ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମା’: ଗିରଫ ହେଲେ ଜ୍ୱାଇଁ

କୋଦଳା,୧୯ା୮(ଅମିତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନା ଅଧୀନ ସାଙ୍କୁଡ଼ା ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଲେ କସ୍ତୁରୀ ପଲାଇ। ଘଟଣାରେ ସ୍ବାମୀ ସୁକାନ୍ତ ପଲାଇକୁ ପୋଲିସ ଗିରଫ କରିଛି।

ଶୁକ୍ରବାର କସ୍ତୁରୀଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଥାନା ଅଧିକାରୀ ପୂର୍ଣଚନ୍ଦ୍ର ପ୍ରଧାନ ଜବତ କରିଥିଲେ। ପୁରୁଷୋତ୍ତମପୁର ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ମୃତ କସ୍ତୁରୀଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି।

ମିଳିଥିବା ସୂଚନା ମୁତାବକ, ୧୪ବର୍ଷ ତଳେ ସାଙ୍କୁଡ଼ା ଗ୍ରାମର ସୁକାନ୍ତଙ୍କ ସହ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ପଞ୍ଚାୟତର ଧୋବାପଲ୍ଲୀ ଗ୍ରାମର କସ୍ତୁରୀଙ୍କ ବିବାହ ହୋଇଥିଲା। ବିବାହ ପରେ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ପାରିବାରିକ ଅଶାନ୍ତି ଲାଗି ରହୁଥିଲା। ଫଳରେ କସ୍ତୁରୀ ଗତ ଅଢେଇ ବର୍ଷ ହେଲା ନିଜ ବାପା ଘରେ ରହୁଥିଲେ। ତେବେ ଉଭୟଙ୍କ ମଧ୍ୟରେ ବୁଝାଶୁଝା ହେବା ପରେ କସ୍ତୁରୀ ଗତ ୧୦ଦିନ ହେଲା ଶାଶୂଘର ସାଙ୍କୁଡ଼ା ଆସିଥିଲେ। ଶୁକ୍ରବାର ପୁଣି ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା ଏବଂ ଅପରାହ୍ନରେ କସ୍ତୁରୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ତେବେ କସ୍ତୁରୀଙ୍କୁ ହତ୍ୟା କରି ଫ୍ୟାନରେ ଟଙ୍ଗାଇ ଦେଇଥିବା କସ୍ତୁରୀଙ୍କ ମା’ ଅଭିଯୋଗ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।