ବାସ୍ତୁ ଅନୁଯାୟୀ କେଉଁ ମୂର୍ତ୍ତିକୁ ଘରେ ରଖିବା ଶୁଭ, ଜାଣନ୍ତୁ…

ସାଜସଜ୍ଜା ପାଇଁ ଘରେ ଆମେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ମୂର୍ତ୍ତି ରଖିଥାଉ। କିନ୍ତୁ କିଛି ମୂର୍ତ୍ତିକୁ ବାସ୍ତୁ ଅନୁଯାୟୀ ବହୁତ ଶୁଭ ବୋଲି କୁହାଯାଏ; ଯାହାକୁ ଘରେ ରଖିଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ସୁଖଶାନ୍ତି ବଢ଼ିଥାଏ ବୋଲି ବିଶ୍ୱାସ ରହିଛି। ଯେମିତିକି:

* ହାତୀ: ଧନ, ସମୃଦ୍ଧି ଓ ଐଶ୍ୱର୍ଯ୍ୟର ପ୍ରତୀକ ହେଉଛି ହାତୀ। ବିଶେଷକରି ପିତ୍ତଳ ଓ ରୁପାର ହାତୀମୂର୍ତ୍ତି ଘର ପାଇଁ ଶୁଭ ହୋଇଥାଏ। ଶୟନକକ୍ଷରେ ପିତ୍ତଳର ହାତୀମୂର୍ତ୍ତି ରଖିଲେ ପତ୍ନୀପତିଙ୍କ ମଧ୍ୟରେ ମତଭେଦ ଦୂରହୁଏ। ଆଉ ରୁପାର ହାତୀମୂର୍ତ୍ତି ରଖିଲେ ରାହୁ ସମ୍ବନ୍ଧୀୟ ଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

* ଘୋଡ଼ା: ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଘୋଡ଼ାମୂର୍ତ୍ତି ରଖିବା ଦ୍ୱାରା ବି ପତିପତ୍ନୀଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହେବା ସହ ସୁଖଶାନ୍ତି ବଢ଼ିଥାଏ। ତା’ଛଡ଼ା ବ୍ୟବସାୟ ହେଉ ଅବା ଚାକିରି କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥାଏ। ଘରୁ ନକାରାତ୍ମକ ଊର୍ଜାକୁ ହ୍ରାସ କରି ସକାରାତ୍ମକ ଊର୍ଜାକୁ ବଢ଼ାଇବାରେ ଏହି ମୂର୍ତ୍ତି ବିଶେଷ ସାହାଯ୍ୟ କରିଥାଏ।

* ହଂସ: ଘରର ଡ୍ରଇଂ ରୁମ୍‌ରେ ଯୋଡ଼ି ହଂସଙ୍କ ମୂର୍ତ୍ତି ରଖିବା ଦ୍ୱାରା ଧନ ସମ୍ପତ୍ତି ବୃଦ୍ଧି ହେବା ସହ ଶାନ୍ତି ବଜାୟ ରହିଥାଏ। ଏପରିକି ସ୍ବାମୀସ୍ତ୍ରୀଙ୍କ ଭିତରେ ବି ସମ୍ବନ୍ଧ ଦୃଢ଼ ହୋଇଥାଏ ବୋଲି ବିଶ୍ୱାସ ରହିଛି।

* କଇଁଛ: ଘରର ପୂର୍ବ ଓ ଉତ୍ତର ଦିଗରେ କଇଁଛ ମୂର୍ତ୍ତି ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଧନ-ସମୃଦ୍ଧି ସହିତ ଘରର ଉନ୍ନତି ତଥା ପରିବାର ଲୋକଙ୍କ ଆୟୁଷ ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ବାସ୍ତୁବିତ୍‌ମାନେ ମତ ଦେଇଥାନ୍ତି।

* ମାଛ: ମାଛର ମୂର୍ତ୍ତିକୁ ସୁସ୍ବାସ୍ଥ୍ୟ, ସୁଖସମୃଦ୍ଧି, ଧନ ଓ ଶକ୍ତିର ପ୍ରତୀକ ବୋଲି କୁହାଯାଏ। ପିତ୍ତଳ କିମ୍ବା ରୁପାର ମାଛମୂର୍ତ୍ତିକୁ ଘରର ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ରଖିବା ଶୁଭ ହୋଇଥାଏ।