ପୁରୀ ଅଫିସ,୧୩।୯:ନୂତନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍ଓପି) ଅନୁଯାୟୀ ଏଣିକି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ହେବ। ସୋମବାର (୧୩ ତାରିଖ) ଠାରୁ ଏହି ନୂତନ ଏସ୍ଓପି କାର୍ଯ୍ୟକାରୀ ହେବାକୁ ଯାଉଛି। ସେହିପରି ଶ୍ରୀମନ୍ଦିରକୁ ଭକ୍ତ ଭୋଗ ଓ ଫୁଲ ନେଇପାରିବେ। ଆନନ୍ଦବଜାରରେ ମଧ୍ୟ ମହାପ୍ରସାଦ ସେବନ କରିପାରିବେ। ଗତ ବୁଧବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ତେବେ ପୂର୍ବଭଳି ରବିବାର ସମେତ ସ୍ବତନ୍ତ୍ର ପର୍ବପର୍ବାଣିରେ ଦର୍ଶନ ବନ୍ଦ ରହିବ। ସୂଚନାଯୋଗ୍ୟ, ପୁରୁଣା ଏସ୍ଓପି ଅନୁଯାୟୀ ଗତ ୩ଦିନ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଥିଲା। ସେହିପରି ପୁରୁଣା ଏସ୍ଓପିରେ ସକାଳ ୭ଟାରୁ ରାତି ୭ଟା ପର୍ଯ୍ୟନ୍ତ ଦର୍ଶନ ଅନୁମତି ରହିଥିଲା। ତେବେ ନୂତନ ଏସ୍ଓପିରେ ଦର୍ଶନ ସମୟ ୨ଘଣ୍ଟା ବଢିଥିବାରୁ ପୁରୀକୁ ଅଧିକ ଭକ୍ତଙ୍କ ଆଗମନ ହେବ ବୋଲି ଆଶା କରାଯାଉଛି।