ମନୁଷ୍ୟକୃତ ତ୍ରୁଟିରୁ ଦୁର୍ଘଟଣା ଚର୍ଚ୍ଚା

ବାଲେଶ୍ୱର/ବାହାନଗା,୨।୭(ମାନସ ବିଶ୍ୱାଳ/ ଅରୂପ କୁମାର ଦାସ)ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଦୁର୍ଘଟଣାକୁ ଜୁଲାଇ ୨ତାରିଖ ରବିବାର ଏକ ମାସ ପୂରିବ। ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧ହଜାରରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। କେତେଜଣ ଆହତ ଘରକୁ ଫେରିଥିବାବେଳେ ଅନେକେ ଏବେବି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ହେଲେ ଏତେ ବଡ଼ ଦୁର୍ଘଟଣାର କାରଣ କ’ଣ ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍‌କଣ୍ଠା ଜାରି ରହିଥିବାବେଳେ କମିଶନ ଅଫ୍‌ ରେଲ୍‌ୱେ ସେଫ୍‌ଟି(ସିଆର୍‌ଏସ୍‌) ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଛି। ତେବେ ଏହି ରିପୋର୍ଟକୁ ସାର୍ବଜନୀନ କରାଯିବ ନାହଁି ବୋଲି ରେଳ ବିଭାଗ ମନା କରିଦେଇଛି। ଅପରପକ୍ଷରେ ମନୁଷ୍ୟକୃତ ତ୍ରୁଟିରୁ ଏଭଳି ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଥିବା ନେଇ ଚର୍ଚ୍ଚା ହେଉଛି।
ବାହାନଗା ଟ୍ରେନ୍‌ ଦୁର୍ଘଟଣାର କାରଣ ଜାଣିବା ପାଇଁ ଉଭୟ ରେଳ ବିଭାଗ ଏବଂ ସିବିଆଇ ପକ୍ଷରୁ ତଦନ୍ତ ଜାରି ରହିଛି। ଇତିମଧ୍ୟରେ ନିକଟରେ ସିଆର୍‌ଏସ୍‌ ରେଲ୍‌ୱେ ବୋର୍ଡ ତଦନ୍ତ ରିପୋର୍ଟ ଦାଖଲ କରିଛି। ହେଲେ ସିବିଆଇ ତଦନ୍ତ ଜାରି ରହିଥିବାରୁ ଏହା ଶେଷ ନ ହେବା ପର୍ଯ୍ୟନ୍ତ ସିଆର୍‌ଏସ୍‌ ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନ କରିବାକୁ ରେଲ୍‌ଓ୍ବେ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ତେବେ ଏନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହଁି। ରେଲୱେର ଜଣେ ବରିଷ୍ଠ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଯେ, ସିବିଆଇ ତଦନ୍ତ ଜାରି ରହିଥିବାରୁ ଆମେ ସିଆର୍‌ଏସ୍‌ର ତଦନ୍ତ ରିପୋର୍ଟ ସାର୍ବଜନୀନ କରିବୁ ନାହିଁ। ଉଭୟ ସିଆର୍‌ଏସ୍‌ ଓ ସିବିଆଇର ତଦନ୍ତ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାହାନଗା ଦୁର୍ଘଟଣାର ତଦନ୍ତ କରୁଥିବା ଦକ୍ଷିଣ-ପୂର୍ବ ସର୍କଲ ସିଆର୍‌ଏସ୍‌ ଏମ୍‌. ଚୌଧୁରୀ ଗତ ଗୁରୁବାର ରେଲୱେ ବୋର୍ଡରେ ନିଜର ରିପୋର୍ଟ ଦାଖଲ କରିଥିଲେ। ଉକ୍ତ ରିପୋର୍ଟରେ ମାନବୀୟ ତ୍ରୁଟି ଯୋଗୁ ଟ୍ରେନ୍‌ ଦୁର୍ଘଟଣା ଘଟିଥିବାନେଇ ଉଲ୍ଲେଖ ଥିବା କୁହାଯାଉଛି। ସିଗ୍‌ନାଲିଂ, ଟେଲିକମ୍‌ ଏବଂ ଟ୍ରାଫିକ୍‌ ଆଦି ବିଭାଗରେ କାର୍ଯ୍ୟରତ ଅଧିକାରୀଙ୍କ ଅବହେଳା ଯୋଗୁ ଏହି ଅଘଟଣ ଘଟିଛି। ଟ୍ରେନ୍‌ ଚଳାଚଳ ପାଇଁ ଉଦ୍ଦିଷ୍ଟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ପାଳନ କରିବାରେ ଅଧିକାରୀମାନେ ବିଫଳ ହୋଇଛନ୍ତି ବୋଲି ରିପୋର୍ଟରେ ଲେଖାଥିବା ରେଲ୍‌ୱେ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି।
ପ୍ରକାଶ ଥାଉକି, ଗତ ଜୁନ୍‌ ୨ତାରିଖରେ ବାହାନଗା ଷ୍ଟେଶନ ନିକଟରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା। ହାଓଡ଼ାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ, ଶାଲିମାର ଏକ୍ସପ୍ରେସ୍‌ ଏବଂ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏହି ଘଟଣାର କିଛିଦିନ ପରେ ଦକ୍ଷିଣ-ପୂର୍ବ ରେଲୱେର ମହାପ୍ରବନ୍ଧକ(ଜିଏମ୍‌) ଅର୍ଚ୍ଚନା ଜୋଷୀଙ୍କୁ ପଦରୁ ହଟାଯାଇଛି। ତାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ର ନୂଆ ମହାପ୍ରବନ୍ଧକ ବା ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତ ହୋଇଛନ୍ତି।

Share