‘ଛାଡ଼ପତ୍ରକୁ ସ୍ବୀକାର କରନ୍ତୁ ବର୍ଷା’

କଟକ,୧୧।୧୦(କାର୍ତ୍ତିକ ସାହୁ): କୌଣସି ପ୍ରକାର ଚରିତ୍ର ସଂହାର କରିବାର ଉଦ୍ଦେଶ୍ୟ ମୋର ନାହିଁ। ଏ ଭିଡିଓ ମୁଁ ସମ୍ମାନର ସହ ସୁଟ୍‌ କରୁଛି। ମୋ ବାପା ବହୁତ କଷ୍ଟରେ ଅଛନ୍ତି। ପରିବାରର କେହି ଶୋଇବି ପାରୁ ନାହାନ୍ତି। ଆମ ପରିବାର ତରଫରୁ ଅନୁରୋଧ କରୁଛୁ ଆପଣ ଛାଡ଼ପତ୍ରକୁ ସ୍ବୀକାର କରନ୍ତୁ। ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ପୁଣି ଏକ ଭିଡିଓ ଜାରି କରି ବର୍ଷା ପ୍ରିୟଦର୍ଶିନୀଙ୍କୁ ନିବେଦନ କରିଛନ୍ତି। ଏଥିସହିତ ଏହି ପୋଷ୍ଟକୁ ନେଇ କୌଣସି ଥଟ୍ଟମଜା ନ କରିବାକୁ ଅନୁଭବ ମଧ୍ୟ କହିଛନ୍ତି।
ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଅତ୍ୟନ୍ତ ଦୁଃଖ ତଥା ଆବେଗର ସହ ଭିଡିଓ ଜରିଆରେ ନିଜର ସମସ୍ୟା ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷାଙ୍କୁ କହିଛନ୍ତି। ଅନୁଭବ କହିଛନ୍ତି, ମୋ ବାପାଙ୍କ ଦେହ ଅସୁସ୍ଥ। ଘରେ ପାଳିଥିବା ପଶୁର ଦେହ ମଧ୍ୟ ଅସୁସ୍ଥ। ବାପାଙ୍କ କିଡ୍‌ନୀ ଡାଏଲିସିସ୍‌ ହେଉଛି। ବାପା ହୋସ୍‌ରେ ରହୁନାହାନ୍ତି। କାହାରିକୁ ଚିହ୍ନି ପାରୁନାହାନ୍ତି। ରାତିରେ ବାପା ଶୋଇପାରୁ ନାହାନ୍ତି। ବାପା ଶୋଇପାରୁ ନ ଥିବାରୁ ମା’ ମଧ୍ୟ ଶୋଇପାରୁ ନାହାନ୍ତି। ଆଉ ବାପାମାଆ ଶୋଇ ନ ପାରିଲେ ପୃଥିବୀରେ କୌଣସି ପୁଅ ବା ଝିଅ କେବେ ଶୋଇ ପାରିବେ ନାହିଁ। ସେ ପୂର୍ବରୁ ମଧ୍ୟ ଟୁଇଟର ଜରିଆରେ ବର୍ଷାଙ୍କୁ ଅନୁରୋଧ କରିଥିଲେ ସ୍ବାମୀସ୍ତ୍ରୀ ଭାବରେ ରହିପାରିଲେ ନାହିଁ, ଭଲ ବନ୍ଧୁ ଭାବରେ ସାରା ଜୀବନ ରହିବାକୁ। ହେଲେ ବର୍ଷା ଏହାର କୌଣସି ଉତ୍ତର ରଖି ନ ଥିଲେ। ଓଲଟି ଅନୁଭବଙ୍କ ଆକାଉଣ୍ଟକୁ ବର୍ଷା ବ୍ଲକ୍‌ କରିଦେଇଥିଲେ ବୋଲି ଅନୁଭବ କହିଛନ୍ତି। ଏବେ ପୁଣି ଥରେ ଅନୁରୋଧ କରି ଛାଡ଼ପତ୍ର ଦ୍ୱାରା ପରସ୍ପରଠାରୁ ଅଲଗା ହୋଇଯିବା ନିମନ୍ତେ ଅନୁଭବ ଏହି ଭିଡିଓ ଜାରି କରିଥିବା ଭିଡିଓ ଜରିଆରେ କହିଛନ୍ତି।