Categories: Uncategorized

ଯୁବତୀଙ୍କୁ ଅସଦାଚରଣ, ହତ୍ୟା ଉଦ୍ୟମ: ଅଭିଯୁକ୍ତ ଗିରଫ

ବ୍ରହ୍ମପୁର,୮ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ଅସଦାଚରଣ ଏବଂ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ତ୍ରିବେଣୀନଗରର ଅଜୟ କୁମାର ମହାରଣା(୨୩)। ଅସଦାଚରଣ ଘଟଣାରେ ଅଜୟଙ୍କୁ ସହଯୋଗ କରିଥିବା ୨ ନାବାଳିକାଙ୍କୁ ପୋଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରିଥିଲା। ପରେ ସେମାନଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତ ଅଜୟଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଅଭିାଯୋଗ ମୁତାବକ, ଜୟପୁର ଅଞ୍ଚଳର ଜଣେ ଯୁବତୀ ବ୍ରହ୍ମପୁର ବଡ ବଜ଼ାର ଅଞ୍ଚଳରେ ଘରଭଡ଼ା ନେଇ ଉପର ମହଳାରେ ରହୁଥିଲେ। ତଳେ ଘର ମାଲିକଙ୍କ ନାବାଳିକା ଝିଅ ଓ ତାଙ୍କ ସାଙ୍ଗ ଅଜୟ ରହୁଥିଲେ। ଗତ ୫ତାରିଖ ରାତିରେ ଯୁବତୀ ଜଣକ ଘରକୁ ଫେରିବା ବେଳେ ବାହାରେ ଅଜୟ ତାଙ୍କୁ ଅସଦାଚରଣ କରିଥିଲେ। ଯୁବତୀ ଜଣଙ୍କ ଏହାର ପ୍ରତିବାଦ କରିଥିଲେ। ହେଲେ ସମ୍ପୃକ୍ତ ଦୁଇ ନାବାଳିକା ମଧ୍ୟ ଯୁବତୀଙ୍କୁ ମାଡ଼ ମାରିଥିଲେ। ପରେ ଅଜୟ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଯୁବତୀ ଜଣଙ୍କ ଚିତ୍କାର କରିବାରୁ ତାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରାଯାଇଥିଲା ବୋଲି ଯୁବତୀ ଜଣକ ଥାନାରେ ଏତଲା ଦେଇଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୩୭୯/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ୨ ନାବାଳିକାଙ୍କୁ ଧରିଥିଲା। ପରେ ଅଜୟଙ୍କୁ ମଧ୍ୟ ସେଠାରୁ କାବୁ କରିଥିଲା। ସୋମବାର ପୀଡ଼ିତାଙ୍କ ବୟାନ କୋର୍ଟରେ ରେକର୍ଡ କରାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ପ୍ରକାଶ କରିଛନ୍ତି।