ସ୍ବାସ୍ଥ୍ୟସେବାରେ ପାତରଅନ୍ତର

ବୃହସ୍ପତି ସାମଲ

ଭାରତର ଜନସଂଖ୍ୟା ଅନୁପାତରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଚିକିତ୍ସାଳୟର ଅଭାବ ଯୋଗୁ ହାସ୍‌ପାତାଳଗୁଡ଼ିକ ଉତ୍କୃଷ୍ଟ ମାନର ସ୍ବାସ୍ଥ୍ୟସେବା ଯୋଗାଇଦେବାରେ ବିଫଳ ହେଉଛନ୍ତି। ବିଭିନ୍ନ ଗୋଷ୍ଠୀ, ଜାତି, ଲିଙ୍ଗ, ଅର୍ଥନୈତିକ ଓ ସାମାଜିକ ପ୍ରତିଷ୍ଠା, ଭୌଗୋଳିକ ଅବସ୍ଥିତି ତଥା ସର୍ବୋପରି ସରକାରୀ ନୀତି ନିୟମର ପରିଧି ଭିତରେ ଉଭୟ ସରକାରୀ ଓ ବେସରକାରୀ ଚିକିତ୍ସାଳୟଗୁଡ଼ିକରେ ଲୋକମାନେ ସ୍ବାସ୍ଥ୍ୟସେବାରେ ଘୋର ପାତରଅନ୍ତରର ଶିକାର ହେବା ଆଜିକାଲି ଏକ ନିତିଦିନିଆ ସାଧାରଣ ଘଟଣା। ଗ୍ରାମାଞ୍ଚଳର ଚିକିତ୍ସା କ୍ଷେତ୍ରରେ ଥିବା ପାତରଅନ୍ତରକୁ ଦୂର କରିବା ପାଇଁ ୨୦୦୫ରେ ଆରମ୍ଭ ହୋଇଥିବା ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ପ୍ରଦର୍ଶନ ସନ୍ତୋଷଜନକ ନୁହେଁ। ସ୍ବାସ୍ଥ୍ୟ ଭିତ୍ତିଭୂମି ଦୃଢ଼ କରିବା ପାଇଁ ବଜେଟରେ ସମ୍ବଳ ବଣ୍ଟନର ପାତରଅନ୍ତର ନୀତି ଯୋଗୁ ଆନ୍ଧ୍ରପ୍ରଦେଶ ଓ କର୍ନାଟକ ଭଳି ରାଜ୍ୟଠାରୁ ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟଗୁଡ଼ିକ ବହୁ ପଛରେ। ୨୦୨୩ର ଏକ ସର୍ବେକ୍ଷଣ ଅନୁଯାୟୀ, ପାଞ୍ଚ କିଲୋମିଟର ପରିଧି ଭିତରେ ଗ୍ରାମାଞ୍ଚଳର ମାତ୍ର ୩୫% ପରିବାରକୁ ସ୍ବାସ୍ଥ୍ୟସେବା ଉପଲବ୍ଧ ହେଉଥିବା ବେଳେ ସହରାଞ୍ଚଳରେ ତାହା ୮୫%। ସେହିପରି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମାତ୍ର ୧୫% ବିଭିନ୍ନ ସ୍ବାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବେଳେ ଉଚ୍ଚ ଆୟକାରୀ ବର୍ଗର ଲୋକମାନଙ୍କ କ୍ଷେତ୍ରରେ ତାହା ୭୦%। ଅଙ୍ଗପ୍ରତ୍ୟଙ୍ଗ ରୋପଣ ଓ କର୍କଟ ରୋଗ ଆଦି ଚିକିତ୍ସାରେ ତାମିଲନାଡୁ ଓ କର୍ନାଟକ ଭଳି ଦକ୍ଷିଣ ଭାରତୀୟ ରାଜ୍ୟ ବିହାର ଓ ଉତ୍ତରପ୍ରଦେଶ ଭଳି ଉତ୍ତର ଭାରତୀୟ ରାଜ୍ୟଠାରୁ ବହୁ ଆଗରେ। ଭିତ୍ତିଭୂମି ସଂରଚନା ଏବଂ ସମ୍ବଳ ବଣ୍ଟନ ଓ ସାଧନରେ ପାତରଅନ୍ତର ଚିକିତ୍ସା କ୍ଷେତ୍ରରେ ଏକ ଆଞ୍ଚଳିକ ବୈଷମ୍ୟ ସୃଷ୍ଟି କରି ଜନସାଧାରଣଙ୍କୁ ସମାନ ଧରଣର ସ୍ବାସ୍ଥ୍ୟସେବା ଯୋଗାଇବାରେ ଅନ୍ତରାୟ ହେଉଛି। ଅକ୍ସଫାମ୍‌ ଇଣ୍ଡିଆର ଏକ ସର୍ବେକ୍ଷଣ ଅନୁଯାୟୀ ପ୍ରତି ତିନିଜଣରେ ଜଣେ ମୁସଲମାନ, ୨୦%ରୁ ଊର୍ଦ୍ଧ୍ୱ ଦଳିତ ଓ ଆଦିବାସୀ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ଅନୂ୍ୟନ ୩୦% ଚିକିତ୍ସା କ୍ଷେତ୍ରରେ ଜାତି ଓ ଧର୍ମକୁ ନେଇ ଭେଦଭାବର ଶିକାର ହୋଇଥାନ୍ତି। ଭାରତରେ ପ୍ରାୟ ୪୦% ମହିଳା ଜନ୍ମ ସମୟରେ ଯୋଗ୍ୟ ଚିକିତ୍ସା ନ ପାଇବା ଏବଂ ମୁସ୍‌ଲିମ ସମ୍ପ୍ରଦାୟରେ ପ୍ରାୟ ୧୫% ଲୋକ ଉଚ୍ଚମାନର ଚିକିତ୍ସାରୁ ବଞ୍ଚତ୍ତ ହେବା ଚିକିତ୍ସା କ୍ଷେତ୍ରରେ ଲିଙ୍ଗ ଓ ସମ୍ପ୍ରଦାୟଗତ ଭେଦଭାବକୁ ପ୍ରତିପାଦିତ କରେ।
ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଅନୂ୍ୟନ ୫୦ କୋଟି ପରିବାରକୁ ପରିବାର ପିଛା ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଦେବା ପାଇଁ ଭାରତ ସରକାର ୨୦୧୮ରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ୍‌ ଭାରତ) ଯଦିଓ ଆରମ୍ଭ କଲେ। ତଥ୍ୟ ଅନୁଯାୟୀ, ୨୦୨୩ ସୁଦ୍ଧା ମାତ୍ର ୧୦ କୋଟି ପରିବାର ଆୟୁଷ୍ମାନ୍‌ ଭାରତ ଯୋଜନାରେ ଲାଭାନ୍ବିତ ହୋଇଛନ୍ତି। ଏହି ଯୋଜନାରେ କେରଳରେ ୭୦% ପରିବାର ଓ ବିହାରରେ ମାତ୍ର ୨୫% ଉପକୃତ ହୋଇଛନ୍ତି। ଆୟୁଷ୍ମାନ୍‌ ଭାରତରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାୟ ୨ କୋଟି ଲୋକ ୨୦୨୩ ସୁଦ୍ଧା ଲାଭ ପାଇଛନ୍ତି, ଯାହା ଯୋଜନାର ମୋଟ ଲାଭାର୍ଥୀଙ୍କର ମାତ୍ର ୨୦%। ଚିକିତ୍ସା ଖର୍ଚ୍ଚ ନିର୍ଦ୍ଧାରିତ ପାଞ୍ଚ ବା ଦଶ ଲକ୍ଷ ଅତିକ୍ରମ କଲେ, ରୋଗୀମାନେ ଅଯଥା ଅବହେଳାର ଶିକାର ହେଉଥିବାବେଳେ କାର୍ଡ ଜରିଆରେ ଚିକିତ୍ସା ବାବଦ ଖର୍ଚ୍ଚକୁ ସରକାର ଠିକ୍‌ ସମୟରେ ନିର୍ଦ୍ଦିଷ୍ଟ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଭରଣା କରୁ ନ ଥିବାରୁ, ଅନେକ ହାସ୍‌ପାତାଳ ଏସବୁ କାର୍ଡ ଗ୍ରହଣ କରିବାକୁ ଅନିଚ୍ଛୁକ ହେଉଛନ୍ତି। ଏହା ବାଦ୍‌, ଅନେକ ସରକାରୀ ଡାକ୍ତରଖାନାଗୁଡ଼ିକରେ ସବୁ ପ୍ରକାରର ଚିକିତ୍ସା ଉପଲବ୍ଧ ନଥିଲା ବେଳେ ସରକାର ଅନେକ ସୁପରସ୍ପେଶାଲିଟି ଓ ମଲ୍ଟିସ୍ପେଶାଲିଟି ଘରୋଇ ହାସ୍‌ପାତାଳକୁ ଏଭଳି ଯୋଜନା କାର୍ଡ ପରିସରଭୁକ୍ତ କରିନାହାନ୍ତି, ଯେଉଁଥିପାଇଁ ସାଧାରଣ ରୋଗୀମାନେ ଉତ୍ତମ ଓ ଉପଯୁକ୍ତ ଚିକିତ୍ସା ପାଇପାରୁନାହାନ୍ତି।
ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀଙ୍କ କ୍ଷେତ୍ରରେ ପାତରଅନ୍ତର ଆହୁରି ଅଧିକ। ସପ୍ତମ ବେତନ ଆୟୋଗ ଆଧାରରେ ପେ’ମାଟ୍ରିକ୍ସ ସ୍ତର ୧ରୁ ୫, ସ୍ତର ୬, ସ୍ତର ୭ରୁ ୧୧ ଏବଂ ସ୍ତର ୧୨ରୁ ତଦୂର୍ଦ୍ଧ୍ୱରେ ଥିବା କେନ୍ଦ୍ର ସରକାରୀ କର୍ମଚାରୀମାନେ ମାସିକ ଦରମାରୁ ଯଥାକ୍ରମେ ୨୫୦, ୪୫୦, ୬୫୦ ଓ ୧୦୦୦ ଟଙ୍କା ଉତ୍ସର୍ଗ କରି ଏବଂ ପେନ୍‌ସନଭୋଗୀମାନେ ଯଥାକ୍ରମେ ଏକକାଳୀନ ୩୦,୦୦୦, ୫୪,୦୦୦, ୭୮,୦୦୦ ଓ ୧,୨୦,୦୦୦ ଟଙ୍କା ଦାଖଲ କରି ଆଜୀବନ ସିଜିଏଚ୍‌ଏସ୍‌ ଅଧୀନରେ ସ୍ବାସ୍ଥ୍ୟସେବା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥା’ନ୍ତି। କିନ୍ତୁ ସମସ୍ତଙ୍କ ପାଇଁ ସମାନ ପ୍ରକାରର ସୁବିଧା ଉପଲବ୍ଧ ନ ହୋଇ ସପ୍ତମ ବେତନ ଆୟୋଗର ମୂଳ ଦରମା ଆଧାରରେ ଅଲଗା ଅଲଗା ଭାବରେ ସ୍ବାସ୍ଥ୍ୟସେବା ନିର୍ଦ୍ଧାରିତ ହୁଏ। ମୂଳ ମାସିକ ଦରମା ୩୬,୫୦୦, ୩୬,୫୦୧ରୁ ୫୦,୫୦୦ ଏବଂ ୫୦,୫୦୦ରୁ ତଦୂର୍ଦ୍ଧ୍ୱ ଥିବା ସିଜିଏଚ୍‌ଏସ୍‌ ଉପଭୋକ୍ତାମାନେ ଯଥାକ୍ରମେ ସାଧାରଣ ୱାର୍ଡ଼, ସେମି ପ୍ରାଇଭେଟ ୱାର୍ଡ଼ ଓ ପ୍ରାଇଭେଟ ୱାର୍ଡ଼ରେ ଚିକିତ୍ସିତ ହେବାର ସୁବିଧା ପାଇଥା’ନ୍ତି, ଯାହା ଚିକିତ୍ସା କ୍ଷେତ୍ରରେ ଆର୍ଥିକ ପାତରଅନ୍ତରକୁ ସ୍ପଷ୍ଟ କରେ। ଅଧିକନ୍ତୁ; ବିଭିନ୍ନ ବ୍ୟାଧିର ଚିକିତ୍ସା ପାଇଁ ସିଜିଏଚ୍‌ଏସ୍‌ରେ ଯେଉଁ ପ୍ୟାକେଜ ନିର୍ଦ୍ଧାରିତ ହୋଇଛି, ତାହା ପ୍ରକୃତ ଖର୍ଚ୍ଚଠାରୁ ଅଧିକାଂଶ କ୍ଷେତ୍ରରେ ଯଥେଷ୍ଟ କମ୍‌ ରହୁଥିବାରୁ ଉପଭୋକ୍ତାମାନେ ଆର୍ଥିକ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଥା’ନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଭାରତୀୟ ଡାକ ବିଭାଗର ଅନୂ୍ୟନ ତିନି ଲକ୍ଷ ଗ୍ରାମୀଣ ଡାକସେବକ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୌଣସି ସ୍ବାସ୍ଥ୍ୟସେବା ଯୋଜନାରେ ଅନ୍ତର୍ଭୁକ୍ତ ନାହାନ୍ତି।
ଅଧିକନ୍ତୁ, ସ୍ବାସ୍ଥ୍ୟସେବା କ୍ଷେତ୍ରରେ କ୍ରମାଗତ ବଜେଟ ହ୍ରାସ ନିମ୍ନମାନର ସ୍ବାସ୍ଥ୍ୟସେବା ପାଇଁ ବହୁ ପରିମାଣରେ ଦାୟୀ। ୨୦୧୮-୧୯ରୁ ୨୦୨୩-୨୪ ଭିତରେ ବିଗତ ପାଞ୍ଚ ବର୍ଷର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଜେଟ ଆବଣ୍ଟନ କଥାରୁ ସ୍ପଷ୍ଟ ହୁଏ ଯେ, ୨୦୧୮-୧୯ ବଜେଟରେ ମୋଟ ୫୬,୨୩୬ କୋଟି ଟଙ୍କା (ଯାହା ମୋଟ ବଜେଟର ୨.୪% ଓ ମୋଟ ଘରୋଇ ଉତ୍ପାଦ ବା ଜିଡିପିର ୦.୩%)ର ବ୍ୟୟ ବରାଦ କରାଯାଇଥିବା ବେଳେ, ୨୦୨୩-୨୪ରେ (ସଂଶୋଧିତ) ୮୩,୪୧୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି, ଯାହା ମୋଟ ବଜେଟର ୧.୯% ଓ ଜିଡିପିର ୦.୨୮%। ଏଠି ଯଦି ସରକାରଙ୍କ ସ୍ବାସ୍ଥ୍ୟ ଉପକର(ସେସ୍‌)ରୁ ସଂଗୃହୀତ ଆୟକୁ ବିଚାର କରାଯାଏ, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଜେଟ ଆବଣ୍ଟନ ଆହୁରି କମିଯିବ। ଉଦାହରଣ ସ୍ବରୂପ ୨୦୨୨-୨୩ରେ ୭୮,୧୭୯ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ କେବଳ ଉପକରରୁ ଆୟ ଥିଲା ୧୮,୩୦୦ କୋଟି ଟଙ୍କା। ଅର୍ଥାତ୍‌ ଏହି ଆୟକୁ ବାଦ୍‌ଦେଲେ ୨୦୨୨-୨୩ର ପ୍ରକୃତ ଆବଣ୍ଟନ ମାତ୍ର ୫୯,୮୭୯; ଯାହା ୨୦୧୯-୨୦ର ଆବଣ୍ଟନ (୬୬,୦୪୨ କୋଟି)ଠାରୁ ବି କମ୍‌। ଗ୍ରାମାଞ୍ଚଳର ଗରିବ ଜନତାଙ୍କ ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ୨୦୧୮ରେ ସ୍ବାସ୍ଥ୍ୟ ଉପକର ଲାଗୁ କଲାବେଳେ ବ୍ୟୟବରାଦ ମୋଟ ବଜେଟର ୨.୪% ଥିଲା। ଅନ୍ତତଃ ଯଦି ସେହି ଅନୁପାତରେ ବ୍ୟୟ ଅଟକଳ କରାଯାଉଥା’ନ୍ତା, ତେବେ ୨୦୨୩-୨୪ର ବଜେଟ ଆବଣ୍ଟନ ୮୩,୪୧୮ କୋଟି ଟଙ୍କା ପରିବର୍ତ୍ତେ ୧.୦୭ ଲକ୍ଷ କୋଟି ଟଙ୍କା ହୋଇଥାନ୍ତା। ୨୩ ଜୁଲାଇ ୨୦୨୪ରେ ଆଗତ ୨୦୨୪-୨୫ର ବଜେଟରେ ୯୦୯୫୮.୬୩ କୋଟିର ବ୍ୟୟ ବରାଦ ମଧ୍ୟ ଉତ୍ସାହପ୍ରଦ ନୁହେଁ। ମେଡିକାଲ ସରଞ୍ଜାମ ଓ ଔଷଧପତ୍ରର କ୍ରମାଗତ ଦରବୃଦ୍ଧିକୁ ବିଚାର କରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଜେଟ ଆବଣ୍ଟନକୁ ସମାନୁପାତିକ ହାରରେ ବୃଦ୍ଧି ନ କରିବା, ଉଚ୍ଚମାନର ସେବା ପ୍ରଦାନରେ ଘୋର ଅନ୍ତରାୟ ସୃଷ୍ଟି କରିବା ଅତ୍ୟନ୍ତ ସ୍ବାଭାବିକ।
ଚିକିତ୍ସା କ୍ଷେତ୍ରରେ ପାତରଅନ୍ତର ଏକ ପ୍ରମୁଖ ସମସ୍ୟା, ଯାହା ବିକାଶର ପରିପନ୍ଥୀ ଏବଂ ଭାରତୀୟ ସମ୍ବିଧାନର ଧାରା ୧୪, ୨୧ ଓ ୪୭ର ଖୋଲା ଉଲ୍ଲଂଘନ। ସ୍ବାସ୍ଥ୍ୟ ଏବଂ ଚିକିତ୍ସାର ଅଧିକାର, ସମ୍ବିଧାନର ଧାରା ୨୧ ଅନ୍ତର୍ଗତ ବଞ୍ଚତ୍ବାର ଅଧିକାରର ପରିସରଭୁକ୍ତ। ଉଚ୍ଚତମ ନ୍ୟାୟାଳୟଙ୍କ ମତରେ ଜୀବନ ସଂରକ୍ଷଣ ସର୍ବୋପରି। ଏଣୁ ଏକ ଭେଦଭାବହୀନ ସୁସ୍ଥ ସମାଜ ଗଠନ ପାଇଁ ସବୁ ଲୋକ ସମାନ ପ୍ରକାରର ଚିକିତ୍ସା ସୁବିଧା ପାଇବା ଆବଶ୍ୟକ।
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡ଼ିଶା ରାଜ୍ୟ ସମନ୍ବୟ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୨୨୬୬୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

ଗଡ଼ଜାତ ଗାନ୍ଧୀ ସାରଙ୍ଗଧର

ଙ୍କାନାଳ-ପଶ୍ଚିମ କଟକ ଯୁଗ୍ମ ଲୋକ ସଭା ନିର୍ବାଚନମଣ୍ଡଳୀର ପ୍ରଥମ ସାଂସଦ ତଥା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଆଜି ୫୭ତମ ପୁଣ୍ୟତିଥି। ଭାରତବର୍ଷର ପ୍ରଥମ ସାମ୍ବିଧାନିକ...

ସମବାୟରେ ଅର୍ଥନୈତିକ ସମାନତା

କୌଣସି ଦେଶ ସ୍ବାଧୀନ ହେବା ପରେ ଯେଉଁ ଅର୍ଥନୈତିକ ବିକାଶ ଘଟେ ତାହା ଦେଶର ରାଜନୈତିକ ସ୍ଥିତି ଅନୁସାରେ ପରିଗଣିତ ହୁଏ। କିଏ ପୁଞ୍ଜିବାଦ ଚାହେଁ...

ସହାନୁଭୂତି ହ୍ରାସ

୨୦୨୧ରେ ତାଲିବାନ୍‌ ଦ୍ୱିତୀୟ ଥର ଆଫଗାନିସ୍ତାନରେ କ୍ଷମତା ଦଖଲକରିବା ପରେ ମହିଳାଙ୍କ ଅଧିକାର ଛଡ଼ାଇନେବା ସହ ଏବେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ କରିଦେଇଛି। ଏହି...

ଏଇ ଭାରତରେ

ବାୟୋଫର୍ଟିଫାଏଡ ସିଡ୍‌ସ ବା ମଞ୍ଜି ଅର୍ଥାତ୍‌ ଏହି ମଞ୍ଜିକୁ ବ୍ୟବହାର କରି ଯେଉଁ ଶସ୍ୟ ଉପତ୍ାଦନ କରାଯାଏ ସେଥିରେ ଆଇରନ, ଜିଙ୍କ୍‌, ମାଙ୍ଗାନିଜ, କପର ଆଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri