କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ବିରିମୁହାଣ ଛକ ନିକଟରେ ଶୁକ୍ରବାର ଏକ ବାଇକ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ବାଇକ୍ରେ ଥିବା ୩ ଯୁବକଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଆମପାଣି ଥାନା କନ୍ଦାଗଡ଼ ଗ୍ରାମର କୁମରମଣି ମାଝୀ(୨୨)। ଗୁରୁତର ୨ ଯୁବକ ଜୟପାଟଣା ବ୍ଲକ ନାଗପଡା ମାଝୀପଡାର ପବିତ୍ର ମାଝୀ(୨୦) ଓ ନବରଙ୍ଗପୁର ଜିଲା ମୈଦଲପୁର ଆଇଁଲି ଗ୍ରାମର ଭଗବାନ ଜାନି (୧୯)। କୁମରମଣୀଙ୍କ ବଡ଼ଭାଇଙ୍କ ବିବାହ ଗତ ବୁଧବାର ହୋଇଥିବା ବେଳେ ଶୁକ୍ରବାର ଭୋଜିରେ ଯୋଗଦେବାକୁ ଆସିଥିବା ଭଗବାନଙ୍କୁ ଛାଡିବା ପାଇଁ ଦୁଇ ସାଙ୍ଗ ବାଇକ୍ରେ ଯାଉଥିଲେ। ଏହି ସମୟରେ ସେମାନେ ଦୁର୍ଘଟଣାର ଶିକାର ହୋଇଥିଲେ। ଖବର ପାଇ ଆମପାଣି ଥାନା ଆଇଆଇସି ବିଜୟଲକ୍ଷ୍ମୀ ହିକ୍କା ଓ ଟିମ୍ ପହଞ୍ଚତ୍ ଗୁରୁତର ୨ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସ ଓ ମୃତ ଯୁବକଙ୍କୁ ଥାନା ଗାଡିରେ କୋକସରା ଡାକ୍ତରଖାନା ଆଣିଥିଲେ। ସେଠାରୁ ଦୁଇ ଗୁରୁତର ଯୁବକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।