ରାସ୍ତା କାର୍ଯ୍ୟର ସୂଚନାଫଳକ ନ ଥିବାରୁ ଘଟୁଛି ଦୁର୍ଘଟଣା

କୋରୁକୋଣ୍ଡା, ୧୨ା୫(ଡି.ଏନ. ଏ.): ମାଲକାନଗିରି ଜିଲା ସଦରରୁ ବାଲିମେଳା ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ବହୁ ସଂଖ୍ୟାରେ ଗାଡିମୋଟର ଚଳାଚଳ କରେ। ବୁଧବାରଠାରୁ ପୋଟ୍ରେଲ ଛକଠାରୁ ଶିରାଗୁଡ଼ା ଛକ ମଧ୍ୟରେ ଥିବା ଏକ ଛୋଟ ଘାଟିକୁ କାଟି ସମତୁଲ କରିବା କାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ଏହି ସମୟରେ ଗାଡିମୋଟର ଯାତାୟାତ ନିମନ୍ତେ ଅସ୍ଥାୟୀ ରୂପେ କରାଯାଇଥିବା ବିକଳ୍ପ ରାସ୍ତା ଠିକ୍‌ ରୂପେ କରାଯାଇନାହିଁ। ଯାତ୍ରୀଙ୍କ ଅବଗତି ପାଇଁ ସୂଚନା ଫଳକ ଲଗାଯିବା ନିୟମ ରହିଥିଲେ ମଧ୍ୟ ଠିକାଦାର ସେଠାରେ କୌଣସି ସୂଚନା ଫଳକ ଲଗାଇ ନାହାନ୍ତି। ଅସ୍ଥାୟୀ ବିକଳ୍ପ ରାସ୍ତା ଠିକ ଭାବେ କରାଯାଇ ନ ଥିବା ହେତୁ ରାସ୍ତାରେ ଧୂଳି ଉଡ଼ିବାସହ ଦୁର୍ଘଟଣା ଘଟୁଥିବା କେତେ ଜଣ ଯାତ୍ରୀ ଅଭିଯୋଗ କରିଛନ୍ତି। କୋରୁକୋଣ୍ଡା ବ୍ଲକ ତାରଲାକୋଟା ପଞ୍ଚାୟତ ଅଧୀନ ରୋଗେଇପୁଷ୍ପଲ୍ଲି ଗ୍ରାମର ଈର୍ମା କବାସି ବୁଧବାର ବିଳମ୍ବିତ ରାତିରେ କୋରୁକୋଣ୍ଡାରୁ ଘରକୁ ଫେରୁଥିବା ବେଳେ ରାସ୍ତା କାମ ଚାଲିଥିବା ନେଇ ସୂଚନା ଫଳକ ଲାଗି ନ ଥିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। କୋରୁକୋଣ୍ଡା ବ୍ଲକ କର୍ମଚାରୀ ରାକେଶ ଦାସ, ପିଙ୍କୁ ମଜୁମଦାର ଓ ଶୁଭଙ୍କର ବିଶ୍ୱାସ ଈର୍ମାଙ୍କୁ ତୁରନ୍ତ କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମାଲକାନଗିରି ଜଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରଶାସନ ଏଥିପ୍ରତି ଦଅଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Share