ଟ୍ରେଲରକୁ ପଛରୁ ପିଟିଲା ବସ୍‌ : କ୍ୟାବିନ୍‌ ଭାଙ୍ଗି ପଳାଇଲା ପାଇପ୍‌

ଚୌଦାର,୨୮।୧(ଡି.ଏନ୍‌.ଏ.): କଟକ ଟାଙ୍ଗୀ ୧୬ନଂ ଜାତୀୟ ରାଜପଥ ବଇଁଚୁଆ ନିକଟରେ ଶୁକ୍ରବାର ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ପଛରୁ ବସ୍‌ ପିଟିଛି। ମାତୃକରୁଣା ନାମକ ଏକ ଘରୋଇ ବସ୍‌ କଟକରୁ ଯାଜପୁର ଆଡ଼କୁ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ଟ୍ରେଲରକୁ ବସ୍‌ ପଛରୁ ପିଟିଥିଲା। ଫଳରେ ଟ୍ରେଲରରେ ବୋଝେଇ ହୋଇଥିବା ପାଇପ୍‌ଗୁଡ଼ିକ ଟ୍ରେଲରର କ୍ୟାବିନ ଭାଙ୍ଗି ଆଗକୁ ଚାଲି ଯାଇଥିଲା । ରାଜପଥ ଉପରେ ପାଇପ୍‌ଗୁଡିକ ଖେଳେଇ ହୋଇ ପଡିଛି। ମାତ୍ର ଦୁର୍ଘଟଣାରେ ଟ୍ରେଲର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଏଥିରେ ବସ୍‌ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ଦୀର୍ଘ ୨ଘଣ୍ଟା ଧରି ରାଜପଥର ଏକ ପାଖରେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା । ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଅନ୍ୟ ବସ୍‌ରେ ପଠାଇବା ସହ ଯାନବାହାନ ଚଳାଚଳ ସ୍ବାଭାବିକ କରିଛନ୍ତି ।