ମ.ରାମପୁର,୨୨ା୧୧(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ମ.ରାମପୁର ଦେଇ ଯାଇଥିବା ରାୟପୁର ଓ ଗୋପାଳପୁର ଜାତୀୟ ରାଜପଥ ୫୯ ସଡ଼କ ଉପରେ କେନ୍ଦୁଘାଟି ନିକଟରେ ଓଡି ୦୮ ଟି ୦୬୬୭ ନମ୍ବର ବିଶିଷ୍ଟ ଏକ ଟାଟାଏସି ଗାଡ଼ି ଓଲଟି ପଡ଼ିଛି। ଏଥିରେ କନ୍ଧମାଳ ଜିଲାର ୧୪ ଜଣ ମହିଳା ଓ ପୁରୁଷ ଅଏଁଲାପାଲି ଗ୍ରାମରୁ ଚୁଡ଼ା କୁଟେଇ ନିଜ ଗ୍ରାମକୁ ଯାଉଥିଲେ। ଗାଡ଼ିଟି ଭାରସାମ୍ୟ ହରାଇ ବିପରୀତ ଦିଗକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜନନୀ ପାତ୍ର (୫୦)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମୁଖେଇ ପାତ୍ର, ଲକ୍ଷ୍ମୀ ମାଝି, ବିନ୍ଦୁମାଳି ପାତ୍ରଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିବାରୁ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିପରି ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶକୁନ୍ତଳା ପାତ୍ର (କ), ପାଳଙ୍ଗି ମଳିକ, ଶକୁନ୍ତଳା ପାତ୍ର (ଖ), ସୁବନ୍ତି ମଳିକ, ନୃପତି ପାତ୍ର, ଝୁନି ମାଝି, ପୁନେଇ ପାତ୍ର, ବୈଶାଖୀ ପାତ୍ର, ସୁମି ମାଝି ପ୍ରମୁଖଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଉଛି।