ଦୁର୍ଘଟଣାର ବାହକ ଅନ୍‌ଫିଟ୍‌ ଯାନ

ରାଉରକେଲା,୭।୪(ବିପ୍ଳବ ରଞ୍ଜନ ଦାଶ)ସ୍ମାର୍ଟସିଟି ରାଉରକେଲା ସହର ରାସ୍ତାରେ ଯାତାୟାତ କରୁଥିବା ଅଧିକାଂଶ ଯାନବାହନର ଫିଟ୍‌ନେସ୍‌ ନାହିଁ। ଏହାକୁ ଯାଞ୍ଚ ଠିକ୍‌ ଭାବେ ଯାଞ୍ଚ କରାଯାଉ ନ ଥିବାରୁ ସହର ପରିବେଶ ପ୍ରଦୂଷିତ ହେବା ସହ ଦୁର୍ଘଟଣା ବଢୁଛି। ରାଉରକେଲା ପରିବହନ ବିଭାଗ ପକ୍ଷରୁ ଗତ ୬ମାସ ମଧ୍ୟରେ ହୋଇଥିବା କମର୍ସିଆଲ ଯାନବାହନ ଫିଟନେସ ପାସ୍‌ ଫେଲ ପରୀକ୍ଷଣରୁ ଏହା ଜଣାପଡିଛି।
ବିଭାଗୀୟ ସୂଚନା ଅନୁସାରେ, ୨୦୨୩ ଅକ୍ଟୋବରରେ ୧୦୧୩ ଯାନବାହନର ଫିଟନେସ ଯାଞ୍ଚ ହୋଇଥିଲା ବେଳେ ୯୦୮ଟିର ଫିଟନେସ ଠିକ୍‌ ଥିଲା। ଅବଶିଷ୍ଟ ୧୦୫ଟି ଯାନର ଫିଟନେସ ଠିକ୍‌ ନ ଥିବାରୁ ସେଗୁଡିକୁ ଅସିଦ୍ଧ ହୋଇଥିଲା। ନଭେମ୍ବର ମାସରେ ୧୨୨୬ଟି ଯାନର ଫିଟନେସ ଯାଞ୍ଚ ହୋଇଥିବାବେଳେ ୧୧୦୪ଟିର ଫିଟନେସ ଠିକ ଥିବା ଜଣାପଡିଥିଲା। ସେହିପରି ଡିସେମ୍ବରରେ ୧୦୭୨ଟି ଯାନର ଫିଟନେସ ଯାଞ୍ଚ ହୋଇଥିଲା ବେଳେ ୧୩୪ଟିକୁ ଅସିଦ୍ଧ କରାଯାଇଥିଲା। ୨୦୨୪ ଜାନୁୟାରୀରେ ମୋଟ ୧୦୩୮ଟି ଯାନର ଫିଟନେସ ଯାଞ୍ଚ ହୋଇଥିବାବେଳେ ୯୧୫ଟିର ଫିଟନେସ ଠିକ୍‌ ଥିଲା ଏବଂ ୧୨୩ଟି ଯାନ ଅସିଦ୍ଧ ହୋଇଥିଲା। ଫେବୃୟାରୀ ମାସରେ ୧୧୮୦ଟି ଯାନର ଫିଟନେସ ବେଳେ ୧୦୪୩ଟିର ଫିଟନେସ ଠିକ୍‌ ରହିଥିବାବେଳେ ଅବଶିଷ୍ଟ ୧୩୭ଟିକୁ ଅସିଦ୍ଧ କରାଯାଇଥିଲା। ଅନୁରୂପ ଭାବେ ମାର୍ଚ୍ଚ ମାସରେ ୧୦୬୯ଟି ଯାନ ଯାଞ୍ଚ ହୋଇଥିଲା। ସେଥିମଧ୍ୟରୁ ୯୦୮ଟିର ଫିଟନେସ ଠିକ୍‌ ଥିବା ବେଳେ ୧୬୧ଟିର ଫିଟନେସ ନ ଥିବାରୁ ସେଗୁଡିକ ଅସିଦ୍ଧ ହୋଇଥିଲା। ବିଗତ ୬ମାସ ମଧ୍ୟରେ ପରିବହନ ବିଭାଗ ପକ୍ଷରୁ କମର୍ସିଆଲ କ୍ଷେତ୍ରରେ ବ୍ୟବହୃତ ହେଉଥିବା ମୋଟ ୬୫୯୮ଟି ଯାନର ଫିଟନେସ ଯାଞ୍ଚ ହୋଇଥିବା ବେଳେ ୫୮୧୬ଟି ଯାନର ଫିଟନେସ ଠିକ ଥିଲା ଏବଂ ୭୮୨ଟି ଯାନର ଫିଟନେସ ନ ଥିବା ଜଣାପଡିଛି। ତେବେ ସହରରେ ଠିକ୍‌ ଭାବେ ଯାଞ୍ଚ କରାଗଲେ ଏଭଳି ଆହୁରି ଫିଟ୍‌ନେସ ନ ଥିବା କମର୍ସିଆଲ ଯାନଗୁଡିକର ତାଲିକା ଆହୁରି ବଢିବ ବୋଲି ଆଲୋଚନା ହେଉଛି।
ପ୍ରକାଶ ଥାଉକି, ରାଉରକେଲା ସହରରେ ୨୦୧୨ ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ ଓଆର ଓ ଓଡି ସିରିଜ୍‌ରେ ୩.୧୮ଲକ୍ଷ ଯାନବାହନ ପଞ୍ଜୀକୃତ ହୋଇଥିଲା। ଯାନବାହନ ବ୍ୟବହାର ଅବଧି ସୀମା ୧୫ବର୍ଷ ଥିବା ବେଳେ ଏହି ସହରରେ ବର୍ଷ ବର୍ଷ ତଳର ପୁରୁଣା ଯାନବାହନ ଚାଲୁଛି। ଫଳରେ ଏହା ପରିବେଶ ପାଇଁ କ୍ଷତିକାରକ ଏବଂ ଦୁର୍ଘଟଣାର ବାହକ ସାଜୁଛି। ଏ ନେଇ ରାଉରକେଲା ଆଞ୍ଚଳିକ ପରିବହନ ପ୍ରବନ୍ଧକ ଭି. ସାମନ୍ତ ସିଂ ରାୟଙ୍କୁ ପଚାରିବାରୁ ସେ କହିଲେ, ପ୍ରତି ମାସରେ ସହରର କମର୍ସିଆଲ ଯାନବାହନଗୁଡିକର ଫିଟନେସ ଯାଞ୍ଚ ହେଉଛି। ଆଗକୁ ଯେଭଳି ଭାବେ ଏ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଅଧିକରୁ ଅଧିକ ଯାନବାହନ ଯାଞ୍ଚ ହୋଇପାରିବ ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାୟ କହିଥିଲେ।

Share