
ବ୍ରହ୍ମପୁର, ୨୨ା୩(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକସ ଅଦାଲତ ବିଚାରପତି ପ୍ରଣତି ପଟ୍ଟନାୟକ ଶନିବାର ଏକ ବଳାତ୍କାର ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ପ୍ରମାଣ ଅଭାବରୁ ଉକ୍ତ ମାମଲାର ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେ ହେଲେ ଛତ୍ରପୁର ଥାନା ଅଞ୍ଚଳର କାହ୍ନୁ ବାରିକ(୨୫)।
ମାମଲାର ବିବରଣୀରୁ ପ୍ରକାଶ, ୨୦୧୮ ନଭେମ୍ବର ୭ରେ ଜନୈକା ୧୭ ବର୍ଷର ନାବାଳିକାଙ୍କୁ କାହ୍ନୁ ବଳାତ୍କାର କରିଥିଲେ। ପରେ ସେ ଦେଢ଼ ବର୍ଷ ଧରି ତାଙ୍କୁ ଭୟଭୀତ କରି ବାରମ୍ବାର ବଳାତ୍କାର କରି ଆସୁଥିଲେ। ଏପରିକି ସେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ନାବାଳିକା ଜଣଙ୍କ ଗର୍ଭବତୀ ହେବା ଜାଣିବା ପରେ କାହ୍ନୁ ତାଙ୍କୁ ଔଷଧ ଖାଇବାକୁ ଦେଇ ତାଙ୍କ ଗର୍ଭପାତ କରିଥିଲେ ବୋଲି ନାବାଳିକା ଜଣକ ଛତ୍ରପୁର ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଥିଲେ। ଏହାକୁ ଭିତ୍ତିକରି ପୋଲିସ ନଂ. ୧୭୭/୧୮ରେ ଏକ ମାମଲା ରୁଜୁକରି ତଦନ୍ତ ପରେ ସମ୍ପୃକ୍ତ ଅଭିଯୁକ୍ତ କାହ୍ନୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେଠାରୁ ଉକ୍ତ ମାମଲା ସ୍ବତନ୍ତ୍ର ପୋକସ ଅଦାଲତରେ ବିଚରାଧୀନ ଥିଲା। ମାମଲାର ବିଚାରଣା ବେଳେ ୧୮ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସାକ୍ଷୀମାନଙ୍କ ବୟାନକୁ ଆଧାର କରି ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ମିଳି ନ ଥିବାରୁ ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ମୁଦଲାଙ୍କ ପକ୍ଷରୁ ଆଇନଜୀବୀ ପ୍ରଦୀପ ମହାପାତ୍ର ଓ ତାଙ୍କ ସହଯୋଗୀ ଶ୍ରୀମନ୍ତ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।