ଖଇରା,୨୭ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପ ସମସ୍ତ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇପାରୁନାହିଁ। ପାହାଡ଼ ପାଦଦେଶରେ ଥିବା ଏହି ଅଞ୍ଚଳରେ ଜଳସ୍ତର ବହୁ ତଳେ ଥିବାରୁ ଠିକ୍ ଭାବେ ପମ୍ପିଂ ହୋଇପାରୁନି। ଉପରମୁଣ୍ଡର ଲୋକେ ପାଣିର ଅପଚୟ କରୁଥିବା ଯୋଗୁ ତଳମୁଣ୍ଡରେ ଥିବା ଶତାଧିକ ପରିବାର ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ କଲୋନୀ ସାହି, ଆମ୍ବହତା ଓ ଗଡ଼ସାହିର ବାସିନ୍ଦା ଦାବି କରିଛନ୍ତି।
ଉକ୍ତ ପ୍ରକଳ୍ପ ଉପରେ ପାଖାପାଖି ୧ହଜାର ପରିବାର ପାନୀୟ ଜଳ ପାଇଁ ନିର୍ଭର କରିଥାନ୍ତି। ଗ୍ରୀଷ୍ମଋତୁରେ ଏହି ପାହାଡିଆ ଅଞ୍ଚଳରେ ଜଳ ୭୫ମିଟର ତଳକୁ ଖସିଯାଇଥାଏ। ଏହି କାରଣରୁ ଚଳିତବର୍ଷ ମଧ୍ୟ ଜଳର ପ୍ରେସର ଠିକ୍ ଠାକ୍ ରହୁ ନ ଥିବାରୁ ସଂରକ୍ଷଣ ପାଇଁ ନିର୍ମିତ ଟାଙ୍କି ପ୍ରାୟ ଖାଲିପଡୁଛି ା ଏଣୁ ପାଣି ସିଧାସଳଖ ପମ୍ପରୁ ଉଠାଇ ବିଭିନ୍ନ ଗ୍ରାମକୁ ଯୋଗାଇ ଦିଆଯାଉଛି। ହେଲେ ଉପର ମୁଣ୍ଡରେ ଥିବା ଗ୍ରାମବାସୀ ଜଳକୁ ନିଜ ବାଡ଼ିବଗିଚା, ରବି ଫସଲ, ଶାଗମନ୍ଦାକୁ ମଡ଼ାଇ ଅଯଥା ଅପଚୟ କରୁଥିବା କାରଣରୁ ତଳମୁଣ୍ଡରେ ପାଣି ପହଞ୍ଚି ପାରୁ ନ ଥିବା ତଳମୁଣ୍ଡର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଶେଷକରି କଲୋନୀସାହିରେ ପାଣି ପାଇଁ ଏବେ ହାହାକାର ପଡ଼ିଯାଇଛି। ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା ଆଉଟପୋଷ୍ଟ ଟ୍ୟାପ ଗୁଡ଼ିକରେ କଳଗୁଡ଼କୁ ଯେତେଥର ନୂଆ ଲଗାଯାଉଛି କେତେଜଣ ବ୍ୟକ୍ତି ବାଡିକୁ ପାଣି ନେବାକୁ ଏଗୁଡିକୁ ଭାଙ୍ଗି ନଷ୍ଟ କରୁଥିବା କୁହାଯାଉଛି। ଏଥିପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଶାନ୍ତିଲତା ନାହାକ, ବାସନ୍ତୀଲତା ନାହାକ, ପାଗଳ ନାହାକ, ନନ୍ଦ ନାହାକ ଓ ଝରଣା ନାହାକ ପ୍ରମୁଖ ଦାବି କରିଛନ୍ତି ା ଖରାଦିନେ ଘରୋଇ ନଳକୂପଗୁଡିକ ଅଚଳ ହୋଇ ପଡୁଥିବାରୁ ବାଧ୍ୟ ହୋଇ ସେମାନେ ସାହିଠାରୁ ଦୂରରେ ଥିବା ସୋଲାର ପମ୍ପରୁ ପାଣି ଆଣିବାକୁ ପ୍ରତିଯୋଗିତା କରୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବାସନ୍ତୀ ମହାନ୍ତିଙ୍କୁ ଯୋଗାଯୋଗ କରାଯିବାରେ ସେ ମଧ୍ୟ ସମାନ ଅଭିଯୋଗ ଆଣି ଯେତେଥର ନୂତନ ଭାବେ ଟ୍ୟାପଗୁଡିକ ଲଗାଯାଉଛି କିଛି ଦିନ ଭିତରେ ସେଗୁଡିକୁ ନଷ୍ଟ କରିଦିଆଯିବା ଏବଂ ପାନୀୟ ଜଳ ଅପବ୍ୟବହାର ପାଇଁ ଲୋକମାନଙ୍କୁ ଠିକ୍ ଭାବେ ଜଳବଣ୍ଟନ କରାଯାଇ ପାରୁ ନ ଥିବା କହିଛନ୍ତି ା ଏଥିପାଇଁ ପଞ୍ଚାୟତ ଉପରେ ଅଧିକ ଚାପ ପଡୁଥିବା ସେ ଉଲ୍ଲେଖ କରୁଛନ୍ତି ା