ପିକ୍‌ଅପ ଭ୍ୟାନ୍‌ ଧକ୍କାରେ ଚାଲିଗଲା ବାପ-ପୁଅଙ୍କ ଜୀବନ

ଝାରସୁଗୁଡ଼ା ଅଫିସ,୩୦।୬: ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ବନ୍ଧବାହାଲ-ବେଲପାହାଡ଼ ମୁଖ୍ୟରାସ୍ତା ଯୋରାବଗା ଛକ ନିକଟରେ ଗୁରୁବାର ରାତି ୮ଟାରେ ଏକ ପିକଅପ୍‌ ଭ୍ୟାନ୍‌ ମୋପେଡ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ମୋପେଡରେ ଥିବା ବାପ-ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେମାନେ ହେଲେ ବେଲପାହାଡ଼ ରେହେମତନଗରର ବାପା ମହମ୍ମଦ ମେହେଫୁଜ ଆଲମ(୪୫) ଏବଂ ପୁଅ ମହମ୍ମଦ ଆଜିଲ(୧୫)।

ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବରପାଇ ବେଲପାହାଡ଼ ଥାନା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ବୁଝାସୁଝା କରିଥିଲା। ଅନ୍ୟପକ୍ଷେ ସମ୍ପୃକ୍ତ ଅଞ୍ଚଳ ନୋପାର୍କିଂ ଏରିଆ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ବେଆଇନ ଭାବେ ଟ୍ରକ୍‌ ପାର୍କିଂ ହେଉଛି। ଫଳରେ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଜନଜୀବନ ହାନୀ ଘଟୁଛି। ବେଆଇନ ପାର୍କିଂ ହଟାଯିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ଆନ୍ଦୋଳନକାରୀମାନେ ଅଡିବସିଛନ୍ତି।

ସୂଚନାଯୋଗ୍ୟ, ମହମ୍ମଦ ମେହେଫୁଜ ଜଣେ ଧୂପକାଠି ବ୍ୟବସାୟୀ ହୋଇଥିବା ବେଳେ ବେପାର ପାଇଁ ସେ ତାଙ୍କ ପୁଅକୁ ସାଙ୍ଗରେ ଧରି ମୋପେଡରେ ବନ୍ଧବାହାଲ ଆସୁଥିଲେ। ଦୁର୍ଘଟଣା ଘଟାଇଥିବା ଏଚ୍‌ଆର ୨୪ଏସି ୩୨୮୧ ନମ୍ବର ବିଶିଷ୍ଟ ପିକଅପ୍‌ ଭ୍ୟାନ୍‌କୁ ପୋଲିସ ଜବତ କରି ଅଧିକ ତଦନ୍ତ ଚଳାଇଛି।

Share