
ବେଗୁନିଆପଡା,୭।୪(ସୁଶାନ୍ତ କୁମାର ପଟ୍ଟନାୟକ):ଗଞ୍ଜାମ କୋଦଳାରେ ଅଘଟଣ। ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଲେ ଜଣେ ବ୍ୟକ୍ତି। ମୃତକ ଜଣକ ହେଲେ କୋଦଳା ବାଇଗଣୀଆ ସାହିର ୪୦ ବର୍ଷୀୟ କଂଗ୍ରେସ ଜେନା। ଚିନାବାଦାମ ଖୁଚୁରା ବିକ୍ରୟ କରି ସେ ନିଜର ପେଟ ପୋଷୁଥିଲେ। ବୁଗୁଡ଼ାରୁ ୨ ବସ୍ତା ଚିନାବାଦାମ ଆଣି ପୋଖରୀରେ ଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ଗଭୀର ପାଣିକୁ ଚାଲି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦଣ୍ଡିଶ୍ୱର ମନ୍ଦିର ନିକଟରେ ଥିବା ଗୁଡିଖାତ ପୋଖରୀରେ ସେ ବୁଡି ଯାଇଥିବା ସୂଚନା ମିଳିଛି। ଖବର ପାଇ ସାହି ଲୋକେ ପୋଖରୀ ନିକଟରେ ରୁଣ୍ଡ ହୋଇଥିଲେ। କୋଦଳା ଅଗ୍ନିଶମବାହିନୀ ଟିମ ପହଞ୍ଚି ତାଙ୍କୁ ପାଣି ଭିତରୁ ଉଦ୍ଧାର କରି ମେଡିକାଲ ପହଞ୍ଚାଇଥିବା ବେଳେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ସେପଟେ କୋଦଳା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ କଂଗ୍ରେସଙ୍କ ଗୋଟିଏ ୪ ବର୍ଷର ଝିଅ ଓ ୧୦ ବର୍ଷର ପୁଅ ରହିଛନ୍ତି। ଘଟଣା ପରେ ସ୍ତ୍ରୀ ଓ ପରିବାର ଲୋକେ ହତବାକ ହୋଇ ପଡିଛନ୍ତି। ଗରିବ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।