ରାସ୍ତା ମଝିରେ ଗର୍ତ୍ତ, ଦୁର୍ଘଟଣା ବଢୁଛି

ଯାଜପୁରରୋଡ୍‌,୨୩ା୯ (ପବିତ୍ର ରଞ୍ଜନ ମହାନ୍ତି): ଯାଜପୁର-କେନ୍ଦୁଝର ରେଳଷ୍ଟେଶନ ସହ ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ରେଲ୍‌ଓ୍ବେ ରାସ୍ତାଟି ସହରର ଏକ ପ୍ରମୁଖ ରାସ୍ତା। ଏହି ରାସ୍ତା ଗୋପବନ୍ଧୁ ଛକଠାରୁ ଆରମ୍ଭ ହୋଇ ଷ୍ଟେଶନବଜାର, ବସ୍‌ଷ୍ଟାଣ୍ଡ, ବ୍ୟାସନଗର ପୌର ପରିଷଦ ଓ ତହସିଲ କାର୍ଯ୍ୟାଳୟ ସହ ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସଂଯୋଗ କରୁଛି। ଏହାସହ ବ୍ୟାଙ୍କ ଷ୍ଟ୍ରିଟ୍‌, ରାଧାନାଥ ମାର୍ଗ ରାସ୍ତା ମଧ୍ୟ ଏହି ରାସ୍ତାକୁ ସଂଯୋଗ କରୁଥିବାରୁ ରାସ୍ତାଟି ସବୁବେଳେ ବ୍ୟସ୍ତବହୁଳ ରହିଥାଏ। ଏହିରାସ୍ତାର ଷ୍ଟେଶନ ନିକଟରୁ ମାତ୍ର ୫୦ ମିଟର ମଧ୍ୟରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଏଥିସହ ଉକ୍ତ ଗର୍ତ୍ତ ଦୁର୍ଘଟଣାର କାରଣ ସାଜିଛି।
ବହୁ ଯାତ୍ରୀ ରେଳ ଓ ବସ୍‌ ଦ୍ୱାରା ବିଭିନ୍ନ ସ୍ଥାନକୁ ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ସେହିପରି ପୌର ପରିଷଦ ଓ ତହସିଲ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଲୋକେ ଏହି ରାସ୍ତାରେ ଯାଇଥାଆନ୍ତି। ସ୍କୁଲ୍‌, କଲେଜ ଛାତ୍ରୀଛାତ୍ର ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀନେଇ ଯାଉଥିବା ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀ ଯାନବାହନ ଏହି ରାସ୍ତା ଉପରେ ମଧ୍ୟ ନିର୍ଭର କରିଥାନ୍ତି। ବସଷ୍ଟାଣ୍ଡ୍‌ରୁ ଯାତ୍ରୀବାହୀ ବସ୍‌ଗୁଡ଼ିକ ବିଭିନ୍ନ ସହରକୁ ଯାତ୍ରୀ ପରିବହନ କରିଥିବାବେଳେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ବହୁ କର୍ମଚାରୀ ଏହିଠାରୁ ବସ ଯୋଗେ ମଧ୍ୟ ଯିବା ଆସିବା କରିଥାନ୍ତି। ତେବେ ଦୀର୍ଘ ଦିନ ହେବ ରାସ୍ତା ମଝିରେ ଗର୍ତ୍ତ ହୋଇ ସେଥିରେ ବର୍ଷା ପାଣି ଜମିରହି ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହ ଦୁର୍ଘଟଣାକୁ ଦ୍ୱିଗୁଣିତ କରିଛି। ବିଶେଷକରି ୨ ଚକିଆ ଗାଡ଼ିରେ ଯାଉଥିବା ଲୋକେ ଦୈନିକ ଛୋଟବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦୃଶ୍ୟମାନ ହେଉଛି। ଉକ୍ତ ରାସ୍ତାଟି ପୂର୍ବତଟ ରେଳପଥ ଅଧୀନ ହୋଇଥିଲେ ମଧ୍ୟ ଉଭୟ ପୌର ପରିଷଦ ଓ ରେଳବିଭାଗ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ କରିଥାନ୍ତି। ହେଲେ ଦୈନିକ ରେଳପଥ ଅଧିକାରୀ ଓ ପୌର କର୍ତ୍ତୃପକ୍ଷ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିଲେ ମଧ୍ୟ ନିଜ ଦାୟିତ୍ୱ ତୁଲାଇବାରେ ପଛଘୁଞ୍ଚା ଦେଉଛନ୍ତି। ଏ ସମ୍ପର୍କରେ ଯାଜପୁରୋଡ୍‌ଠାରେ ଥିବା ପୂର୍ବତଟ ରେଲଓ୍ବେର ସହକାରୀ ଯନ୍ତ୍ରୀ ରାଜକିଶୋର ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ରାସ୍ତା ଅବସ୍ଥା ବିଷୟରେ ଅବଗତ ନାହାନ୍ତି। ଅନ୍ୟପକ୍ଷରେ ଏହା ପିଚୁ ରାସ୍ତା ହୋଇଥିବାରୁ ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ଏହାର ମରାମତି ଆମ କ୍ଷମତା ବାହାରେ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର କହିଛନ୍ତି। ତେଣୁ ରେଲଓ୍ବେ କର୍ତ୍ତୃପକ୍ଷ ଏହି ରାସ୍ତା ମରାମତି ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।