ପ୍ରେମ ପରେ ପ୍ରତାରଣା ପଡ଼ିଲା ମହଙ୍ଗା: ବନ୍ଧା ହେଲେ ଅଭିଯୁକ୍ତ ପ୍ରେମିକ

ରୂପ୍‌ସା, ୧୬।୭(ଡି.ଏନ.ଏ.)-ଦିଲ୍ଲୀରେ ଜଣେ ଯୁବତୀଙ୍କୁ ପ୍ରେମ ପରେ ପ୍ରତାରଣା ଘଟଣା ଓଡ଼ିଆ ଯୁବକଙ୍କ ପାଇଁ ମହଙ୍ଗା ପଡିଛି। ଶେଷରେ ଅଭିଯୁକ୍ତ ପ୍ରେମିକଙ୍କୁ ପୋଲିସ ଗିରଫ କରିଛି। ବିବାହ ଲାଗି ପ୍ରେମିକା ଅଡିବସିଥିଲେ ମଧ୍ୟ ପ୍ରେମିକଙ୍କ ପରିବାରବର୍ଗ ଅସ୍ବୀକାର କରିବାରୁ ପୋଲିସ ବାଧ୍ୟ ହୋଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ପ୍ରେମିକ ହେଲେ ବାଲେଶ୍ୱର ଜିଲା ରୂପ୍‌ସା ଥାନା ଓଡ଼ିଆଶାସନ ଗ୍ରାମର ବିଶ୍ୱଜିତ ବିଶ୍ୱାଳ।
ଅଭିଯୋଗ ମୁତାବକ, ବିଶ୍ୱଜିତ ନଏଡ଼ାର ଏକ କମ୍ପାନୀରେ ଚାକିରି କରୁଥିଲେ। ସେହି କମ୍ପାନୀରେ ଚାକିରି କରୁଥିବା କୋଲକାତାର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ସେ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘ ୪ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରି ଓଡ଼ିଶା ଚାଲିଆସିଥିଲେ। ଏଠାରେ ତାଙ୍କର ଅନ୍ୟ ଜଣେ ଝିଅ ସହ ଗତ ମଙ୍ଗଳବାର ବାହାଘର ଠିକ୍‌ ହୋଇଥିଲା। ପ୍ରେମିକା ଜଣକ ଖୋଜିଖୋଜି ଆସି ଗତ ସୋମବାର ପ୍ରେମିକଙ୍କ ଘରେ ପହଞ୍ଚତ୍ ବିବାହ କରିବା ଦାବିରେ ଧାରଣାରେ ବସିରହିଥିଲେ। ପ୍ରେମିକ ଫେରାର ହୋଇଯିବା ପରେ ମଙ୍ଗଳବାର ଯୁବତୀ ଜଣକ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ। ରୂପ୍‌ସା ଥାନା ଆଇଆଇସି ବିଶ୍ୱଜ କୁମାର ରାଉତରାୟ ଉଭୟ ପ୍ରେମୀଯୁଗଳଙ୍କୁ ଥାନାରେ ପଚରାଉଚୁରା କରି ସମାଧାନ ପାଇଁ ଚେଷ୍ଟା କରିଥିଲେ। ମାତ୍ର ଯୁବତୀ ଜଣକ ବିବାହ ପାଇଁ ଅଡି ବସିବାରୁ ଯୁବକ ଓ ତାଙ୍କ ପରିବାରବର୍ଗ ଏଥିରେ ରାଜି ହୋଇ ନ ଥିଲେ। ବିବାହ ନ କଲେ ପ୍ରେମିକଙ୍କୁ ୪ଲକ୍ଷ ଟଙ୍କା ଦେବା ପାଇଁ ପ୍ରେମିକା ସର୍ତ୍ତ ରଖିଥିଲେ। ମାତ୍ର ଏହି ସର୍ତ୍ତରେ ସେ ରାଜି ହୋଇ ନ ଥିଲେ। ବୁଧବାର ଏ ସଂକ୍ରାନ୍ତରେ ଏକ ମାମଲା (ନଂ. ୬୨/୨୦) ରୁଜୁ କରି ପୋଲିସ ଅଭିଯୁକ୍ତ ପ୍ରେମିକଙ୍କୁ କୋର୍ଟଚାଲାଣ କରିଛି।

Share