ଟ୍ରେଲର ପଛରେ ପିଟିହେଲା କାର୍‌: ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଗୋପାଳପୁର,୩ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ ଗୋପାଳପୁର ଓଭରବ୍ରିଜ୍‌ ନିକଟରେ ବୁଧବାର ଅପରାହ୍ନରେ ଟ୍ରେଲର ପଛରେ କାର୍‌ ପିଟି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକ ଦ୍ୱୟ ଜି.ଉଦୟଗିରିର ରାଜୁ ପ୍ରଧାନ, ପୁତି ଗୋପାଳପୁରର ଏ.ଲୋକେଶ ରେଡ୍ଡୀ।  ସେହିପରି ଗୁରୁତର ଜଣକ ଭୁବନେଶ୍ୱରର ହୋଇଥିବା ବେଳେ ତାଙ୍କ ପରିଚୟ ମିଳିପାରି ନାହିଁ। ଖବର ଲେଖା ହେବା ସୁଦ୍ଧା ଥାନା ମାମଲା ରୁଜୁ ହୋଇ ନ ଥିବା ସୂଚନା ମିଳିଛି।
ସୂଚନାନୁସାରେ, ରାଜୁ, ଏ.ଲୋକେଶ ଓ ଭୁବନେଶ୍ୱର ଅଞ୍ଚଳର ଜଣେ ଯୁବକ ଏକ କାର୍‌ରେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ  ଗୋପାଳପୁର ଓଭର ବ୍ରିଜ୍‌ ନିକଟ ତଥା ଗୋପାଳପୁର ଛକ-ଜଗନ୍ନାଥପୁର ମଝିରେ ଚଳନ୍ତା ଟ୍ରେଲର ପଛକୁ ଦ୍ରୁତ ଗତିରେ କାର୍‌ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ, କାର୍‌ରେ ଥିବା ବେଲୁନ ବାହାରି ଯିବା ସହ କାର୍‌ ଚୂର୍‌ମାର ହୋଇଯାଇଥିଲା। ଘଟଣାସ୍ଥଳରେ ରାଜୁ ଓ ଡିଲେଶ୍ୱରଙ୍କ ଜୀବନ ଚାଲିଯାଇଥିଲା ଓ ଭୁବନେଶ୍ୱର ଅଞ୍ଚଳର ଯୁବକ ଜଣ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ଆଣିଥିଲେ। ଅନ୍ୟ ପଟେ ରାଜୁ ଓ ଡିଲେଶ୍ୱରଙ୍କ ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି। ଟ୍ରେଲର ଚାଳକ ଚମ୍ପଟ ମାରିଥିବା ଜଣାପଡ଼ିଛି। ଦୁଇ ଗାଡ଼ିକୁ ପୋଲିସ ନିଜ ହେପାଜତରେ ରଖିଛି। ଜି.ଉଦୟଗିରି