ଦୁର୍ଘଟଣା ଓ ପଥ ସମ୍ମୋହନ

ବୈକୁଣ୍ଠନାଥ ମିଶ୍ର

 

 

ସରକାରୀ ଓ ବେସରକାରୀ ସ୍ତରରେ ଯେତେ ସଚେତନତା ସୃଷ୍ଟି କରାଗଲେ ମଧ୍ୟ ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବା ପରିବର୍ତ୍ତେ ଦିନକୁ ଦିନ ବଢ଼ିଚାଲିଛି। ପ୍ରଥମେ ମନୁଷ୍ୟକୃତ ଦୁର୍ଘଟଣା କଥା ଆଲୋଚନା କରିବା। ମାନବକୃତ ଦୁର୍ଘଟଣାର ୮୦ପ୍ରତିଶତ କେବଳ ଚାଳକର ମଦ୍ୟପାନ ଓ ନିଶାସେବନ ଯୋଗୁ ଘଟିଥାଏ। ଜଣେ ମଦ୍ୟପ ହିତାହିତ ଜ୍ଞାନରହିତ ହୋଇଥିବାରୁ ସେ ଭଲମନ୍ଦ କିଛି ଜାଣିପାରେନା। ଓଟାଗୋ ବିଶ୍ୱବିଦ୍ୟାଳୟର ‘ପ୍ରିଭେଣ୍ଟିଭ୍‌ ଓ ସୋସିଆଲ ମେଡିସିନ୍‌’ର ମୁଖ୍ୟ ଜେନି କୋନେରଙ୍କ ମତରେ, ମଦ୍ୟପଙ୍କ ମଧ୍ୟରୁ ଶତକଡା ୮୭ଙ୍କ ଆୟୁଷ ଆଦୌ ମଦ୍ୟପାନ କରୁ ନ ଥିବା ବ୍ୟକ୍ତିଙ୍କଠାରୁ କମ୍‌। ସେ ପୁଣି କହୁଛନ୍ତି ଏତେସବୁ ରୋଗର କାରଣ ସାଜିଥିବା ମଦ୍ୟପାନକୁ ସ୍ବାସ୍ଥ୍ୟକର ବୋଲି ମତ ଦେଉଥିବା କିଛି ଲୋକଙ୍କର ଏହା ସୁସ୍ଥ ବିଚାର ନୁହେଁ।
ଆମେରିକାର ପ୍ରଖ୍ୟାତ ଚିକିତ୍ସକ ଏମ୍‌. ରବର୍ଟସନଙ୍କ ମତରେ ସମାଜରେ ଯଦି ଅଧା ମଦଦୋକାନ ବନ୍ଦ ହୋଇଯାଏ, ତେବେ ଅଧା ଡାକ୍ତରଖାନା ଓ ଅଧା ଜେଲ୍‌ଖାନା ଆପେ ଆପେ ବନ୍ଦ ହୋଇଯିବ। ଉକ୍ତ ଚିକିତ୍ସକ ପୁଣି କହିଛନ୍ତି ଯେ, ମଦ୍ୟପାନ ମସ୍ତିଷ୍କ ଉପରେ ଏକ କଳାବାଦଲ ପରି ଆସ୍ତରଣ ସୃଷ୍ଟିକରେ ଓ ମନକୁ ଦୁର୍ବଳ କରିଦିଏ। ତାଙ୍କ ଭାଷାରେ- ଜଣେ ମଦ୍ୟପ ହିତାହିତ ଜ୍ଞାନରହିତ ହୋଇଥିବାରୁ ସେ ଭଲମନ୍ଦ କ’ଣ ଜାଣିପାରେନା। କ’ଣ କହେ ଓ କ’ଣ କରେ ସେ ବିଷୟରେ ସେ ସଚେତନ ନ ଥାଏ। ମଦ୍ୟପ ଗାଡ଼ି ଚାଳକର ଅସାବଧାନତା ଓ ଅମନଯୋଗିତାରୁ ଭୟଙ୍କର ଦୁର୍ଘଟଣାମାନ ସଂଘଟିତ ହୋଇ ବ୍ୟାପକ ଧନଜୀବନ ହାନି ଘଟିଚାଲିଛି। ରାଜ୍ୟ ସଡ଼କ ପରିବହନର ତଥ୍ୟ ଅନୁସାରେ, କେବଳ ୨୦୨୩ରେ ଗାଡ଼ିକୁ ପଛରୁ ଧକ୍କାଦେଇ ୨୪୯୬ଟି ଦୁର୍ଘଟଣା ଘଟିଥିବା ବେଳେ ୧୧୯୮ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୨୭୨ ଜଣ ଆହତ ହୋଇଥିଲେ। ଏହାବାଦ୍‌ ଠିଆ ହୋଇଥିବା ଏକ ଗାଡ଼ିକୁ ଗୋଟିଏ ପାର୍ଶ୍ୱ(ବାମ ବା ଦକ୍ଷିଣ)ରୁ ଧକ୍କା ଦେଇଥିବା ୬୩୯ଟି ଦୁର୍ଘଟଣାରେ ୨୭୪ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୩୫୪ ଆହତ ହୋଇଥିଲେ। ସେହିପରି ରାସ୍ତାପାର୍ଶ୍ୱରେ ଥିବା ଗଛ, ବିଦ୍ୟୁତ୍‌ ଖୁଣ୍ଟ ଓ ଡିଭାଇଡରକୁ ଧକ୍କାଦେବା ଫଳରେ କେବଳ ୨୦୨୩ରେ ୭୬୩ ସଡ଼କ ଦୁର୍ଘଟଣା ଘଟି ୩୭୩ ମୃତ୍ୟୁବରଣ କରିଥିବା ବେଳେ ୪୨୨ ଜଣ ଆହତ ହୋଇଛନ୍ତି। ମଦ୍ୟପାନର ଭୟାବହତାକୁ ନେଇ କବି କାଳିଦାସଙ୍କ ସମୟର ଏକ ରୋଚକ କାହାଣୀ ରହିଛି। ମହାକବି କାଳିଦାସ ପ୍ରାତଃଭ୍ରମଣ କରୁଥିବା ସମୟରେ ଦେଖିଲେ ଜଣେ ଦଳିତ ରମଣୀ କୋଳରେ ମଦଭାଣ୍ଡ ଧରି ବିପରୀତ ଦିଗରୁ ଆସୁଛି। ସେ କାଳିଦାସଙ୍କ ସମ୍ମୁଖୀନ ହେବାରୁ ସଂଭ୍ରମତାର ସହ ମଦଭାଣ୍ଡ ଉପରେ ପଣତକାନି ଢାଙ୍କିଦେଲା। କିନ୍ତୁ କାଳିଦାସଙ୍କ ବିଚକ୍ଷଣ ଦୃଷ୍ଟିକୁ ସେ ଏଡ଼ାଇଯାଆନ୍ତା କିପରି? କାଳିଦାସ ତାକୁ ପଚାରିଲେ ‘କିମସ୍ତି କରକେ ତବ?’ ଅର୍ଥାତ୍‌ ତୁମ କୋଳରେ କ’ଣ ଅଛି? ରମଣୀଟି ଉତ୍ତର ଦେଲା- ମୋ କୋଳରେ ୮ଟି ଅନର୍ଥକୁ ମୁଁ ବହନ କରୁଅଛି। ସେ କହିଥିବା ଶ୍ଳୋକଟି ଏହିପରି-
”ମଦଃ ପ୍ରମାଦଃ କଳହଶ୍ଚ ନିଦ୍ରା ବୁଦ୍ଧି କ୍ଷୟୋ ଧର୍ମ ବିପର୍ଯ୍ୟୟଶ୍ଚ
ସୁଖସ୍ୟ କନ୍ଥା ନରକସ୍ୟ ପନ୍ଥା ଅଷ୍ଟାବନାର୍ଥାଃ କରକେ ବସନ୍ତି।ା“
ଅର୍ଥାତ୍‌- ମୁଁ କୋଳରେ ମଦପୂର୍ଣ୍ଣ କଳସୀଟିଏ ଧାରଣ କରିଛି। ଏହା ଉନ୍ମାଦନା, ବିପଦ, କଳହ, ଅକାଳ ନିଦ୍ରା, ବୁଦ୍ଧିକ୍ଷୟ, ଧର୍ମ ବିପର୍ଯ୍ୟୟ, ସୁଖର ପଥରୋଧକ ଓ ନର୍କର ମାର୍ଗଦର୍ଶକ ପରି ଆଠଟି ଅନର୍ଥର କାରଣ। ଦଳିତ ନାରୀଟିର ଏତାଦୃଶ ସ୍ପଷ୍ଟୀକରଣରେ ତୁଷ୍ଟହୋଇ କାଳିଦାସ ନିଜ ଗନ୍ତବ୍ୟ ପଥରେ ଚାଲିଗଲେ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ମଦ୍ୟପାନ ସକଳ ଅନର୍ଥର ମୂଳକାରଣ।
ଏତଦ୍‌ବ୍ୟତୀତ ସଡ଼କ ଦୁର୍ଘଟଣାର ଅନ୍ୟ ଏକ ସମ୍ବେଦନଶୀଳ କାରଣ ସ୍ବରୂପ, ଯାହା ବୈଜ୍ଞାନିକ ତଥ୍ୟରୁ ପରିପ୍ରକାଶ ତା’ ହେଉଛି ‘ରୋଡ୍‌ ହିପ୍ନୋସିସ୍‌’ ବା ପଥ ସମ୍ମୋହନ। ପଥ ସମ୍ମୋହନ ପରି ତଥ୍ୟ ପ୍ରକାଶ ପାଇଲା ପରେ ଓଡ଼ିଶା ରାଜ୍ୟ ପରିବହନ ବିଭାଗ ତରଫରୁ ଚାଳକ, ଗାଡ଼ି ମାଲିକ ଓ ଯାତ୍ରୀମାନଙ୍କୁ ସଚେତନ କରାଯାଉଛି। ଏହା ଚାଳକର ଉଭୟ ଶାରୀରିକ ଓ ମାନସିକ ସ୍ଥିତିର ଏକ ଜଟିଳ ସମୀକରଣ। କ୍ରମାଗତ ଭାବେ ଦୀର୍ଘସମୟ ଧରି ଗାଡ଼ିଚାଳନା କରିବା ଫଳରେ ଚାଳକ ପଥ ସମ୍ମୋହନର ଶିକାର ହୋଇଥାଏ। ଚାଳକର ଚକ୍ଷୁଦ୍ୱୟ ଖୋଲାଥିବା ପରି ପ୍ରତୀୟମାନ ହେଉଥିଲେ ମଧ୍ୟ ବାସ୍ତବରେ ସେ ଚେତନଶୀଳ ନ ଥାଏ। ଦୀର୍ଘ ଅତନ୍ଦ୍ରତାର ପ୍ରତିଫଳନ ତା’ର ଶରୀର ଏବଂ ମସ୍ତିଷ୍କରେ ପ୍ରତିଫଳିତ ହୁଏ। କ୍ରମାଗତ ଅଢ଼େଇଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ ଏକାଦିକ୍ରମେ ଗାଡ଼ିଚାଳନା ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରତି ଅଢ଼େଇ ଘଣ୍ଟାରେ ଦଶ ପନ୍ଦର ମିନିଟ୍‌ ଗାଡ଼ି ଅଟକାଇ ମୁହଁ ହାତ ଧୋଇ ଆବଶ୍ୟକ ସ୍ଥଳେ ଚା’ କଫି ପାନକରି ପୁଣି ଷ୍ଟିୟରିଂ ଧରିବା ଉଚିତ। ପଥ ସମ୍ମୋହନରେ ଆକ୍ରାନ୍ତ ଚାଳକ ଶେଷ ପନ୍ଦର ମିନିଟ୍‌ କିଛି ଜାଣିପାରେନାହିଁ। କେତେ ବେଗରେ ଗାଡ଼ି ଚାଲୁଛି, ସମ୍ମୁଖରେ କ’ଣ ସବୁ ଅଛି, ଗାଡ଼ି ରାସ୍ତା ଛାଡ଼ି କେଉଁଆଡ଼େ ଯାଉଛି ସେ କିଛି ଜାଣିପାରେନା। ମଦ୍ୟପାନ ନ କରି ମଧ୍ୟ ଚାଳକ ମଦ୍ୟପ ପରି ଅବଚେତନସ୍ତରକୁ ଚାଲିଯାଏ। ଏସବୁ ଅଘଟଣକୁ ଦୃଷ୍ଟିରେ ରଖି ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଶେଷକରି ଶୀତରାତିରେ ଚାଳକକୁ ପଥ ସମ୍ମୋହନରୁ ରକ୍ଷା କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ଚା’ ପାନର ବ୍ୟବସ୍ଥା କରାଯାଇଛି। ଛୋଟ ଗାଡ଼ି ହେଉ କି ବଡ଼ ଗାଡ଼ି, ଗାଡ଼ିର ସମସ୍ତ ଯାତ୍ରୀ ନିଦ୍ରା ଗଲାପରେ ଚାଳକ ପଥ ସମ୍ମୋହିତ ହେବାର ଯଥେଷ୍ଟ ସମ୍ଭାବନା ଥାଏ। ଛୋଟ ଚାରିଚକିଆ ଗାଡ଼ିରେ ଚାଳକ ପାଖରେ ଆଗ ସିଟ୍‌ରେ ବସିଥିବା ବ୍ୟକ୍ତି ଜଣକ ରାତ୍ରି ଉଜାଗର ରହି ଚାଳକ ସହ କଥୋପକଥନ ଜାରି ରଖିଲେ ସେ ପଥ ସମ୍ମୋହନର ଶିକାର ହୁଏନାହିଁ ଓ ଅବଚେତନ ସ୍ତରକୁ ଯାଏନାହିଁ। ସାଧାରଣତଃ ଦୂରଗାମୀ ରାତ୍ରକାଳୀନ ଯାତ୍ରୀବାହୀ ବସ୍‌ଗୁଡ଼ିକରେ ପଥ ସମ୍ମୋହନଜନିତ ଦୁର୍ଘଟଣା ପ୍ରାୟତଃ ଅଧିକ। ଜାତୀୟ ରାଜପଥର କିଛି ନିର୍ଦ୍ଦିଷ୍ଟ ସ୍ଥାନ (ସ୍ପଟ୍‌) ଚିହ୍ନଟ କରାଯାଇଛି, ଯେଉଁଠାରେ ଦୁର୍ଘଟଣାର ଆଶଙ୍କା ଅଧିକ। ତେଣୁ ପ୍ରତିକାର ସ୍ବରୂପ କ୍ରମାଗତଭାବେ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଗାଡ଼ି ଚାଳନା ନ କରିବା ଉଚିତ। ପ୍ରତି ଅଢ଼େଇ ଘଣ୍ଟା ପରେ ଅନ୍ତତଃ ପନ୍ଦର ମିନିଟ୍‌ ବିଶ୍ରାମ ଓ ଆବଶ୍ୟକ ସ୍ଥଳେ ଚା’ କଫି ସେବନ ବାଞ୍ଛନୀୟ। ଗାଡ଼ିଚାଳନା ସମୟରେ ଚାଳକକୁ ଖୁସିଗପ ମାଧ୍ୟମରେ ସକ୍ରିୟ ରଖିବା ଆବଶ୍ୟକ। ମଦ୍ୟପାନ କରିଥିବା ଚାଳକକୁ ଗାଡ଼ି ଚାଳନାରୁ ନିବୃତ୍ତ କରାଯିବା ଦରକାର। ଏହା ଚାଳକ, ମାଲିକ ଓ ସର୍ବୋପରି ସରକାରଙ୍କର ପ୍ରମୁଖ ଦାୟିତ୍ୱ। ଏ ନେଇ ନିକଟରେ ଓଡ଼ିଶା ରାଜ୍ୟ ପରିବହନ ଆୟୁକ୍ତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ ସମସ୍ତଙ୍କୁ ଆହ୍ବାନ ଦେଇ ପରାମର୍ଶ ଦେଇଛନ୍ତି ଯେ, ଏ ଦିଗରେ ସମସ୍ତେ ସଚେତନ ହେଲେ ଦୁର୍ଘଟଣାକୁ ଏଡ଼ାଇ ଦେଇହେବ। ତେଣୁ ଉପରୋକ୍ତ ଦୁଇଟି ଜିନିଷ ଯଥା ମଦ୍ୟପାନ କରି ଗାଡ଼ିଚାଳନା ଓ ବିନା ବିଶ୍ରାମରେ ଅଢ଼େଇଘଣ୍ଟାରୁ ଊଦ୍ଧର୍‌ବ ସମୟ ଗାଡ଼ିଚାଳନା ଯୋଗୁ ପଥ ସମ୍ମୋହନକୁ ପରିହାର କରିପାରିଲେ ନିରାପଦ ଗାଡ଼ିଚାଳନା ଓ ଯାତ୍ରୀଙ୍କ ନିରାପତ୍ତା ରକ୍ଷା କରାଯାଇ ପାରିବ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri