ଭଦ୍ରକ ଅଫିସ, ୨୫।୯: ଭଦ୍ରକ ଜିଲା ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଜଣେ ଯୁବକଙ୍କୁ ଦୁର୍ବ୍ୟବହାର କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବକ ଜଣଙ୍କ ଏକ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ବିଷୟରେ ବୁଝିବା ପାଇଁ ତହସିଲ କାର୍ଯ୍ୟାଳୟକୁ ଆସିଥିଲେ। ସେ ବାରମ୍ବାର ତହସିଲ ଅଫିସ୍କୁ ଏ ସମ୍ପର୍କରେ ବୁଝିବାକୁ ଆସୁଥିବାରୁ ତହସିଲଦାର ସୂତାର ବିରକ୍ତି ହୋଇ ତାଙ୍କୁ ପୋଲିସରେ ଦେବେ ବୋଲି ଧମକ ଦେଉଛନ୍ତି। ଏଥିସହ ଗାଳିଗୁଲଜ କରି ତାଙ୍କୁ ଧକ୍କା ମାରିଛନ୍ତି। ଘଟଣାଟି ଏଇ କିଛିଦିନ ତଳେ ଘଟିଥିବାର ଅନୁମାନ କରାଯାଉଛି। ତେବେ ଏ ସମ୍ପର୍କରେ ତହସିଲଦାର ସୂତାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏନେଇ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର କହିଛନ୍ତି, ଭିଡିଓଟି ଦେଖିବା ପରେ ଘଟଣାର ତଦନ୍ତ ଦାୟିତ୍ୱ ଅତିରିକ୍ତ ଜିଲାପାଳଙ୍କୁ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।