Posted inଫୁରସତ

ବରପୁତ୍ରଙ୍କ ଜନ୍ମମାଟି

ଇତିହାସ ସାକ୍ଷୀ ବିଭିନ୍ନ ସମୟରେ ନିଜ ଜନ୍ମମାଟି ଓ ନିଜ ଜନ୍ମଭୂମିର ସ୍ବାର୍ଥ ପାଇଁ ଅନେକ ଜୀବନକୁ ଉତ୍ସର୍ଗ କରିଥାନ୍ତି। ଯାହାଙ୍କୁ ପରବର୍ତ୍ତୀ ସମୟରେ ଲୋକେ ବରପୁତ୍ରର ଆଖ୍ୟା ଦେଇଥାନ୍ତି। ତାଙ୍କ ସ୍ମୃତିଚାରଣ କରିଥାନ୍ତି । ତାଙ୍କ ଜନ୍ମମାଟି ହୋଇଯାଏ ସ୍ମୃତିପୀଠ। ସେମିତି କେତେଜଣ ବରପୁତ୍ରଙ୍କ ଜନ୍ମସ୍ଥାନ ସମ୍ପର୍କରେ…

ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶ :  ‘ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ । ଦେଶର ସ୍ବରାଜ୍ୟ ପଥେ ଯେତେ ଗାଡ଼ ପୂରୁ ତହିଁ ପଡ଼ି ମୋର ମାଂସହାଡ଼।’ ଏହି ଦେଶାତ୍ମବୋଧକ କବିତାର ରଚୟିତା ଥିଲେ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶ। ସେ ଏମିତି ଜଣେ ମଣିଷ ଥିଲେ ଯିଏ ପ୍ରତିକ୍ଷଣ, ପ୍ରତି ମୂହୁର୍ତ୍ତରେ ଭାବୁଥିଲେ ଦେଶ କଥା। ତାଙ୍କ ଚିନ୍ତା ଥିଲା ଦେଶ ସ୍ବାଧୀନ ହେବାର। ତାଙ୍କ ସ୍ବାଭିମାନର ଅର୍ଥ ଥିଲା ଓଡ଼ିଆ ଲୋକଙ୍କ ସ୍ବାଭିମାନ। ଓଡ଼ିଆ ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟର ଉନ୍ନତି ପାଇଁ ସେ ଅହରହ କାମ କରି ଚାଲିଥିଲେ। ଶିକ୍ଷା, ସଂସ୍କାର, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମପୀଠ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଧ୍ୟାଧରପୁର ଗ୍ରାମପଞ୍ଚାୟତରେ ଅବସ୍ଥିତ ସୁଆଣ୍ଡୋ ଗ୍ରାମରେ। ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ତାଙ୍କର ଜନ୍ମ। ମା’ ସ୍ବର୍ଣ୍ଣମୟୀ ଦେବୀ ଓ ପିତା ଦୈତାରୀ ଦାଶ। ଦିନେ ଉତ୍କଳର ଧମନୀ ଥିଲା ସୁଆଣ୍ଡୋ। ଏଠି ଲେଖାହେଉଥିଲା ସ୍ବତନ୍ତ୍ର ଓଡ଼ିଶାର ଜାତକ। ସାକ୍ଷୀଗୋପାଳଠାରୁ ପ୍ରାୟ ୬କିମି ଦୂର ହେବ ଏହି ଗ୍ରାମ। ପୁଣ୍ୟତୋୟା ଭାର୍ଗବୀନଦୀର ବାମପାର୍ଶ୍ୱକୁ ଲାଗି ରହିଥିବା ଏହି ଗ୍ରାମ ଏବେ ଜାତୀୟ ସ୍ମୃତି ପୀଠ ଭାବେ ପରିଚିତ। ଗୋପବନ୍ଧୁଙ୍କ ଷଠିଘରକୁ ରାଜ୍ୟ ସରକାର ସଂରକ୍ଷିତ କରିଛନ୍ତି। ଗୋପବନ୍ଧୁ ବ୍ୟବହାର କରୁଥିବା ପିତ୍ତଳ ଗରା, ଢାଳ, ଦିପରୁଖା, ଖଟ, ଭାଗବତ ପୋଥି ସହ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରହିଛି। ଗ୍ରାମ ଆରମ୍ଭରୁ ଠାକୁର ଲୋକେଶ୍ୱର ଦେବଙ୍କ ପୁରୁଣା ମନ୍ଦିର ନୂଆରୂପ ନେଇଛି। ପାଶର୍‌ବରେ ପାର୍କିଂ ସ୍ଥଳ, ପାଠାଗାର, ଗ୍ରାମ ଶେଷଭାଗରେ ଗୋପବନ୍ଧୁ ସଂଗ୍ରହାଳୟ, ପୁଷ୍କରିଣୀ, ଶିଶୁ ଉଦ୍ୟାନ ଏବଂ  ଗୋପବନ୍ଧୁଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି ସୁଆଣ୍ଡୋକୁ ଐତିହ୍ୟ ଗ୍ରାମର ମର୍ଯ୍ୟାଦା ଦେଇଛି। କେବେବି ନିଜକଥା ଭାବୁ ନ ଥିବା ଉତ୍କଳମଣୀ ଓଡ଼ିଆ ଜାତିର ବିକାଶ ନିମନ୍ତେ ସଭିଙ୍କର  ଶିକ୍ଷା ଅପରିହାର୍ଯ୍ୟ ବୋଲି ଚିନ୍ତାକରି ଉଚ୍ଚଶିକ୍ଷା ପରେ ସରକାରୀ ଚାକିରି କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଗୋପବନ୍ଧୁଙ୍କ ସହିତ ପଣ୍ଡିତ ନୀଳକଣ୍ଠ ଓ ଆଚାର୍ଯ୍ୟ ହରିହରଙ୍କ ସହଯୋଗରେ ଓଡ଼ିଶାରେ ଭାଷା ଓ ଶିକ୍ଷାର ଅଭିବୃଦ୍ଧି ନିମନ୍ତେ ସଂଗ୍ରାମ ଚଳାଇଥିଲେ। ୧୯୦୯ ମସିହାରେ ସତ୍ୟବାଦୀ ବକୁଳବନର ବୃକ୍ଷ ଛାୟାରେ ଗୁରୁକୁଳ ଢାଞ୍ଚାରେ ଶିକ୍ଷାଦାନ ଆରମ୍ଭ କରିଥିଲେ। ବନବିଦ୍ୟାଳୟ ନାମରେ ପରିଚିତ ପୁରାତନ ବିଦ୍ୟାଳୟ ବିଲୁପ୍ତ ହୋଇଥିଲେ ମଧ୍ୟ ଏବେବି ରହିଯାଇଛି ସେଦିନର ସ୍ମୃତି। ବନବିଦ୍ୟାଳୟର ପରବର୍ତ୍ତୀ ଶିକ୍ଷାନୁଷ୍ଠାନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ରହିଛି ଚାଳ ଛପର ଛାତ୍ରାବାସ। ରାଜ୍ୟ ସରକାରଙ୍କ ପକ୍ଷରୁ ସୁଆଣ୍ଡୋ ଗ୍ରାମରେ ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ଆୟୋଜନ କରାଯାଉଛି। ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କୁ ନେଇ ଗୋପବନ୍ଧୁଙ୍କ ଜୀବନ ଦର୍ଶନକୁ ଆଧାରକରି ପ୍ରବନ୍ଧ, କବିତା ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ ହେଉଛି। ଜିଲା ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟନ୍ତୀ ଉତ୍ସବ ପରିଚାଳନା କରିଥାଏ। ଗୋପବନ୍ଧୁଙ୍କ ଜୟନ୍ତୀ ଉପଲକ୍ଷେ ସତ୍ୟବାଦୀରୁ ସୁଆଣ୍ଡୋ ଶ୍ରଦ୍ଧାଳୁଙ୍କ ସମାବେଶରେ ଚଳଚଞ୍ଚଳ ହୋଇଥାଏ। ୨୦୨୩ ଫେବୃୟାରୀ ୨୩ ତାରିଖରେ ରାଜ୍ୟ ସରକାର ଏହାକୁ ଐତିହ୍ୟସ୍ଥଳୀଭାବରେ ଶୁଭ ଉନ୍ମୋଚନ କରିଥିବା ବେଳେ ପିପିପି ମୋଡରେ ଏହାର ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ପଟ୍ଟନାୟିକିଆ ଛକ ନିକଟରେ ପର୍ଯ୍ୟଟକମାନଙ୍କ ପାଇଁ ମହିଳା ମିଶନ ଶକ୍ତି ଏକ କାଫେଟେରିଆ ଚଳାଉଛନ୍ତି। ବକୁଳବନର ପୁରାତନ ବନବିଦ୍ୟାଳୟ, ସାକ୍ଷୀଗୋପାଳ ମନ୍ଦିର, ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ଓ ସୁଆଣ୍ଡୋ ଗ୍ରାମକୁ ନେଇ ଐତିହ୍ୟ କରିଡର ଯୋଜନା କାର୍ଯ୍ୟକାରୀ ହେବାକୁ ପ୍ରସ୍ତୁତି କରାଯାଇଛି ବୋଲି ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା କହିଛନ୍ତି। ଓଡ଼ିଶା ପାଇଁ ଉତ୍କଳମଣିଙ୍କ ଅବିସ୍ମରଣୀୟ,  ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ସରକାର ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି।
ଉତ୍କଳ ଗୌରବ ମଧୁସୂଦନ ଦାସ: କଟକ ଜିଲାର ସତ୍ୟଭାମାପୁର ଗ୍ରାମରେ ୧୮୪୮ ମସିହା ଏପ୍ରିଲ ୨୮ତାରିଖରେ ଜନ୍ମଗ୍ରହଣ କରିଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ ଓରଫ ଗୋବିନ୍ଦ ବଲ୍ଲଭ । ତାଙ୍କ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀ। ସେ ଥିଲେ ଦୁଇଭାଇ  ଗୋବିନ୍ଦ ବଲ୍ଲଭ ଓ ଗୋପାଳ ବଲ୍ଲଭ। ଗୋବିନ୍ଦ ବଲ୍ଲଭ ପରବର୍ତ୍ତୀ ସମୟରେ ବାରିଷ୍ଟର ମଧୁସୂଦନ ଦାସ ହେଲେ ଯିଏକି ପ୍ରତି ଓଡ଼ିଆଙ୍କ ପାଖରେ ଉତ୍କଳ ଗୌରବ ମଧୁବାବୁ ରୂପେ ସ୍ଥାନ ପରିଚିତ ହେଲେ। ତୁଳସୀ ଦୁଇପତ୍ରରୁ ବାସିଲାଭଳି ପିଲାଟି ଦିନରୁ ମଧୁବାବୁଙ୍କର ସମାଜସେବା ପ୍ରତି ଥିଲା ଅହେତୁକ ଆକର୍ଷଣ। ପିଲାଟି ଦିନରୁ ସେ ମାଟିବଂଶ ଅବଧାନଙ୍କ ପାଖରେ ବାଲ୍ୟଶିକ୍ଷା ଆରମ୍ଭ କରିଥିଲେ। ପରେ ରେଭେନ୍ସା କଲିଜିଏଟ୍‌ ସ୍କୁଲରେ ପଢିଥିଲେ। ମଧୁବାବୁ ପଢ଼ୁଥିବା ବିଦ୍ୟାଳୟର ରାସ୍ତାଟି ବର୍ଷାଦିନେ କାଦୁଅରେ ପରିପୂର୍ଣ୍ଣ ହୋଇଥିବାରୁ ଦଶହରା ଛୁଟି ସମୟରେ ସାଙ୍ଗ ପିଲାଙ୍କୁ ଡାକି ଉକ୍ତ ରାସ୍ତାକୁ ବାଲିଗୋଡ଼ି ପକାଇ ସମତୁଲ କରିଥିଲେ। ସମୟକ୍ରମେ ସେ ରେଭେନ୍‌ଶା କଲିଜିଏଟ୍‌ ସ୍କୁଲରେ ପାଠ ପଢ଼ିଥିଲେ। ୧୮୬୪ରେ ମାଟ୍ରିକ୍‌, ୧୮୬୮ରେ ଏଫ୍‌.ଏ.ଆଇ.ଏ., ୧୮୭୦ରେ ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍‌ ଭାବେ କଲିକତାରୁ ବି.ଏ., ୧୮୭୩ରେ ପ୍ରଥମ ଓଡ଼ିଆ ଭାବେ କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍‌.ଏ. ଓ ୧୮୭୮ରେ ବି.ଏଲ୍‌. ଆଇନ୍‌ ପାସ୍‌ କରିଥିଲେ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ୧୯୦୩ରେ ‘ଉତ୍କଳ ସମ୍ମିଳନୀ’ ପ୍ରତିଷ୍ଠା କରି ଓଡ଼ିଆ ଭାଷା, ସଂସ୍କୃତି ଓ ଜାତିର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ। ଦେଶ ଓ ଜାତିର ଉନ୍ନତି ତାଙ୍କର ଅନେକ ଲେଖାରେ ଦେଖିବାକୁ ମିଳେ। ୧୯୦୪ରେ ଉତ୍କଳ ଟ୍ୟାନେରି ପ୍ରତିଷ୍ଠା କରିଥିଲେ। ୧୯୧୩ରେ ବିହାର ଓଡ଼ିଶା ବିଧାନସଭାକୁ ସେ ନିର୍ବାଚିତ ହୋଇଥିଲେ। ୧୯୩୪ ଫେବୃୟାରୀ ୪ତାରିଖରେ ତାଙ୍କର ମହାପ୍ରୟାଣ ଘଟିଥିଲା। ସମୟ କ୍ରମେ ମଧୁବାବୁଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ତାଙ୍କର ଝିଆରୀ ରମା ଦେବୀ କସ୍ତୁରବା ସ୍ମାରକନିଧି ଟ୍ରଷ୍ଟ ହାତରେ ଅର୍ପଣ କରିଦେଇଥିଲେ। ମଧୁବାବୁ ଓଡ଼ିଆ ଭାଷାକୁ ଉଜ୍ଜୀବିତ କରିବାପାଇଁ ଉତ୍କଳ ସମ୍ମିଳନୀ ଡାକି ଓଡ଼ିଆ ଭାଷାକୁ ସ୍ବତନ୍ତ୍ର ଭାଷାର ମାନ୍ୟତା ଦେବା ସହ ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶା ପାଇଁ ସ୍ବତନ୍ତ୍ର ଅବଦାନ ଥିବା ମଧୁବାବୁଙ୍କ ଜନ୍ମପୀଠ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ଏବେ ରାଜ୍ୟସରକାରଙ୍କର ଦୃଷ୍ଟି ଏହା ଉପରେ ପଡିଛି। ସରକାର ଏବେ ମଧୁବାବୁଙ୍କ ଐତିହ୍ୟକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ  ତାଙ୍କ ଜନ୍ମସ୍ଥାନର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ମଧୁବାବୁଙ୍କ ପୈତୃକ ଘରର ଛାତରୁ ବର୍ଷାଦିନେ ପାଣି ଗଳୁଥିଲା। ଏବେ ସରକାର ସେ ଘରର ମରାମତି କରିବା ସହ ମଧୁବାବୁଙ୍କ ଅନ୍ତୁଡ଼ିଶାଳର ପୁନରୁଦ୍ଧାର କରିଛନ୍ତି। ସେହିପରି ସରକାରଙ୍କ ପକ୍ଷରୁ ମଧୁଚବାବୁଙ୍କ ଐତିହ୍ୟ ସାଇତି ରଖିବା ପାଇଁ ଏଠାରେ ଏକ ସଂଗ୍ରହାଳୟ ସ୍ଥାପନ କରାଯାଇଥିଲେ ମଧ୍ୟ ମଧୁବାବୁ ବ୍ୟବହାର କରିଥିବା ବାଡ଼ି, ଚଷମା, ଜୋତା ଆଦି ସାମଗ୍ରୀ ଏଠାରେ ରଖା ନ ଯାଇ ଶୈଳବାଳା କଲେଜରେ ରଖାଯାଇଛି। ଏବେ ମଧୁବାବୁଙ୍କ ଜନ୍ମସ୍ଥାନରେ ଆବାସିକ ବିଦ୍ୟାଳୟ ଚାଲିଥିବାବେଳେ ଏହି ବିଦ୍ୟାଳୟରେ ଆଦିବାସୀ ଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଇଥାଏ।  ରାଜ୍ୟ ସରକାର ମଧୁବାବୁଙ୍କ ଜନ୍ମସ୍ଥାନର ଉନ୍ନତିକରଣ ପାଇଁ ଯୋଜନା ଆରମ୍ଭ କରି କାର୍ଯ୍ୟ ଆରମ୍ଭ କରିଛନ୍ତି। ମଧୁବାବୁଙ୍କର ବହୁତ ଜାଗା ରହିଥିବାବେଳେ ତାକୁ ଚିହ୍ନଟ କରାଯାଇ ପୁନରୁଦ୍ଧାର କରିବା ପାଇଁ ମଧୁବାବୁଙ୍କ ପୀଠର କର୍ମଚାରୀ ପ୍ରକାଶ ତ୍ରିପାଠୀ ଦାବି କରିଛନ୍ତି। ଆଗାମୀ ଦିନରେ ମଧୁବାବୁଙ୍କ ଜନ୍ମସ୍ଥାନର ଉନ୍ନତୀକରଣ ହୋଇପାରିବ ବୋଲି କସ୍ତୁରବା ଗାନ୍ଧୀ ସ୍ମାରକନିଧି ଟ୍ରଷ୍ଟର ସମ୍ପାଦିକା ସନ୍ଧ୍ୟାରାଣୀ ମଲ୍ଲିକ ପ୍ରକାଶ କରିଛନ୍ତି।
ପଣ୍ଡିତ ଗୋଦାବରୀଶ ମିଶ୍ର:  ତୁଙ୍ଗଶିଖରୀ ଚୂଳ, କୁଞ୍ଜ କାନନ ମାଳ, ପୁଣ୍ୟଜଳଧି ଜଳ ଖେଳିଉଠେ ସଘନେ।  ”ପ୍ରାଚୀ ଗଗନଶିରେ, ଭାସି କନକ ନୀରେ ଆସ ତପନ ଉଇଁ  ଏ ଉତ୍କଳ ଭୁବନେ“ ସଙ୍ଗୀତର ରଚୟିତା ପଣ୍ଡିତ ଗୋଦାବରୀଶ ମିଶ୍ର। ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ପଣ୍ଡିତ ଗୋଦାବରୀଶ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ଆଦର୍ଶ ଶିକ୍ଷକ, ସମାଜ ସଂସ୍କାରକ, ବ୍ୟବସ୍ଥାପକ, ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ଆନ୍ଦୋଳନର ପୁରୋଧା। ପରବର୍ତ୍ତୀ ସମୟରେ ସେ ଝାସ ଦିଅନ୍ତି  ସ୍ବରାଜ୍ୟ ଆନ୍ଦୋଳନରେ। ଓଡ଼ିଶାର ପ୍ରଥମ ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱରେ ଥିବା ବେଳେ ସେ ପରାଧୀନ ଭାରତବର୍ଷରେ ଓ ଓଡ଼ିଶାପରି ପଛୁଆ ରାଜ୍ୟରେ ଶିକ୍ଷାର ଆଲୋକ ବର୍ତ୍ତିକା ଜାଳିବା ପାଇଁ ପ୍ରତିଷ୍ଠା କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟ। ତେବେ କବିଙ୍କ ଜନ୍ମ ଖୋର୍ଦ୍ଧା ଜିଲାର  ବାଣପୁର, ଶ୍ରୀନିବାସପୁର ଶାସନରେ । ୧୮୮୬  ମସିହା ଅକ୍ଟୋବର ୨୬ରେ ଲିଙ୍ଗରାଜ ମିଶ୍ର ଓ ଅପସରା ଦେବୀଙ୍କ କୋଳରେ ଗୋଦାବରୀଶ  ଜନ୍ମଲାଭ କରିଥିଲେ। ଥରେ ଭକ୍ତକବି  ମଧୁସୂଦନ  ରାଓ  ବାଣପୁର  ଆସି ଲିଙ୍ଗରାଜ ମିଶ୍ରଙ୍କ  ପିଣ୍ଡାରେ  ବସି କଥା  ହେଉଥିଲେ । ସେ ଜାଣିଲେ  ଲିଙ୍ଗରାଜଙ୍କ ଏକ ପୁତ୍ର ସନ୍ତାନ ଲାଭ ହୋଇଛି। ସେ ଏହି ପୁତ୍ରର ନାମ ଗୋଦାବରୀରୁ ଗୋଦାବରୀଶ ବୋଲି ଦେଇଥିଲେ। ସେ ଗାଁ ଚାଟଶାଳୀରେ ପଢ଼ିବା ପରେ ପୁରୀ ଜିଲା ସ୍କୁଲ, ରେଭେନ୍ସା କଲେଜ ଓ କଲିକତାରେ ଓକିଲାତି ପାଠ ପଢିଥିଲେ। ୟଙ୍ଗ୍‌ ଉତ୍କଳ ଆସୋସିଏଶନ  ନାମକ ଇଂଲିଶ ସାପ୍ତାହିକର  ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିବା ସହ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ଥିଲେ। ଜୀବନକାଳ ମଧ୍ୟରେ ଅନେକ ଘାତ ପ୍ରତିଘାତରେ ସେ ବଢିଛନ୍ତି। ପରବର୍ତ୍ତୀ ସମୟରେ ସଂଗ୍ରାମୀ ଶଶିଭୂଷଣ  ରାୟ ଚୌଧୁରୀଙ୍କ ସହିତ ମିଶିଛନ୍ତି। ଗୋବନ୍ଧୁଙ୍କୁ  ଗୁରୁ, ଦେବତା ଓ ଆର୍ଦଶ ବୋଲି ମାନୁଥିଲେ। ବନ୍ୟା ବାତ୍ୟା  ବେଳେ ଲୋକଙ୍କ ସେବା  କରୁଥିଲେ। ପରାଧୀନ ଭାରତର ମୁକ୍ତି  ଓ ଖଣ୍ଡିତ ଓଡ଼ିଶାର ଏକତା ପାଇଁ ସଂଗ୍ରାମ କରିଥିଲେ। ବନ୍ୟାବାତ୍ୟା  ବେଳେ ଲୋକଙ୍କ ସେବା  କରୁଥିଲେ। ପରାଧୀନ ଭାରତର ମୁକ୍ତି  ଓ ଖଣ୍ଡିତ ଓଡ଼ିଶାର ଏକତା ପାଇଁ ସଂଗ୍ରାମ କରିଥିଲେ। ତାଙ୍କ କ୍ରାନ୍ତିକାରୀ କବିତାରୁ ସୃଷ୍ଟି  ହୋଇଛି  ବପ୍ଳବର ବହ୍ନି। ତାଙ୍କ ରଚିତ ପୁସ୍ତକ ମଧ୍ୟରେ କବିତା ସଂକଳନ ‘କଳିକା’, କିଶଳୟ, ଅଲେଖିକା, ଶିଶୁସାହିତ୍ୟ ଏବଂ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ’ ଅନ୍ୟତମ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତାଙ୍କ ରଚିତ ଆତ୍ମଜୀବନୀ ପୁସ୍ତକ ”ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ“ ଓଡ଼ିଆ ଭାଷା ସାହିତ୍ୟର ଏକ ଜାଜ୍ଜ୍ୱଲ୍ୟମାନ କୀର୍ତ୍ତି l ତାଙ୍କ ରଚିତ ‘କାଳିଜାଇ’ କବିତା ଯୁଗେ ଯୁଗେ ପ୍ରତିଟି ଓଡ଼ିଆ ହୃଦୟରେ ଚ଼ିରକାଳ ବଞ୍ଚତ୍ରହିଥିବ। ବିଦେଶୀ ହଟେଇବାକୁ ତାଙ୍କ କବିତାରେ  ଫୁଟିଉଠିଥିଲା ‘ଆମଘର ଏହି ଓଡ଼ିଶା ରାଇଜେ  ଫିରିଙ୍ଗି ତହିଁରେ ରାଜା। ଗୋରା ଦଶଜଣେ  ରାଇଜ ଚାଲେ ଲୋ କୋଟିଏ ହେବେ ପରଜା..।’ଆଜି  ଗୋଦାବରୀଶଙ୍କ ଗାଁରେ ରହିଛି ‘ଗୋଦାବରୀଶ ଯୁବକ ସଂଘ’। ୧୯୮୬ରେ ଏହି ମହାପୁରୁଷଙ୍କ ଜନ୍ମ ଶତବାର୍ଷିକୀ ଓଡ଼ିଶା ସରକାରଙ୍କ ତରଫରୁ ପାଳିତ ହୋଇଥିଲା। ତାଙ୍କ ଗାଁ ସ୍କୁଲରେ ତାଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥାଏ। ବାଣପୁର ଶାଳିଆ ସାଂସ୍କୃତିକ ପରିଷଦ ତରଫରୁ ପ୍ରତିବର୍ଷ ତାଙ୍କର ଜୟନ୍ତୀ ପାଳନ କରାଯାଉଛି। ଏବେ ବାଣପୁରରେ ରହିଛି ତାଙ୍କର ଜରାଜୀର୍ଣ୍ଣ  ଶିଉଳିଲଗା ଘରଡ଼ିହ, ଯାହା ପ୍ରମାଣ କରୁଛି ଏଠାରେ ଦିନେ କବିଙ୍କ ଘର ଥିଲା। ଜୁଲାଇ ୨୬ ତାରିଖ ୧୯୫୬ ମସିହାରେ  କବି ଇହଲୀଳା ସମ୍ବରଣ କରିଥିଲେ। ପରାଧୀନ ଭାରତରେ ଉଚ୍ଚଶିକ୍ଷିତ ହୋଇମଧ୍ୟ ଚାକିରି ପଛରେ ନ ପଡ଼ି ଉତ୍କଳ ଜନନୀର ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ବାଳମୁକୁନ୍ଦ ଦାଶ କୁହନ୍ତି, ପ୍ରତିବର୍ଷ ଗାଁ ସ୍କୁଲରେ କବିଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥାଏ। ଜନ୍ମମାଟି ବାଣପୁରଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରି ଏହି ଅଞ୍ଚଳକୁ ଶିକ୍ଷାର ଆଲୋକରେ ଆଲୋକିତ କରିପାରିଛନ୍ତି। ତାଙ୍କ ପରେ ତାଙ୍କ ନାମରେ ନାମିତ ଗୋଦାବରୀଶ ମହାବିଦ୍ୟାଳୟ ଏକ ଆଦର୍ଶ ମହାବିଦ୍ୟାଳୟ ଭାବରେ ଆଜି ପ୍ରତିଷ୍ଠା ଅର୍ଜନ କରିପାରିଛି । ଶିକ୍ଷାକ୍ଷେତ୍ରର ଉନ୍ନତି ସହିତ କୃଷି କ୍ଷେତ୍ରର ଉନ୍ନତି ନିମନ୍ତେ ସେ ଶାଳିଆ ଡ୍ୟାମ ପ୍ରତିଷ୍ଠା କରିଛନ୍ତି।
ବ୍ୟାସକବି ଫକୀରମୋହନ ସେନାପତି: ଆଧୁନିକ ଓଡ଼ିଆ ସାହିତ୍ୟର ଆଦ୍ୟ ସ୍ରଷ୍ଟା ବ୍ୟାସକବି ଫକୀରମୋହନ  ସେନାପତି । ଦେଶର ଘଡ଼ିସନ୍ଧି  ପରିସ୍ଥିତି ବେଳେ ତାଙ୍କର ଜନ୍ମ ବାଲେଶ୍ୱର ଜିଲାର ମଲ୍ଲିକାଶପୁର ଗ୍ରାମରେ ୧୮୪୩ ମସିହା ଜାନୁଆରୀ ମାସ ମକର ସଂକ୍ରାନ୍ତି ଦିନ। ମାତା ତୁଳସୀ ଦେବୀ, ପିତା ଲକ୍ଷ୍ମଣ ଚନ୍ଦ୍ର ସେନାପତି। ପିଲାଦିନେ ସେ ମାତାପିତାଙ୍କୁ ହରାଇ ତାଙ୍କ ଠାକୁର ମା’ଙ୍କ ଲାଳନ ପାଳନରେ ବଢିଥିଲେ। ତାଙ୍କ ପିଲାଦିନର ନାମ ବ୍ରଜମୋହନ ଥିଲା । ପୀରବାବାଙ୍କ ଆଶୀର୍ବାଦରେ ରୋଗ ଭଲ ହେବାରୁ ତାଙ୍କୁ ଠାକୁରମା’ ‘ଫକୀର’ ବୋଲି ଡାକୁଥିଲେ। ପରେ ତାଙ୍କ ନାମ  ବ୍ରଜମୋହନରୁ ଫକୀରମୋହନ ସେନାପତି ହୋଇଥିଲା। ୯ ବର୍ଷ ବୟସରେ ସେ ପାଠପଢା ଆରମ୍ଭ କରିଥିଲେ। ଅବଧାନ ବୈଷ୍ଣବ ମହାନ୍ତିଙ୍କ ତତ୍ତ୍ବାବଧାନରେ ଚାଟଶାଳୀ ପାଠ ପଢା ଶେଷ କରି ବାରବାଟୀ ସ୍କୁଲରେ ନାମ ଲେଖାଇଥିଲେ। ପରେ ସେ ଉକ୍ତ ବିଦ୍ୟାଳୟର ଶିକ୍ଷକ ଭାବରେ ଯୋଗ ଦେଇଥିଲେ। ପରେ ସେ ବାଲେଶ୍ୱର ମିଶନ ସ୍କୁଲର ପ୍ରଧାନ ଶିକ୍ଷକ  ଭାବେ ନିଯୁକ୍ତି ପାଇଥିଲେ। ନିଜର ସାଧନା ବଳରେ ବଡ଼ ବଡ଼ ଇଂରେଜ ହାକିମମାନଙ୍କ  ସହିତ ସମ୍ପର୍କ ରଖିପାରିଥିଲେ। ବିଭିନ୍ନ ଗଡ଼ଜାତରେ ସେ ଦଓ୍ବୋନ ଭାବରେ କାର୍ଯ୍ୟ କରିଥିଲେ । ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷର ବିଭୀଷିକା
ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଥିଲା। ସମାଜର ଉନ୍ନତି ଓ ମାନବ ସେବା ତାଙ୍କ ବ୍ରତ ପାଲଟି ଗଲା। ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ତାଙ୍କ ଅବଦାନ ଅତୁଳନୀୟ।ସେ ଡାକମୁନ୍‌ସୀ, ରେବତୀ, ଲଛମା, ମାମୁ  ଆଦି ଗଳ୍ପ, ଉପନ୍ୟାସ ଆତ୍ମଜୀବନୀ ଆଦି ଅନେକ ରଚନା କରିଛନ୍ତି । ସେ ପ୍ରକୃତରେ ଓଡ଼ିଆ ସାହିତ୍ୟର ସେନାପତି।  କେନ୍ଦ୍ରାପଡ଼ା ଜିଲାର କୁସିନ୍ଦା ଗ୍ରାମରେ ଗୋଟିଏ କ୍ଷମତାଶାଳୀ ଖଣ୍ଡାୟତ ବଂଶ ଥିଲା । ସେମାନେ ଓଡ଼ିଶାର ଗଜପତିଙ୍କଠାରୁ ଭୂସମ୍ପତ୍ତି ପାଇଥିଲେ । ଏହି ବଂଶର ଜଣେ ଯୁବକ ହନୁ ମଲ୍ଲ ମହାରାଷ୍ଟ୍ର ସେନାପତିଙ୍କ ଅଧୀନରେ ବାଲେଶ୍ୱରରେ ପାଇକ ରୂପେ ନିଯୁକ୍ତ ହୋଇଥିଲେ । ତାଙ୍କୁ ମରହଟ୍ଟାମାନେ ‘ସେନାପତି’ ଉପାଧି ଦେଇଥିଲେ । ସେହି ଦିନଠାରୁ ତାଙ୍କର ‘ମଲ୍ଲ’ ଉପାଧି ଲୋପ ହୋଇ ‘ସେନାପତି ଉପାଧି ରହିଲା । ଫକୀରମୋହନଙ୍କର ବାଲେଶ୍ୱର  ସହର ମଲ୍ଲିକାଶପୁର ସ୍ଥିତ ବାସଭବନ ଏବେ ଜିଲା ପାଠାଗାରରେ ପରିଣତ ହୋଇଛି। ଯାହା ରାଜ୍ୟ ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ହେଉଛି । ପ୍ରତିବର୍ଷ ଜାନୁଆରୀ ୧୪ ତାରିଖରେ ଫକୀରମୋହନ ସାହିତ୍ୟ ପରିଷଦ ଦ୍ବାରା  ୩ ଦିନ ଧରି ତାଙ୍କର ଜୟନ୍ତୀ ବହୁ ଆଡମ୍ବରରେ ପାଳନ କରାଯାଏ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର:ବନ୍ଦେ ଉତ୍କଳ ଜନନୀ, ଚାରୁ ହାସମୟୀ, ଚାରୁ ଭାଷମୟୀ ଜନନୀ ଜନନୀ ଜନନୀ…। ଏହି ଲୋକପ୍ରିୟ  ସଙ୍ଗୀତର ରଚୟିତା ହେଉଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ତାଙ୍କ ଦେଶାତ୍ମବୋଧକ  କବିତା ବହୁଭାବରେ ଜାଗ୍ରତ କରିଥିଲା। ଭଦ୍ରକ- ଚାନ୍ଦବାଲି  ରାଜ୍ୟ ରାଜପଥର  ତହସିଲ ଛକଠାରୁ  ପ୍ରାୟ ୫କିମି ଦୂରରେ ପଡ଼େ ତାଳପଦା ଗାଁ। ଏହି ଗାଁରେ ରହିଛି କବିଙ୍କ ଜନ୍ମସ୍ଥାନ। ଗାଁ ଆରମ୍ଭରେ ରହିଛି  ମନମୋହନ ସହଯୋଗ ହାଇସ୍କୁଲ। ତା’ପରେ ତାରିଣୀ ମନ୍ଦିର। ଅନ୍ୟପାଖେ ସରକାରୀ ବାଳିକା ସ୍କୁଲ, ଟିକେ ଦୂରରେ ମା’ ବଡ଼ମ୍ବା ଠାକୁରାଣୀଙ୍କ ମନ୍ଦିର, ଶିବମନ୍ଦିର। ତେବେ ଗାଁର ମଧ୍ୟ ଭାଗରେ ରହିଛି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ  ବାସଭବନ। ସେ ୧୮୮୮ମସିହା ଡିସେମ୍ବର ୯ତାରିଖରେ ଜନ୍ମଲାଭ କରିଥିଲେ। ସେଦିନ ମାର୍ଗଶିର ଗୁରୁବାର ଥିବାରୁ ତାଙ୍କର ନାଁ ଲକ୍ଷ୍ମୀକାନ୍ତ ରଖାଯାଇଥିବା ଶୁଣାଯାଏ। ତାଙ୍କ ମାତାଙ୍କ ନାମ ରାଧାରାଣୀ ଦେବୀ, ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ। ଗ୍ରାମଦେବତୀଙ୍କ ମନ୍ଦିର ନିକଟରେ ଥିବା ବଉଳଗଛ ମୂଳେ ସେ ସାହିତ୍ୟ ସାଧନା କରିଥିଲେ। ଏବେ କବିଙ୍କ ସ୍ମୃତିରେ ଗାଁରେ ଏକ ପାଠାଗାର ରହିଛି। ସମୟକ୍ରମେ କାନ୍ତକବିଙ୍କ ସମାଧି ପୀଠର ଉନ୍ନତୀକରଣ ହୋଇଥିବା ବେଳେ କବିଙ୍କ ସ୍ମୃତି ମନ୍ଦିର ନିର୍ମିତ ହୋଇଛି। ସରକାରଙ୍କ ଦ୍ୱାରା ଆର୍ଥିକ ସହାୟତା ମଞ୍ଜୁର ହୋଇଛି। ଏଥିରେ କାନ୍ତ ମଣ୍ତପ ନିର୍ମିତ ହେବା ସହ ସମାଧି ପୀଠ ପର୍ଯ୍ୟନ୍ତ ଆଲୋକୀକରଣ  ପାଇଁ ବ୍ୟବସ୍ଥା ରହିଛି। କାନ୍ତକବିଙ୍କ ନାଁରେ ଡାକ ଟିକେଟ ପ୍ରଚଳନ ହୋଇଛି।
ପ୍ରତିବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କାନ୍ତକବି ସ୍ମୃତି କମିଟି ସହଯୋଗରେ କାନ୍ତକବିଙ୍କ ଜୟନ୍ତୀ ପାଳନ ହୋଇଥାଏ।
ସ୍ବଭାବ କବି ଗଙ୍ଗାଧର ମେହେର: ‘ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା।’  ସେହିପରି-‘ମାତୃଭୂମି ମାତୃ ଭାଷାର ମମତା ଯା’ହୃଦେ ଜନମି ନାହିଁ, ତାକୁ ଯେବେ  ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ  ରହିବେ କାହିଁ,’ ଏମିତି କାଳଜୟୀ କବିତାର ରଚୟିତା ହେଲେ ସ୍ବଭାବ କବି ଗଙ୍ଗାଧର ମେହେର। ସେ ବରଗଡ଼ ଜିଲା ବରପାଲିରେ ୧୮୬୨ ଅଗଷ୍ଟ ୯ତାରିଖ ଶ୍ରାବଣ ପୂର୍ଣ୍ଣିମା ତିଥିରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟର ଜଣେ ମହାନ୍‌ କବି । ଓଡ଼ିଆ କାବ୍ୟ ସାହିତ୍ୟକୁ ତାଙ୍କର ଅନେକ ଅବଦାନ ରହିଛି । ସେ ଅନେକ କାବ୍ୟ, କବିତା ରଚନା କରିଛନ୍ତି । ତାଙ୍କ ରଚିତ କାବ୍ୟ ମଧ୍ୟରେ ଇନ୍ଦୁମତି, କୀଚକ ବଧ, ତପସ୍ବିନୀ, ପ୍ରଣୟ ବଲ୍ଲରୀ, ରସ ରତ୍ନାକର, ମହିମା, କବିତା କଲ୍ଲୋଳ, ଅଯୋଧ୍ୟା ଦୃଶ୍ୟ, ବଳରାମ ଦେବ, ଉତ୍କଳ ଲକ୍ଷ୍ମୀ, ପଦ୍ମିନୀ, ମଧୁମୟ ଆଦି ରହିଛି । ସେହିପରି କବି ଗଙ୍ଗାଧର ଅହଲ୍ୟାସ୍ତବ, ଅର୍ଘ୍ୟଥାଳି, ଭକ୍ତି, ମଧୁମୟ, ମାତୃଭୂମି, ଅର୍ପଣ, ଭାରତ ଭାବନା, ସୁଭାବ ଓ ସ୍ବଭାବ, ବସନ୍ତ ବ୍ରତ ଆଦି କବିତା ଲେଖି ଯାଇଛନ୍ତି । ତାଙ୍କୁ ପ୍ରକୃତି କବି ମଧ୍ୟ କୁହାଯାଏ । ୧୯୨୪ ଏପ୍ରିଲ ୪ତାରିଖରେ କବିଙ୍କ ଦେହାନ୍ତ ହୋଇଥିଲା । କବିଙ୍କ କାବ୍ୟ, କବିତା ସମେତ କବିଙ୍କ କୁଟିର(କବି ଭବନ) ଆଜି ମଧ୍ୟ ତାଙ୍କ ସ୍ମୃତିଚାରଣ କରୁଛି। ସେହିପରି ବରପାଲି ସ୍ବର୍ଗଦ୍ୱାରରେ କବିଙ୍କ ସମାଧି ପୀଠ ନିର୍ମାଣ କରାଯାଇଛି । ତେବେ କବି ବ୍ୟବହାର କରୁଥିବା ଲେଖନୀ, ବହି, କୋଟ୍‌, କଠଉ, ଥାଳି, ହସ୍ତତନ୍ତ, ଖଟ, ଚଉକି, ପାଣ୍ଡୁଲିପି ଆଦି ଏବେ ମଧ୍ୟ କବି ଭବନରେ ରହିଛି । କିନ୍ତୁ ସେସବୁର ରକ୍ଷଣାବେକ୍ଷଣ ପାଇଁ ବର୍ତ୍ତମାନ ସୁଦ୍ଧା ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ । ଏକ ସଂଗ୍ରହାଳୟ  ନିର୍ମାଣ କରି ସେସବୁକୁ ରଖିବା ପାଇଁ ସାଧାରଣରେ ମତପ୍ରକାଶ ପାଇଛି । ସେହିପରି କବିଙ୍କ ଭବନର ଉନ୍ନତୀକରଣ ଯେଭଳି ହେବା କଥା, ତାହା ମଧ୍ୟ  ଏପର୍ଯ୍ୟନ୍ତ ହୋଇ ପାରି ନ ଥିବା ସ୍ଥାନୀୟ ଲୋକେ କହୁଛନ୍ତି।
ଏହି ବୀରପୁତ୍ରମାନଙ୍କ ବ୍ୟତିତ ଆହୁରି ବି  ଓଡ଼ିଶାର ବରପୁତ୍ର ଅଛନ୍ତି ଯେଉଁମାନଙ୍କର ଓଡ଼ିଆ ଭାଷା, ରାଜ୍ୟଗଠନ, ଦେଶ ସ୍ବାଧୀନତାରେ ରହିଛି ଅତୁଳୀୟ ଅବଦାନ  ।
-ବନବିହାରୀ ବେହେରା, ମାନସ ବିଶ୍ୱାଳ, କିଶୋରଚନ୍ଦ୍ର ମହାପାତ୍ର, ସନାତନ ରାଉତ, ଅରବିନ୍ଦ ଭୂୟାଁ, ୍‌ ପ୍ରେମାନନ୍ଦ ଖମାରୀ

Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri