉ ଗୋଟିଏ କଥା ହେଲା, ଏଥିରେ ପୂରା ଚକ୍ଷୁକୁ ତଡ଼ାଯାଇ କଢ଼ାଯାଏ ନାହିଁ। କେବଳ ସ୍ବଚ୍ଛ ପଟଳ ବା କର୍ଣ୍ଣିଆଟିକୁ କଢ଼ାଯାଇ ନିଆଯାଏ। ସେଥିରେ ଗୋଟିଏ ପ୍ଲାଷ୍ଟିକ୍ କ୍ୟାପ୍ ମଧ୍ୟ ଲଗାଇ ପତା ଦୁଇଟିକୁ ପୁନର୍ବାର ଘୋଡ଼େଇ ଦିଆଯାଏ । ତେଣୁ ବାହାରକୁ ମୋଟେ ବି ଅସୁନ୍ଦର ଜଣାଯାଏ ନାହିଁ।
ଏମିତି ବି ଯଦି ଆମେ ଚକ୍ଷୁଦାନ କରୁନାହୁଁ, ତେବେ ଏହା ନିଶ୍ଚିତ ଭାବରେ ନଷ୍ଟ ହୋଇଯାଉଛି। ଯେବେ ଆମେ ମୃତ ଶରୀରକୁ ମାଟିରେ ପୋତୁଛେ ବା ଅଗ୍ନିରେ ପୋଡ଼ୁଛେ, ଏହା କାହାର ବି କାମରେ ଲାଗି ପାରୁନାହଁି। ତେଣୁ ଆସନ୍ତୁ, ଆମେ ସମସ୍ତେ ମିଶି ଏହି ‘ଆଇ ଡୋନେଶନ୍ ଫର୍ ରାଇଟ୍’ରେ ଶପଥ କରିବା ଯେ, ମୃତ୍ୟୁ ପରେ ଆମେ ଆମର ଚକ୍ଷୁଦାନ କରିବା ଓ ସ୍ବଚ୍ଛ ପଟଳଜନିତ ଅନ୍ଧତ୍ୱର ଦୂରୀକରଣ କରିବା। ମୃତ୍ୟୁ ପୂର୍ବରୁ ବା ପରେ ଆମେ ସମାଜ ପାଇଁ କିଛି ମହତ୍ କାମ କରିଯିବା। ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଚକ୍ଷୁଦାନ କରିଯିବା ।
– ଡା. ଶୁଭବ୍ରତା ପରିଡ଼ା
– ଚକ୍ଷୁ ବିଶେଷଜ୍ଞ, କଟକ
ମୋ : ୯୯୩୭୦୪୧୫୬୦