‘ଟ୍ରମ୍ପ୍‌ଙ୍କୁ ବହିଷ୍କାର ନ କଲେ ମହାଭିଯୋଗ’

ନ୍ୟୁୟର୍କ, ୧୨।୧(ଆଇଏଏନ୍‌ଏସ୍‌): ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଓ କ୍ୟାବିନେଟ ସାମ୍ବିଧାନିକ କ୍ଷମତାର ଉପଯୋଗ କରି ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ବହିଷ୍କାର କରନ୍ତୁ। ନଚେତ୍‌ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ଅଣାଯିବ ବୋଲି ପ୍ରତିନିଧି ସଭା ସ୍ପିକର ନାନ୍ସି ପେଲୋସି ଉପରାଷ୍ଟ୍ରପତି ଓ କ୍ୟାବିନେଟକୁ ନୋଟିସ ଦେଇଛନ୍ତି। ସମ୍ବିଧାନର ୨୫ତମ ସଂଶୋଧନରେ ରାଷ୍ଟ୍ରପତିଙ୍କୁ ବହିଷ୍କାର କରିବା କ୍ଷମତା ଉପରାଷ୍ଟ୍ରପତି ଓ କ୍ୟାବିନେଟକୁ ପ୍ରଦାନ କରାଯାଇଛି। ଏହି କ୍ଷମତାର ଉପଯୋଗ ଦାବିରେ ପ୍ରତିନିଧି ସଭାରେ ସଂକଳ୍ପ ଆଣିବା ଲାଗି ପେଲୋସି ତାଙ୍କ ଡେମୋକ୍ରାଟିକ୍‌ ପାର୍ଟି ସହକର୍ମୀମାନଙ୍କୁ ରବିବାର ପତ୍ର ଲେଖିଥିଲେ। ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଲାଗି ଆମକୁ ତୁରନ୍ତ ପଦକ୍ଷେପ ନେବାକୁ ହେବ। କାରଣ ବର୍ତ୍ତମାନର ରାଷ୍ଟ୍ରପତି ଉଭୟ ପାଇଁ ବିପଦ। ରାଷ୍ଟ୍ରପତି ଭାବେ ସେ କର୍ତ୍ତବ୍ୟ ପାଳନ ଲାଗି ଅସମର୍ଥ ଘୋଷଣା କରି ତାଙ୍କୁ ବହିଷ୍କାର କରିବା ଲାଗି ଉପରାଷ୍ଟ୍ରପତି ଓ କ୍ୟାବିନେଟ ଉଦ୍ଦେଶ୍ୟରେ ସଂକଳ୍ପ ଅଣାଯିବ ବୋଲି ପେଲୋସି କହିଥିଲେ। ପ୍ରସ୍ତାବ ଉପରେ ମଙ୍ଗଳବାର କିମ୍ବା ବୁଧବାର ଭୋଟ ନିଆଯିବ।

Share