Categories: ଜାତୀୟ

ସରକାରୀ କାଗଜପତ୍ରରେ ୨୭୧୫ ମୃତକ ଜୀବିତ

ଲକ୍ଷ୍ନୌ,୧।୪: ବହୁ ବର୍ଷ ତଳେ ମୃତ୍ୟୁ ଘଟିଥିବା ଲୋକେ ସରକାରୀ କାଗଜପତ୍ରରେ ଏବେ ବି ଜୀବିତ ରହିଛନ୍ତି। ଏଭଳି ଘଟଣା ଉତ୍ତରପ୍ରଦେଶରେ ଘଟିଛି। ୨୭୧୫ ଜଣ ଲୋକ ବନ୍ଧୁକ ଲାଇସେନ୍ସ୍‌ ପାଇଁ ଆବେଦନ କରିଥିଲେ। ପରେ ସେମାନେ ବନ୍ଧୁକ କିଣି ସାରା ଜୀବନ ନିଜ ପାଖରେ ରଖିଥିଲେ। ଇତିମଧ୍ୟରେ ସେମାନଙ୍କର ମୃତ୍ୟୁ ଘଟି ସାରିଛି। ତେବେ ସେମାନଙ୍କ ବନ୍ଧୁକ ଲାଇସେନ୍ସ୍‌ ପରିବାର ସଦସ୍ୟଙ୍କ ନାମକୁ ସ୍ଥାନାନ୍ତର ହୋଇନାହିଁ। ଉତ୍ତରପ୍ରଦେଶରେ ଆଗକୁ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କ ପାଖରେ ରହିଥିବା ବନ୍ଧୁକ ଜମା କରିବା ଲାଗି ସରକାରଙ୍କ ପକ୍ଷରୁ ସୂଚନା ଜାରି ହୋଇଛି। ପୋଲିସ ବିଭାଗ ପକ୍ଷରୁ ଏନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଘରଘର ବୁଲି ପୋଲିସ ବନ୍ଧୁୂକ ଲାଇସେନ୍ସ ନେଇଥିବା ଲୋକଙ୍କ ପାଖରେ ପହଞ୍ଚୁଛନ୍ତି। ପୋଲିସ ରିପୋର୍ଟରୁ ଜଣାପଡ଼ିଛି ଯେ, ଗୋରଖପୁରରେ ୮୦ ହଜାର ୪୩୭ ଜଣ ବନ୍ଧୁକ ଲାଇସେନ୍ସ୍‌ ନେଇଥିଲେ। ମାତ୍ର ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ ୨୭୧୫ ଜଣଙ୍କ ମୃତ୍ୟୁ ଘଟି ସାରିଛି। ସମ୍ପୃକ୍ତ ବ୍ୟକ୍ତିମାନଙ୍କ ମୃତ୍ୟୁ ପରେ ପରବର୍ତ୍ତୀ ସମୟରେ ଲାଇସେନ୍ସ୍‌ ରିନିୟୁ କରାଯାଇ ନାହିଁ।

Share