ବିଜୁ ଏକ୍ସପ୍ରେସୱେରେ ବାଇକ୍‌କୁ ପିଟିଲା କାର୍‌

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବିଜୁ ଏକ୍ସପ୍ରେସୱେର କଳାହାଣ୍ଡି ଜିଲା କୋକସରା ବ୍ଳକ ଭାଲିଆଯୋର ଛକନିକଟରେ କାର୍‌-ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ୍‌ରେ ଥିବା ୨ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ କଛାରପଡାର ଚିତ୍ତରଞ୍ଜନ ନାଏକ ଓ ନିଲାମ୍ବର ନାଏକ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ରବିବାର ଚିତ୍ତରଞ୍ଜନ ଏବଂ ନିଲାମ୍ବର ଆମପାଣିକୁ କ୍ଷୀର ଦେଇ ଗାଁକୁ ଫେରୁଥିବା ବେଳେ ବିଜୁ ଏକ୍ସପ୍ରେସୱେର ଭାଲିଆଯୋର ଛକ ନିକଟରେ କୋରାପୁଟ ଅଭିମୁଖେ ଯାଉଥିବା ଏକ କାର୍‌(ନଂ.ଓଡି୧୭-ଏଏ୯୮୩୨) ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେମାନେ ବାଇକରୁ ଛିଟକି ପଡି ଗୁରୁତର ହୋଇଥିବା ବେଳେ କାର୍‌ଟି ଡିଭାଇଡରେ ପିଟିହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ପରିବାର ଲୋକେ ଚିତ୍ତରଞ୍ଜନ ଓ ନିଲାମ୍ବରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣାପଡିଛି।

ଖବର ପାଇ ଆମପାଣି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଗ୍ରସ୍ତ କାରକୁ ଜବତ କରାଯାଇଥିବା ଥାନା ଅଧିକାରୀ ଗଙ୍ଗାଧର ମେହେର ସୂଚନା ଦେଇଛନ୍ତି।

Share