ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍ରେ ରାଜ୍ୟର ବିକାଶ ହେବା ଭଳି କିଛି ନଥିବା କହି ସମାଲୋଚନା କରିଥିଲେ ।
ଅନ୍ୟପକ୍ଷେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବଜେଟକୁ ନେଇ କାଠଗଡ଼ାରେ ଛିଡ଼ା କରିଛି ।
ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ରାଜ୍ୟରେ ଭାଜପା ସରକାର ଅସ୍ମିତା ଭବନ ଲାଗି ୨ ଶହ କୋଟି ବ୍ୟୟବରାଦ କରିଛନ୍ତି । ତେବେ ଏହାର ସୁରକ୍ଷା ପାଇଁ କୌଣସି ଯୋଜନା ନାହିଁ । ଅଣଓଡ଼ିଆ ଠିକାଦାରଙ୍କୁ ପୋଷିବା ପାଇଁ ଏ ଯୋଜନା କରାଯାଇଛି ।
ସୁଭଦ୍ରା ଯୋଜନା କଥା ଉଠାଇ ସେ କହିଛନ୍ତି, ଭାଜପା କହିଥିଲା ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ଦିଆଯିବ । କିନ୍ତୁ ଏବେ କହୁଛନ୍ତି ୫୦ ହଜାର ଟଙ୍କାର କୁପନ୍ ମିଳିବ । ଏଥିରୁ ୨୦ ଲକ୍ଷ ମହିଳା ଉପକୃତ ହେବେ । କିନ୍ତୁ ରାଜ୍ୟରେ ଅଛନ୍ତି ୧ କୋଟିରୁ ଅଧିକ ମହିଳା । ୩୦୦ ୟୁନିଟ୍ ବିଜୁଳି ଫ୍ରି ଦେବେ ବୋଲି ଭାଜପାର ବଡ଼ ନେତା କହିଥିଲେ । ମାତ୍ର ବଜେଟରେ ଏ ନେଇ କିଛି ନାହିଁ ।
ମିଳୁଥିବା ପେନଶନ ବଢ଼ାଇ ୩ ହଜାର କରିବେ ବୋଲି କହିଥିଲେ । ହେଲେ ଏଥିରେ ମଧ୍ୟ ସମାନ କଥା ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫୦୦ ଦେବେ ବୋଲି ଏବେ କହୁଛନ୍ତି। ଏହାଦ୍ବାରା ୮୦ ଭାଗ ହିତାଧିକାରୀଙ୍କୁ ସରକାର ଠକିଥିବା ବିଜେଡି କହିଛି । ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ଦେବେ ୩୫୦୦ ଟଙ୍କା । ତେଣୁ ରାଜ୍ୟସରକାର ମିଛ କଥା କହିଛନ୍ତି।
ବିଜେଡି ପକ୍ଷରୁ କୁହାଯାଇଛି, ଏହି ବଜେଟ ଦୂରଦୃଷ୍ଟି ବିହୀନ । ମହିଳା, ଯୁବକଙ୍କ ପାଇଁ ସ୍ବାବଲମୀ ହେବାର ରୂପରେଖ ନାହିଁ । ମହିଳାଙ୍କ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ନାହିଁ । ଶିଳ୍ପ ବା ଅର୍ଥନୈତିକ କାର୍ଯ୍ୟକଳାପ, ସର୍ଭିସ ଇଣ୍ଡଷ୍ଟ୍ରି ପାଇଁ ବି କିଛି ନାହିଁ । ଅର୍ଥନୀତି ବଢ଼ାଇବାକୁ ଏହି ବଜେଟରେ କିଛି ନାହିଁ । ଖାଲି କ୍ଷମତାକୁ ଆସିବା ପାଇଁ ମିଛ ସତ କହି ଜାଣିଛନ୍ତି ବୋଲି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।