Categories: Uncategorized

ମହିଳା ଟ୍ରାଫିକ୍‌ କନଷ୍ଟେବଳଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ୱର,୯।୨(ବ୍ୟୁରୋ): କାର୍ଯ୍ୟ ସମ୍ପାଦନ କରୁଥିବା ଦୁଇ ମହିଳା କନଷ୍ଟେବଳଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେ ହେଲେ ଶହୀଦନଗର ଥାନା ଅଧୀନ ଆଚାର୍ଯ୍ୟ ବିହାର ଅଞ୍ଚଳରେ ରହୁଥିବା କନ୍ଧମାଳ ଜିଲା ଟିକନବାଲି ଥାନା ଅନ୍ତର୍ଗତ ବସ୍ତିଙ୍ଗିଆ ଗ୍ରାମର ଆଶିଷ ଦିଗଲ (୨୪)।
ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ମହିଳା ଟ୍ରାଫିକ୍‌ କନଷ୍ଟେବଳ ସୁନିତା ଭୋଇ ଏବଂ ଚିନ୍ମୟୀ ପ୍ରଧାନ ଜାଭିୟର୍‌ ଛକରେ ଡିଉଟି କରୁଥିଲେ। ଏହି ସମୟରେ ଆଶିଷ ସେଠାକୁ ଆସି ପ୍ରାୟ ୧ ଘଣ୍ଟା କାଳ ତାଙ୍କୁ କମେଣ୍ଟ କରିଥିଲେ। ଉଭୟେ ଆଶିଷଙ୍କୁ ବିରୋଧ କରିବାରୁ ସେ ପଳାଇ ଯାଇଥିଲେ। ପୁଣି କିଛି ସମୟ ପରେ ଆଶିଷ ସେଠାକୁ ଆସି ସୁନିତା ଓ ଚିନ୍ମୟୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଉଭୟେ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଟ୍ରାଫିକ୍‌ ଜାମ୍‌ ହୋଇଯିବାରୁ ଆଶିଷ ସେଠାରୁ ଖସି ଯାଇ ପାରି ନ ଥିଲେ। ଉଭୟେ ତାଙ୍କୁ କାବୁ କରି ପିସିଆର୍‌କୁ ଖବର ଦେଇଥିଲେ। ସୁନିତାଙ୍କ ଅଭିଯୋଗକ୍ରମେ ପୋଲିସ ଦଫା ୩୫୩, ୫୦୯, ୩୫୪ ଆଇପିସିରେ ଏକ ମାମଲା (ନଂ. ୬୨/୨୨) ରୁଜୁ କରି ତଦନ୍ତ କରିଥିଲା।