ଥାନାରେ ଅଭିଯୁକ୍ତଙ୍କ ମୃତ୍ୟୁ: ସ୍ବାମୀଙ୍କୁ ମାରି ଦେଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ସ୍ଥାନୀୟ ବଡ଼ଗଡ଼ ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ମୃତକ ହେଲେ କପିଳପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ। ରବିବାର ରାତିରେ ସେ ରସୁଲଗଡ଼ରୁ ଘରକୁ ଫେରୁଥିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇଥିବା ଦେବେନ୍ଦ୍ରଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଥାନା ହାଜତରେ ସେ ତଳେ ପଡ଼ି ଗୁରୁତର ହେବା ପରେ ଦେବେନ୍ଦ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାନୁଯାୟୀ, ଦେବେନ୍ଦ୍ରଙ୍କ ନାଁରେ ପୂର୍ବରୁ ଏକାଧିକ ଚୋରି ମାମଲା ରହିଛି। ରବିବାର ରାତିରେ ଚୋରି କରୁଥିବା ବେଳେ ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ସେ ପଡ଼ିଯାଇଥିଲେ। ଥାନାକୁ ଆଣି ଜେରା ବେଳେ ତାଙ୍କ ସ୍ବାସ୍ଥ୍ୟ ଭଲ ନ ଥିବା ସେ କହିଥିଲେ। ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ହାଜତ ମୃତ୍ୟୁ ଅଭିଯୋଗକୁ ପୋଲିସ ଖଣ୍ଡନ କରିବା ସହ ଥାନା ସିସିଟିଭିରେ ସବୁ ପ୍ରମାଣ ରହିଥିବା କହିଛି।

Share