ମୁକୁଳା ଡ୍ରେନ୍‌ ପାଇଁ ବଢୁଛି ଦୁର୍ଘଟଣା

ନିରାକାରପୁର,୨୯।୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ବଜାରର ବର୍ଷା ପାଣି ନିଷ୍କାସନ ପାଇଁ ଗେଟ ବଜାର ରେଳବାଇ ଫାଟକ ନିକଟରୁ ନରେନ୍ଦ୍ରପୁର ପର୍ଯ୍ୟନ୍ତ ଏକ ଡ୍ରେନ୍‌ ନିର୍ମାଣ କରାଯାଇଛି। ଅନେକ ସ୍ଥାନରେ ଡ୍ରେନ ଉପରେ ସ୍ଲାବ୍‌ ନ ଥିବାରୁ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଗୃହପାଳିତ ପ୍ରାଣୀ ପାଣି କିମ୍ବା ଖାଦ୍ୟ ଉଦ୍ଦେଶ୍ୟରେ ଯିବାବେଳେ ଡ୍ରେନରେ ପଡ଼ି ଆହତ ହେଉଛନ୍ତି। ସରକାରୀ ନିୟମ ଅନୁସାରେ ଜନଗହଳିପୂର୍ଣ୍ଣ ସ୍ଥାନରେ କୌଣସି ଡ୍ରେନେଜ ହେଉ କି ଖାଲଖମା ନିର୍ମାଣ କରାଗଲେ ତା’ଉପରେ ସ୍ଲାବ୍‌ ପକାଇବା କଥା। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଉକ୍ତ ରାସ୍ତାରେ ଥିବା ଡ୍ରେନରେ ସ୍ଲାବ ନ ପଡ଼ି ମୁକୁଳା ରହିଛି। ଫଳରେ ପଥିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛିଦିନ ପୂର୍ବେ ଅଞ୍ଚଳର ଜଣେ ଖବରଦାତା ଉକ୍ତ ରାସ୍ତାରେ ବାଇକ୍‌ ନେଇ ଯାଉଥିବା ବେଳେ ଏହି ମୁକୁଳା ଡ୍ରେନ୍‌ରେ ଖସିପଡିଥିଲେ। ବାଇକ୍‌ଟି ଭାଙ୍ଗି ଯାଇଥିବାବେଳେ ସେ ଗୁରୁତର ଆହତ ହୋଇଥିଲେ। ଖୋର୍ଦ୍ଧା ଜିଲାର ଏକ ପ୍ରମୁଖ ପଞ୍ଚାୟତ ହୋଇଥିବା ବେଳେ ଏଠାରେ ଏକ ପୁରୁଣା ହାଟ ରହିଛି। ଏହା ଉପରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀ ନିର୍ଭରଶୀଳ। ଏହାସହିତ ସରଣକୂଳରୁ ପୁରୀ ଶ୍ରୀକ୍ଷେତ୍ର ସଂଯୋଗ ହୋଇଥିବା ନୂଆ ଜାଗନ୍ନାଥ ସଡ଼କ ଏହି ବଜାର ଦେଇ ଯାଇଥିବା ଯୋଗୁ ଦୈନିକ ଶତାଧିକ ଗାଡ଼ି ଯାତାୟାତ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା କିମ୍ବା ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ, ବ୍ୟବସାୟୀ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।

Share