Advertisement

ମୌଳିକ ସୁବିଧା ଅପହଞ୍ଚ, ଆନ୍ଦୋଳନ ପାଇଁ ସଜବାଜ

ରାଉରକେଲା,୨୩।୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ଅଧୀନ ୧୪ ନମ୍ବର ଓ୍ବାର୍ଡ ଧାମରା ବସ୍ତି ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଅପହଞ୍ଚ ହୋଇପଡିଛି। ବାରମ୍ବାର ଦାବି କରିବା ସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ଏ ନେଇ ପଦକ୍ଷେପ ନେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ବସ୍ତିବାସୀ ସଜବରଜ ହେଉଥିବା ଜଣାପଡିଛି।
ସୂଚନା ଅନୁସାରେ, ଧାମରା ବସ୍ତିର ଜନସଂଖ୍ୟା ୯୩୩। ତେବେ ବସ୍ତିର ତଳିଆ ଅଞ୍ଚଳକୁ ଏପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ହୋଇପାରି ନ ଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ରାସ୍ତାଘାଟ ବର୍ଷ ବର୍ଷ ହେଲା ଖାଲଖମା ହୋଇ ପଡିଛି। ବସ୍ତି ଲୋକଙ୍କ ଘରୁ ନିଷ୍କାସିତ ପାଣି ରାସ୍ତାରେ ଭାସୁଛି। ବର୍ତ୍ତମାନ ବର୍ଷାପାଣି ସିଧାସଳଖ ଲୋକଙ୍କ ଘରକୁ ପ୍ରବେଶ କରୁଛି। ବସ୍ତିରେ ଲାଗିଥିବା ୬ ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ ହୋଇ ଯାଇଛି। ଖେଳପଡିଆ ଅଳିଆ ଆବର୍ଜନାର ପେଣ୍ଠସ୍ଥଳ ପାଲଟିଥିବା ବେଳେ ବସ୍ତିରେ ବାହ୍ୟ ଲୋକଙ୍କ ଜବରଦଖଲ ବଢିବାରେ ଲାଗିଛି। ୬ ମାସ ତଳେ ପରିତ୍ୟକ୍ତ ଖେଳ ପଡିଆରେ ଏକ ପାର୍କ ନିର୍ମାଣ ନେଇ ବସ୍ତିବାସିନ୍ଦା ଆର୍‌ଏମ୍‌ସି କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଥିଲେ। ମାତ୍ର ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଧାମରା ବସ୍ତି କ୍ୱାର୍ଟର୍ସରୁ ବାହାରୁଥିବା କୁଢ କୁଢ ଅଳିଆ ବସ୍ତି ତଳପଟ ପଡିଆରେ ଗଦା କରାଯାଉଛି। ଫଳରେ ବସ୍ତିରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସହିତ ମଶାମାଛିଙ୍କ ବଂଶବୃଦ୍ଧି ହେଉଛି। ଏପରିକି ଆର୍‌ଏମ୍‌ସି ପକ୍ଷରୁ ମଶା ନିପାତ ଧୂଆଁଯନ୍ତ୍ର ବିପର୍ଯ୍ୟସ୍ତ ରାସ୍ତା ଯୋଗୁ ବସ୍ତିକୁ ଯାଇପାରୁନି। ଏସବୁ ସମସ୍ୟାର ସମାଧାନ ହୋଇପାରି ନ ଥିବାରୁ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ବସ୍ତିବାସୀ ସଜବାଜ ହେଉଥିବା ଅରୁଣ ମହନ୍ତ, ଶାନ୍ତି କୁସୁମା, ତାପସୀ ନାୟକ, ରିତ ବାହାଲି ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ଆର୍‌ଏମ୍‌ସି ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କୁ ପଚାରିବାରୁ ସେ କହିଲେ, ବସ୍ତିରେ ରାସ୍ତା କାମ ଚାଲିଥିଲା, ଆଗକୁ ମଧ୍ୟ ହେବ। ଅନ୍ୟାନ୍ୟ ସମସ୍ୟା ନେଇ ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀ ବସ୍ତି ତଳି ଅଞ୍ଚଳ ପରିଦର୍ଶନ କରିସାରିଛନ୍ତି। ଯାହା କିଛି ସମସ୍ୟା ରହିଛି ତୁରନ୍ତ ସମାଧାନ କରାଯିବ ବୋଲି ଭୋଇ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share