ଖାଲିପଡ଼ିଥିବା ଏକାଡେମୀ ପଦବୀ ପୂରଣ ହେବ: ସଭାପତି, ଉପସଭାପତି ଦୌଡ଼ରେ ରହିବେନି ୬୦ରୁ କମ୍‌ ବୟସ୍କ ବ୍ୟକ୍ତି

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ସମସ୍ତ ଏକାଡେମୀର ଖାଲି ପଦପଦବୀ ପୂରଣ ହେବ। ଏନେଇ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି, ଉପସଭାପତି ଓ ସଚିବ, ଓଡ଼ିଶା ଲଳିତକଳା ଏକାଡେମୀର ଉପସଭାପତି ଓ ସଚିବ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଓ ଉପସଭାପତି ଏବଂ ଓଡ଼ିଶା ଉର୍ଦ୍ଦୁ ଏକାଡେମୀରେ ସଚିବ ପଦବୀରେ ନୂଆ ନିଯୁକ୍ତି କରାଯିବ। ଏସବୁ ପଦବୀ ପାଇଁ ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଚାରୁ ଓ କାରୁକଳା, ଚିତ୍ରକଳା, ସ୍ଥାପତ୍ୟ, ନାଟ୍ୟ ଓ ସଙ୍ଗୀତ, ଉର୍ଦ୍ଦୁ ଭାଷା ଓ ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତିବିଶେଷମାନେ ଏଥିଲାଗି ଆବେଦନ କରିପାରିବେ। ଆସନ୍ତା ୧୧ତାରିଖ ଅପରାହ୍ନ ୫ଟା ସୁଦ୍ଧା ଇଚ୍ଛୁକ ପ୍ରାର୍ଥୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିକଟରେ ଆବେଦନ କରିପାରିବେ ବୋଲି କୁହାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ସମସ୍ତ ଏକାଡେମୀରେ ସଭାପତି ଓ ଉପସଭାପତି ପଦବୀ ପାଇଁ ଆବେଦନକାରୀଙ୍କ ବୟସ ୬୦ ବର୍ଷରୁ କମ୍‌ ଓ ୮୦ବର୍ଷରୁ ଅଧିକ ହୋଇ ନ ଥିବା ଆବଶ୍ୟକ। ପୂର୍ବରୁ ଏହି ପଦବୀ ପାଇଁ ୬୦ବର୍ଷରୁ କମ୍‌ ବୟସ୍କମାନେ ଆବେଦନ କରିପାରୁଥିଲେ। ତେବେ ଆବେଦନ କରୁଥିବା ବ୍ୟକ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ କଳା କ୍ଷେତ୍ରରେ ଲବ୍ଧ ପ୍ରତିଷ୍ଠିତ ହୋଇଥିବା ଆବଶ୍ୟକ। ଏକାଡେମୀଗୁଡ଼ିକର ସଚିବ ପଦବୀ ପାଇଁ ଆବେଦନ କରୁଥିବା ବ୍ୟକ୍ତି ୪୫ରୁ କମ୍‌ ଏବଂ ୬୫ବର୍ଷରୁ ଉର୍ଦ୍ଧ୍ୱ ହୋଇ ନ ଥିବା ଆବଶ୍ୟକ। ଓଡ଼ିଶା ଲଳିତକଳା ଏକାଡେମୀର ଉପସଭାପତି ପଦବୀ ପାଇଁ ଆବେଦନକାରୀ ଦୃଶ୍ୟକଳା, ଚାରୁ ଓ କାରୁକଳା, ଚିତ୍ରକଳା କିମ୍ବା ସ୍ଥାପତ୍ୟ କ୍ଷେତ୍ରରେ ଖ୍ୟାତିସମ୍ପନ୍ନ ହୋଇଥିବା ଆବଶ୍ୟକ। ସେହିଭଳି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଓ ଉପସଭାପତି ପଦବୀ ପାଇଁ ଆବେଦନକାରୀଙ୍କର ନୃତ୍ୟ, ସଙ୍ଗୀତ କିମ୍ବା ନାଟକ ଭଳି କ୍ଷେତ୍ରରେ ଖ୍ୟାତି ରହିଥିବା ଓ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପାଇଁ ସଚିବ ପଦବୀ ପାଇଁ ଉର୍ଦ୍ଦୁ ଭାଷା ଓ ସାହିତ୍ୟରେ ଆଗ୍ରହ ରଖିଥିବା ବ୍ୟକ୍ତି ଆବେଦନ କରିପାରିବେ ବୋଲି ବିଭାଗ ସ୍ପଷ୍ଟ କରିଛି।

Share