ଶ୍ରଦ୍ଧାଙ୍କର ପୁଅ ଦାସିଆ ଓ ତା’ର ସାଙ୍ଗ ସାଲବେଗ ଦିନେ ଶ୍ରଦ୍ଧାଙ୍କୁ ପଚାରିଲେ ଏତେ ପ୍ରକାରର ଯାତ୍ରା କ’ଣ? ହିନ୍ଦୁ ଧର୍ମରେ ବାର ମାସରେ ତେର ଯାତ୍ରା ହେଉଛି। ଯଥା ରଥଯାତ୍ରା, ପାଦୁକାଯାତ୍ରା, ଚଭାଡ଼ି ଯାତ୍ରା, ଧନୁଯାତ୍ରା, ରୁକୁଣା ରଥ ଯାତ୍ରା, ଚନ୍ଦନ ଯାତ୍ରା ଇତ୍ୟାଦି । ଏହା ଆମକୁ କ’ଣ ସୂଚନା ଦିଏ। ଶ୍ରଦ୍ଧା ଦାସିଆର ମୁଣ୍ଡକୁ ଆଉଁଷି ଦେଇ କହିଲେ – ‘ଜୀବନ ଏକ ଯାତ୍ରା। କେତେକ ବର୍ଷ, ମାସ ଓ ଋତୁର। ମନୁଷ୍ୟ ଜାଗତିକ ଜୀବନଯାପନ, ବସ୍ତୁଗତ ପଦାର୍ଥ ହାସଲର ଯାତ୍ରାରେ ତା’ର ବିଶ୍ରାମ ସ୍ଥଳର ରାସ୍ତାକୁ ଭୁଲିଯାଇଥାଏ। ରଥଯାତ୍ରାଗୁଡ଼ିକ ତାହାକୁ ମନେପକାଇ ଦେଇଥାନ୍ତି।’
ଦାସିଆ କହିଲା, ଆମ ଘର ପାଖ ରାଧାମାଉସୀ କହୁଥିଲେ, ଅଗ୍ନି ସଂଯୋଗ ବିନା ବତି ଯେପରି ଜଳିପାରି ନଥାଏ, ଜୀବନ ଯାତ୍ରାରେ ଆଧ୍ୟାତ୍ମିକତାର ସଂଯୋଗ ବିନା ଜୀବନଯାତ୍ରା ସଫଳ ହୋଇପାରି ନ ଥାଏ। ଦାସିଆର ସାଙ୍ଗ ସାଲବେଗ କହିଲା, ଆମର ବିଜ୍ଞାନ ଶିକ୍ଷକ କହୁଥିଲେ ସୂର୍ଯ୍ୟଙ୍କର ଚତୁଃପାର୍ଶ୍ୱରେ ପୃଥିବୀ ଘୂରି ବୁଲିବା ବିନା ତା’ର ଯାତ୍ରା ସଫଳ ନ ହେଲେ ଦିନରାତି ହୋଇପାରି ନ ଥାଏ। ସେହିପରି ନିଜଠାରୁ ମହତ୍ତର ସତ୍ତା ଆଡ଼କୁ ଗତି କରିବାକୁ ଯାତ୍ରା କୁହାଯାଏ। ଶ୍ରଦ୍ଧା କହିଲେ, ମଣିଷ ଅନେକ ଯାତ୍ରା କରିଛି। ଅନେକ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଛି। ମାଇଲ ମାଇଲ ଯାତ୍ରା ଗତି କରି ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ଛି। କିନ୍ତୁ ଗନ୍ତବ୍ୟସ୍ଥଳୀ କୁହେ ତୋର ଆହୁରି ଅନେକ ଯାତ୍ରା ବାକି ଅଛି। ଗନ୍ତବ୍ୟସ୍ଥଳୀରେ ଆମେ ପୁରସ୍କାର ଖୋଜୁ। ଗୀର୍ଜାର ଘଣ୍ଟି, ମସ୍ଜିଦର ନମାଜର ସ୍ବର, ମନ୍ଦିରର ଘଣ୍ଟ, ମାର୍ଦ୍ଦଳ, ଶଙ୍ଖଧ୍ୱନି ସୂଚାଇ ଦିଏ ଯେ, ରେ ମାନବ କାମନା ବାସନାଶୂନ୍ୟ ଜୀବନରେ ହିଁ ଦୈବତ୍ୱ ନିହିତ। ହେଲେ ତୁ ଆଗେଇ ଚାଲ। ଜୀବନର ବିଶ୍ରାମସ୍ଥଳୀ ନିକଟକୁ। ହେଲେ ମନୁଷ୍ୟ ଯେତେବେଳେ ପଚାରେ ଆମେ ଏ ଯାତ୍ରାକୁ ଆସିଥିଲୁ କାହିଁକି? ଏହି ସମୟରେ ଯାତ୍ରାର ଭାସ୍ୟକାରର ସ୍ବର ଶୁଭେ ‘ରଥେତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ଲଭତେ।’ ସାଲବେଗ କହିଲା, ଏ ଉକ୍ତି କ’ଣ ମଣିଷର ମନ ଭରେ। ସେ ସମୁଦ୍ରକୂଳକୁ ଯାତ୍ରା କରେ। ଦାସିଆ ଶ୍ରଦ୍ଧାଙ୍କୁ ପଚାରିଲା, ତୁ ରଥଯାତ୍ରା ପରେ ସମୁଦ୍ର କୂଳକୁ କାହିଁକି ବୁଲାଇ ନେଉ? ମୁଁ ସମୁଦ୍ରର ନୀଳ ତରଙ୍ଗକୁ ଦେଖି ବିମୋହିତ ହୁଏ। ତରଙ୍ଗ ମତେ କୁହେ ମୁଁ କେତେବେଳଠାରୁ ଉପତ୍ନ୍ନ ହୋଇ କେତେ ପଥ ଗତି କରିଆସିଲିଣି। ନିଜକୁ ଭୁଲି ଯାଇଛି। ଏପରି କାହିଁକି ମୋ ଭିତରେ ଭାବନା ଆସେ? ଶ୍ରଦ୍ଧାଙ୍କର ମଧୁସୂଦନ ରାଓଙ୍କର ଉକ୍ତି ମନେପଡ଼େ, ସେ ଦାସିଆ ଓ ସାଲବେଗଙ୍କର ମୁଣ୍ଡକୁ ଆଉଁଷି କହନ୍ତି ‘ରେ ଆତ୍ମନ ନୀଦ୍ରା ପରିହରି ଫେଡ଼ି ଚିନ୍ତାର ଲୋଚନ, କର କର ନିରୀକ୍ଷଣ ନିଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁସିନ୍ଧୁ କରାଳ ଲହରି।’
ରଥଯାତ୍ରା ସାରି ସମୁଦ୍ର କୂଳରେ ଆତ୍ମ ଚିନ୍ତନ ସମୟରେ ମନୁଷ୍ୟ ହୃଦୟଙ୍ଗମ କରେ ଏଥରର ରଥଯାତ୍ରା ତା’ର ଜୀବନର ଶେଷ ଯାତ୍ରା ନୁହେଁ। ଅନେକ ଯାତ୍ରା ତା’ର ଜୀବନରେ ବାକି ଅଛି। ସେତେବେଳେ ତା’ର ମନେପଡ଼େ ଜାତସ୍ୟ ହିଁ ଧ୍ରୁବମୃତ୍ୟୁ। ମୃତ୍ୟୁକୁ ଜୟ କରିବାକୁ ରଥଯାତ୍ରାରେ ଯୋଗ ଦେଇଥିଲି। ସାଲବେଗ କହିଲା, ମୋର ମା’ ହାସିନା କହୁଥିଲେ, ହରି ହରି, ରାମ ରାମ, କୃଷ୍ଣ କୃଷ୍ଣ ତୁଣ୍ଡରେ ନ ଧରି ରଥରେ ନାଚି ନାଚି ବିଭୋର ନ ହୋଇ ଏ ଶରୀର ତ୍ୟାଗ ମୂଲ୍ୟହୀନ। ଏପରି ମନୁଷ୍ୟ କେବେ ବି ଅମୃତର ସନ୍ତାନ ହୋଇ ନ ପାରେ। ଶ୍ରଦ୍ଧା କହିଲେ, ମହାପ୍ରଭୁ କେଉଁ ଭକ୍ତର ଆବେଗ, କେଉଁ ଶବରୀର ପ୍ରତୀକ୍ଷା, କେଉଁ ଭକ୍ତର ଡାକ ଶୁଣି ଶ୍ରୀମନ୍ଦିର ପରିତ୍ୟାଗ କରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ତାହା କହି ହେବନାହିଁ। ଦାସିଆ ଓ ସାଲବେଗ ଏକ ସ୍ବରରେ କହିଲେ, ପ୍ରଭୁ ଯେତେବେଳେ ସୁଯୋଗ ଦେଉଛନ୍ତି ତା’ର ସଦୁପଯୋଗ ଆମେ କରିବୁ। ତାଙ୍କର ପାଦୁକା ଯାତ୍ରାରେ ତାଙ୍କ ପୟରରେ ମଥାକୁ ରଖି ତୁଣ୍ଡରେ ହରିନାମ ଧରି ଜୀବନଯାତ୍ରାକୁ ସଫଳ କରିବୁ। ଶ୍ରଦ୍ଧା କହିଲେ, ଚାଲ ଆମେ ସମସ୍ତେ ମିଶି ପ୍ରାର୍ଥନା କରି ରଥଯାତ୍ରାରେ ଯୋଗଦେବା। ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ ପୁନଶ୍ଚ ଆମ ଜୀବନର ଯାତ୍ରା ନ ହେଉ ବୋଲି ପ୍ରାର୍ଥନା କରିବା। ଚିରନ୍ତନ ବିଶ୍ରାମସ୍ଥଳୀ ପାଇଁ ପ୍ରାର୍ଥନା କରିବା ଓ ଆନନ୍ଦରେ ନିଜକୁ ଭରିଦେବା।
ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସିଡିଏ, କଟକ ମୋ : ୯୬୯୨୯୮୦୦୨୬