ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର, ପିଲାଙ୍କ ଚାଉଳ ବିକ୍ରି ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ମାଡ଼

ବାଲିଗୁଡ଼ା,୧୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସୁଡ୍ରା ଗ୍ରାମର ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ପ୍ରଧାନ ଶୁକ୍ରବାର ରାତିରେ ଉକ୍ତ ବିଦ୍ୟାଳୟର ଦୁଇ ମହିଳା ରୋଷେୟାଙ୍କୁ ବିଦ୍ୟାଳୟର ପଛ ପାଖ ଗେଟ୍‌ରେ ଡାକି ଦୀର୍ଘ ସମୟ ରଖିବା, ବିଭିନ୍ନ ସମୟରେ ମହିଳା ସିସିଏକୁ ଅଶ୍ଳୀଳ ବ୍ୟବହାର କରିବା ଓ ଚାଉଳ ବିକ୍ରି କରିବା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନ ନେବାରୁ ଶୁକ୍ରବାର ରାତିରେ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ସାଧାରଣ ଲୋକ ଆଇନକୁ ହାତକୁ ନେଇଛନ୍ତି। ବିଦ୍ୟାଳୟ ପରିସରରେ ଛାତ୍ରୀ ହଷ୍ଟେଲ ରହିଥିବା ବେଳେ ପ୍ରଧାନ ଶିକ୍ଷକ ମହିଳା ରୋଷୟାଙ୍କୁ ରାତିରେ ସ୍କୁଲକୁ ଡାକିବାକୁ ନେଇ ଗ୍ରାମବାସୀ ଶୁକ୍ରବାର ରାତିରେ ଛପି ରହିଥିଲେ। ଏହି ସମୟ ମଧ୍ୟରେ ଦୁଇ ରୋଷେୟା ପଛ ପାଖ ଗେଟ୍‌ରେ ବାହାରୁଥିବା ବେଳେ ଲୋକେ ପ୍ରଧାନଶିକ୍ଷକଙ୍କୁ ଟାଣି ଆଣି ବଜାର ମଧ୍ୟରେ ଚଲାଇ ଚଲାଇ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହେଉଛି। କୁଆଡେ ସ୍କୁଲ କର୍ମଚାରୀ ଓ ପରିଚାଳନା କମିଟିର ହାତ ଥିବା ମଧ୍ୟ ଅଭିଯୋଗ ହୋଇଛି। ପ୍ରଧାନଶିକ୍ଷକ ଶାନ୍ତନୁଙ୍କୁ ଲୋକେ ବାରଖମା ଫାଣ୍ଡିରେ ନେଇ ପୋଲିସ ଜିମା ଦେଇଥିଳେ। ଏହି ବିଦ୍ୟାଳୟରେ ଶାନ୍ତନୁ ୭ବର୍ଷ ହେଲା ରହିଥିବା ବେଳେ ତାଙ୍କ ବିରୋଧରେ ସ୍ଥାନୀୟ ମଙ୍ଗଳ ଅଧିକାରୀ, ଉପଖଣ୍ଡ ମଙ୍ଗଳ ଅଧିକାରୀ ଓ ଜିଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା କହିଛନ୍ତି ସ୍କୁଲ ପରିଚାଳନା କମିଟି ସଭାପତି ସୁଦାମ ମଲ୍ଲିକ ଓ ସ୍ଥାନୀୟ ସରପଞ୍ଚ ସରୋଜିନୀ ମଲ୍ଲିକ। ଏ ନେଇ ପ୍ରଧାନଶିକ୍ଷକ କହିଛନ୍ତି, ତାଙ୍କୁ ଦୀର୍ଘଦିନ ହେଲା କିଛି ଲୋକ ଯୋଜନା ବଦ୍ଧ ଭାବେ ବିରୋଧ କରି ଆସୁଛନ୍ତି ଓ ଆକ୍ରମଣ ଉଦ୍ୟମ କରିଛନ୍ତି। ଶୁକ୍ରବାର ରୋଷେୟା ମହିଳାମାନଙ୍କୁ ଅଫିସ କାମ ପାଇଁ ଡାକିଥିବା ବେଳେ ମୋତେ ଏ ଭଳି ମରଣାତ୍ମକ ଆକ୍ରମଣ କରାଯାଇଥିଲା। ଏ ସମ୍ପର୍କରେ ଥାନାରେ ମୁଁ ମୋ’ ଜୀବନ ପ୍ରତି ବିପଦ ଥିବା ନେଇ ଲିଖିତ ଏତଲା ଦେଇଛି। ସେପଟେ ସ୍କୁଲ ପରିଚାଳନା କମିଟି ସଭାପତି ସୁଦାମ ମଲ୍ଲିକ ମଧ୍ୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ପୂର୍ବରୁ ସିସିଏକୁ ଅଶ୍ଳୀଳ ବ୍ୟବହାର, ସ୍କୁଲ ଚାଉଳ ବିକ୍ରି ଓ ବିଭିନ୍ନ ସମୟରେ ସ୍କୁଲ ପରିଚାଳନା କମିଟିକୁ ଅଶ୍ଳୀଳ ବ୍ୟବହାର କରିବା ଅଭିଯୋଗ କରି ଏତଲା ଦେଇଛନ୍ତି। ବର୍ତ୍ତମାନ ଘଟଣାକୁ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି। ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏକ ନିରପେକ୍ଷ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

Share