ସୁନ୍ଦରଗଡ଼,୬।୧(ଡି.ଏନ୍.ଏ.): ଦୀର୍ଘ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କୌଣସି କାରଣ ନ ଦର୍ଶାଇ କାର୍ଯ୍ୟ କ୍ଷେତ୍ରରେ ଅନୁପସ୍ଥିତ ଥିବା ସୁନ୍ଦରଗଡ଼ ଜିଲାର ୨ଜଣ ଶିକ୍ଷକ ଚାକିରିରୁ ବିଦା ହୋଇଛନ୍ତି। ଜିଲାର ବଣାଇ ବ୍ଲକର ଗୋପୀନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସତ୍ୟଭାମା ସାହୁ ଗତ ୨୦୧୬ ଜୁଲାଇ ୧୬ରୁ ୨୦୨୨ ଡିସେମ୍ବର ୨୨ପର୍ଯ୍ୟନ୍ତ କୌଣସି କାରଣ ନ ଦର୍ଶାଇ କାର୍ଯ୍ୟରେ ଅନୁପସ୍ଥିତ ଥିଲେ। ଏଥିଯୋଗୁ ତାଙ୍କୁ ବଣାଇ ଶିକ୍ଷା ଅଧିକାରୀ ଓଡ଼ିଶା ସିଭିଲ ସାର୍ଭିସ ରୁଲ ଅନୁଯାୟୀ ଚାକିରୀରୁ ବହିଷ୍କାର କରିଛନ୍ତି। ସେହିପରି ଲାଠିକଟା ବ୍ଲକର ସାନମରେନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ଗତ ୨୦୧୭ ଜାନୁୟାରୀ ୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ କାରଣ ନ ଦର୍ଶାଇ କାର୍ଯ୍ୟରେ ଅନୁପସ୍ଥିତ ଥିବା ଇନ୍କ୍ୟୁଆରୀ ରିପୋର୍ଟ ଓ ରେକର୍ଡରୁ ଜଣାପଡିବା ପରେ ତାଙ୍କୁ ମଧ୍ୟ ଚାକିରୀରୁ ବହିଷ୍କାର କରାଯାଇଛି। ଏହି ଘଟଣାର ତଦନ୍ତ କରି ବଣାଇ ଓ ଲାଠିକଟା ବ୍ଲକ ଶିକ୍ଷା ଅଧିକାରୀ ଏହି ଦୁଇ ଜଣ ଶିକ୍ଷକଙ୍କୁ ବହିଷ୍କାର କରିଛନ୍ତି। ସେହିପରି ଜିଲାର ୭ଜଣ ଶିକ୍ଷା ସହାୟକ ମଧ୍ୟ କାରଣ ନ ଦର୍ଶାଇ ଅନୁପସ୍ଥିତ ରହିଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।