ଖଲ୍ଲିକୋଟ,୩୦ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ କେଶପୁର ବଜାରରେ ଥିବା ଏସ୍ବିଆଇ ବ୍ୟାଙ୍କର ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ କରିବା ଅଭିଯୋଗରେ ଖଲ୍ଲିକୋଟ ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ଥିନୂଆଁଗାଁର ବୁଡୁ ନାହାକ।
ଶନିବାର ରାତି ପ୍ରାୟ ୨ଟାରେ ଜଣେ ଯୁବକ କେଶପୁର ବଜାରରେ ଥିବା ଏକ ଏସ୍ବିଆଇ ବ୍ୟାଙ୍କର ଏଟିଏମ୍ରୁ ଟଙ୍କା ଲୁଟ କରିବାରେ ବିଫଳ ହେବା ପରେ ଏକ ବଡ଼ ପଥରରେ ଏଟିଏମ୍ଟିକୁ ଭାଙ୍ଗି ଚୂରମାର କରିଦେଇଥିବା ବେଳେ ବାହାର ପଟେ ଲାଗିଥିବା ସିସିଟିଭି କ୍ୟାମେରାଟିକୁ ମଧ୍ୟ ଭାଙ୍ଗି ଦେଇ ଯୁବକ ଜଣଙ୍କ ଫେରାର ହୋଇଯାଇଥିଲେ। ରବିବାର ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ କେଶପୁର ନିକଟରୁ ଉକ୍ତ ଯୁବକଙ୍କୁ ଗିରଫ କରିଥିଲା। ଏ ସମ୍ପର୍କରେ ନଂ. ୬୪୫/୨୦୨୨ ଅନୁଯାୟୀ ପୋଲିସ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଛି। ଅପରାହ୍ନରେ ଖଲ୍ଲିକୋଟ ପୋଲିସ ଅଭିଯୁକ୍ତଙ୍କୁ ଏଟିଏମ୍ ନିକଟକୁ ଆଣିବା ପରେ ସେ ଡେମୋ ଦେଖାଇଥିଲେ। ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।