ବାଲିଗୁଡ଼ା,୩ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳର ଜଣେ ମୁସଲମାନ ଯୁବକ ହିନ୍ଦୁ ଦେବଦେବୀଙ୍କ ପ୍ରତି ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବାଲିଗୁଡ଼ାରେ ଚାପା ଉତ୍ତେଜନା ଦେଖାଦେଇଛି। ସମ୍ପୃକ୍ତ ଯୁବକଙ୍କୁ ତୁରନ୍ତ ଗିରଫ ଦାବିରେ କନ୍ଧମାଳ ହିନ୍ଦୁ ସଙ୍ଗଠନ ପକ୍ଷରୁ ସହରରେ ପିକେଟିଂ କରି ରବିବାର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିଲା। ଏହାକୁ ସ୍ଥାନୀୟ ଜନସାଧାରଣ ମଧ୍ୟ ସମର୍ଥନ କରିଥିଲେ। ଫଳରେ ଆନ୍ଦୋଳନ ଉଗ୍ର ରୂପ ନେବାର ଆଶଙ୍କା ରହିଛି। ଯୁବକଙ୍କୁ ଗିରଫ କରା ନ ଗଲେ ରାଜ୍ୟ ବ୍ୟାପୀ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ହିନ୍ଦୁ ପୁତ୍ର ସଙ୍ଗଠନ ନେତା ସୁରେଶ କୁମାର ପତି ଚେତାବନୀ ଦେଇଛନ୍ତି। ଏତଲାକୁ ଭିତ୍ତି କରି ବାଲିଗୁଡ଼ା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା ଆରମ୍ଭ କରିଛି।