ବେଙ୍ଗଲ-ଓଡ଼ିଶା ସୀମାରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ମେଡିକାଲ କଲେଜ, ଇଞ୍ଜିନିୟରିଂ କଲେଜଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ଦେବାକୁ କହି ଛାତ୍ରୀଛାତ୍ରଙ୍କୁ ଠକୁଥିବା ଜଣେ ଯୁବକଙ୍କୁ ସୋମବାର କମିଶନରେଟ୍‌ ପୋଲିସର ସ୍ପେଶାଲ୍‌ ସ୍କ୍ବାଡ୍‌ ଟିମ୍‌ ବେଙ୍ଗଲ-ଓଡ଼ିଶା ସୀମାରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଯାଜପୁର ଜିଲା ନାରଣପୁରର ସୁମିତ୍‌ କୁମାର ବିଶ୍ୱାଳ। ସୁମିତ ମୁଖ୍ୟତଃ କମ୍‌ ମାର୍କ ରଖିଥିବା ଧନିକ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ନିଜ ଜାଲରେ ଫସାଉଥିଲେ। ଦେଶ ବାହାର ତଥା ଦେଶ ମଧ୍ୟରେ ଥିବା ବଡ ବଡ କଲେଜରେ ନାମ ଲେଖାଇଦେବାର ବିଶ୍ୱାସ ଜନ୍ମାଇ ଛାତ୍ରୀଛାତ୍ରଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଠକି ନେଉଥିଲେ। ସୁମିତଙ୍କ ନାମରେ କମିଶନରେଟ ପୋଲିସର ଏକାଧିତ୍କ ଥାନାରେ ମାମଲା ରହିଥିବା ବେଳେ କେବଳ ଲିଙ୍ଗରାଜ ଥାନାରେ ୪ ଅଭିଯୋଗ ରହିଛି। ଏପର୍ଯ୍ୟନ୍ତ ତାଙ୍କ ନାମରେ ୪୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ନେଇ ଅଭିଯୋଗ ଆସିସାରିଥିବା ବେଳେ ଆଗକୁ ଏଥିରେ ଆହୁରି ବୃଦ୍ଧି ଘଟିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଆଗକୁ ସୁମିତଙ୍କୁ ରିମାଣ୍ଡରେ ଅଣାଯାଇ ଠକେଇ ସମ୍ପର୍କରେ ଅଧିକ ଖୋଳତାଡ କରାଯିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।
ସୂଚନା ଅନୁଯାୟୀ, ସୁମିତଙ୍କ ବିରୋଧରେ କମିଶନରେଟ୍‌ ପୋଲିସର ଏକାଧିକ ଥାନାରେ ଅଭିଯୋଗ ଆସିବା ପରେ ତାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏନେଇ ଡିସିପି ଉମାଶଙ୍କର ତଦନ୍ତ ଭାର ସ୍ପେଶାଲ୍‌ ସ୍କ୍ବାଡ୍‌କୁ ଦେଇଥିଲେ। ପରେ ସ୍ପେଶାଲ୍‌ ସ୍କ୍ବାଡ ପକ୍ଷରୁ ଘଟଣାର ତଦନ୍ତ କରାଯିବା ସହ ସୁମିତଙ୍କ ଉପରେ ନଜର ରଖାଯାଇଥିଲା। ସୁମିତ ଠକେଇ ଟଙ୍କାରେ କୋଲକାତାରେ ରହି ବିଳାସ ବ୍ୟସନ ଜୀବନ ବିତାଉଥିବା ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିଲା। ଏନେଇ ସ୍ପେଶାଲ୍‌ ସ୍କ୍ବାଡ୍‌ର ଏକ ଟିମ୍‌ କୋଲକାତା ଯାଇଥିଲା। ସେଠାରେ ସୁମିତ୍‌ ରହୁଥିବା ହୋଟେଲ୍‌ ଉପରେ ପୋଲିସ ନଜର ରଖିଥିଲା। ତେବେ ଏହା ଜାଣିପାରି ସୁମିତ ରବିବାର ସେଠାରୁ ଖସି ଓଡ଼ିଶା ପଳାଇ ଆସିବାକୁ ଉଦ୍ୟମ କରିଥିଲେ। ମାତ୍ର ପୋଲିସ ତାଙ୍କ ପିଛା କରିବା ସହ ବେଙ୍ଗଲ-ଓଡ଼ିଶା ସୀମା ନିକଟରେ ତାଙ୍କୁ କାବୁ କରିଥିଲା।

Share