Categories: ଜାତୀୟ

ସୋସିଆଲ ମିଡିଆର ଦୁରୁପଯୋଗ ଚିନ୍ତାଜନକ

ନୂଆଦିଲ୍ଲୀ,୧୨ା୪(ପି.ଟି.):ବିଚାରାଧୀନ ମାମଲା ଉପରେ ବିଭିନ୍ନ ବାର୍ତ୍ତା, ମନ୍ତବ୍ୟ ଓ ନିବନ୍ଧ ପୋଷ୍ଟିଂ ପାଇଁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକର ବ୍ୟାପକ ଦୁରୁପଯୋଗ ଗମ୍ଭୀର ଚିନ୍ତାଜନକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ରାୟ ସଂରକ୍ଷିତ ଥିବା ଏକ ମାମଲା ସମ୍ପର୍କରେ ଆସାମ ବିଧାୟକ କରିମ ଉଦ୍ଦିନ ବାରଭୁୟାଁ ଫେସ୍‌ବୁକ୍‌ରେ ବିଭ୍ରାନ୍ତିକର ପୋଷ୍ଟିଂ କରିଥିବାରୁ ତାଙ୍କ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ନେବା ଅବସରରେ ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ଏବଂ ବେଲା ତ୍ରିବେଦୀଙ୍କ ଖଣ୍ଡପୀଠ ଏଭଳି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଯେକୌଣସି ଦୋଷାରୋପ ବା ସମାଲୋଚନାକୁ ସହ୍ୟ କରିବା ପାଇଁ ଯଦିଓ ଆମର କାନ୍ଧ ପ୍ରଶସ୍ତ, ତେବେ ମତବ୍ୟକ୍ତ କରିବାର ସ୍ବାଧୀନତା ଅଧିକାର ଆଳରେ କୋର୍ଟରେ ବିଚାରାଧୀନ ମାମଲା ଉପରେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ମନ୍ତବ୍ୟ ଦେବା ବା ପୋଷ୍ଟ କରିବା, କୋର୍ଟ କର୍ତ୍ତୃତ୍ୱକୁ ଅଣଦେଖା କରିବା ବା ବିଚାର ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଏକ ଧାରାରେ ପରିଣତ ହୋଇଗଲାଣି। ଏହା ଗମ୍ଭୀର ବିଚାରବିମର୍ଶର ବିଷୟ ବୋଲି ଖଣ୍ଡପୀଠ କହିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି, ଆଇନଜୀବୀମାନେ ଯୁକ୍ତି ଉପସ୍ଥାପନ କଲା ବେଳେ ବିଚାରପତି ପକ୍ଷଙ୍କ ସପକ୍ଷରେ ବା ବିପକ୍ଷରେ ପ୍ରତିକ୍ରିୟା ପ୍ରକାଶ କରିବା ସାଧାରଣ ଘଟଣା। ତେବେ ଏହା ଉପରେ ସୋସିଆଲ ମିଡିଆରେ ପୋଷ୍ଟ କରି ବା ମନ୍ତବ୍ୟ ଦେଇ ତଥ୍ୟକୁ ବିକୃତ କରିବା କିମ୍ବା ବିଚାର ପ୍ରକ୍ରିୟାର ଠିକ୍‌ ତଥ୍ୟକୁ ପ୍ରକାଶ ନ କରିବା ଅଧିକାର କୌଣସି ପକ୍ଷ କିମ୍ବା ସେମାନଙ୍କ ଓକିଲଙ୍କୁ ଦିଆଯାଇ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

Share