ମହିଳା ବିଚାରପତିଙ୍କୁ ପ୍ରେମ ନିବେଦନ କଲେ ଅଭିଯୁକ୍ତ…

ଓ୍ବାଶିଂଟନ, ୮।୨: ଏବେ ସୋସିଆଲ୍‌ ମିଡ଼ିଆରେ ଜଣେ ଅଭିଯୁକ୍ତଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଆମେରିକାର ଫ୍ଲୋରିଡ଼ାସ୍ଥିତ ବ୍ରୋଓ୍ବାଡ଼ା କାଉଣ୍ଟି କୋର୍ଟରେ ଏକ ଚୋରି ମାମଲାର ବିଚାର ଅନ୍‌ଲାଇନ୍‌ରେ ଜୁମ୍‌ କଲ୍‌ ମାଧ୍ୟମରେ ଚାଲିଥିବାବେଳେ ଅଭିଯୁକ୍ତ ଡେମେଟ୍ରିୟସ୍‌ ଲୁଇସ୍‌ ମହିଳା ବିଚାରପତି ତାବିଥା ବ୍ଲାକ୍‌ମୋନ୍‌ଙ୍କୁ ପ୍ରେମ ନିବେଦନ କରିଛନ୍ତି। ଏହି ଘଟଣା ଗତ ଗୁରୁବାର ଘଟିଛି। ଲୁଇସ୍‌ଙ୍କ ବିରୋଧରେ ଘରେ ସିନ୍ଧି କରିବା ଅଭିଯୋଗ ହୋଇଥିଲା। ଏନେଇ ତାଙ୍କୁ କୋର୍ଟରେ ବିଚାର ପାଇଁ ହାଜର କରାଯାଇଥିଲା। ତେବେ ସୁନ୍ଦରୀ ବିଚାରପତି ବ୍ଲାକ୍‌ମୋନ୍‌ ଦେଖି ବିଚାର କଥା ଭୁଲି ଲୁଇସ୍‌ ତାଙ୍କ ରୂପର ପ୍ରଶଂସା କରିବାକୁ ଲାଗିଥିଲେ। ବ୍ଳାକ୍‌ମୋନ୍‌ ଦେଖିବାକୁ ସୁନ୍ଦର ବୋଲି ଲୁଇସ୍‌ କହିଥିଲେ। ଏହା ସହିତ ‘ ଆଇ ଲଭ୍‌ ୟୁ’ ବୋଲି ଅଭିଯୁକ୍ତ ଲୁଇସ୍‌ ବିଚାରପତି ବ୍ଲାକ୍‌ମୋନ୍‌ଙ୍କ ଉଦ୍ଦେଶ୍ୟରେ କହିଥିଲେ। ଅଭିଯୁକ୍ତଙ୍କ ଏଭଳି ମନ୍ତବ୍ୟରେ ବିଚାରପତି ମୁରୁକି ହସି କୋର୍ଟର କାର୍ଯ୍ୟ ଜାରି ରଖିଥିଲେ। ଏହାର ୨ ମିନିଟ୍‌ ୧୦ ସେକେଣ୍ଡରର ଏକ ଭିଡ଼ିଓ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ଇତିମଧ୍ୟରେ ଏହାକୁ ୧୦ ଲକ୍ଷରୁ ଅଧିକ ଥର ଦେଖାସରିଛି।

Share