୨ଲୁଟ ଘଟଣାରେ ଫେରାର ଅଭିଯୁକ୍ତ ଗିରଫ

ଛତ୍ରପୁର,୩।୭(ଡି.ଏନ୍‌.ଏ.): ଛତ୍ରପୁରର ୨ଟି ଲୁଟ ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି ପୋଲିସ। ମାଁ ଶାରଳା ସୁନା ଦୋକାନୀ ଦମ୍ପତିଙ୍କୁ ଆକ୍ରମଣ କରି ଗହଣା ଓ ଟଙ୍କା ଲୁଟ ଘଟଣା ଏବଂ ମହିଳାଙ୍କ ବେକରୁ ସୁନା ଚେନ ଓ ମାଳି ଝାମ୍ପିନେଇଥିବାର ୨ଟି ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଫେରାର ହେବାରେ ସକ୍ଷମ ହୋଇଥିଲେ। ତେବେ ଫେରାର ହୋଇଯାଇଥିବା ଅଭିଯୁକ୍ତଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହିର ସୁରଜ ପାଢୀ ବୋଲି ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାଏ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୨୦ ଅଗଷ୍ଟ ୨୬ ରାତିରେ ମାଁ ଶାରଳା ସୁନା ଦୋକାନୀ ଦମ୍ପତିଙ୍କୁ କୋର୍ଟ ଷ୍ଟେସନ ଗଳାଶଙ୍ଖ ନିକଟରେ ୨ଜଣ ଦୃର୍ବୁତ୍ତ ଆକ୍ରମଣ କରିଥିଲେ। ଏଥିସହ ସୁନା, ରୂପା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ସେହିପରି ୨୦୨୦ ଡିସେମ୍ବର ୧୪ରେ ସ୍ପଷ୍ଟଦିବାଲୋକରେ ଜାମସେଦପୁରପୁରର ଆଶା ଦେବୀଙ୍କଠାରୁ ପାତ୍ରସାହି ନିକଟରୁ ଦୃର୍ବୁତ୍ତମାନେ ସୁନା ଚେନ ଓ ମାଳି ଝାମ୍ପିନେବାରେ ସଫଳ ହୋଇଥିଲେ। ତେବେ ଏହି ଦୁଇଟି ଘଟଣାରେ ପୂର୍ବରୁ ବ୍ରହ୍ମପୁରର ଶିବ ମହାନ୍ତି ଗିରଫ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ସୁରଜ ପାଢୀ ଫେରାର ଥିଲେ। କିଛି ମାସ ପରେ ହେଉ ନା କାହିଁକି ଶେଷରେ ସୁରଜଙ୍କୁ ଗିରଫ କରିବାରେ ସଫଳ ହୋଇଛି ଛତ୍ରପୁର ପୋଲିସ।