ବାପାଙ୍କୁ ହତ୍ୟା ଅଭିଯୋଗ: ପୁଅ ଅଟକ

ସମ୍ବଲପୁର,୭ା୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ବାସୁପାଲି ଗ୍ରାମରେ ଶୁକ୍ରବାର ପୁଷ୍ପପୁନି ଦିନରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ପୁଅଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଲେ ବିଷ୍ଣୁ ସୁନା (୬୨)। ପୋଲିସ ଘରଭିତରୁ ମୃତଦେହ ସହ ରକ୍ତଲଗା ଠେଙ୍ଗା ଓ ଅନ୍ୟ ସାମଗ୍ରୀ ଜବତ କରିଛି। ଏ ନେଇ ଥାନାରେ ହତ୍ୟା ମାମଲା (ନଂ.୩/୨୩) ରୁଜୁ ହୋଇଥିବା ଥାନା ଅଧିକାରୀ ରାଜକୁମାର ବିଶ୍ୱାଳ କହିଛନ୍ତି। ସେ ଆହୁରି କହିଛନ୍ତି, ବିଷ୍ଣୁଙ୍କ ସ୍ତ୍ରୀ କିଶୋରୀ ପାରିବାରିକ କାମରେ ସହରରେ ଥିବା ନିଜ ଝିଅଘରକୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ସେ ଘରକୁ ଫେରିବା ବେଳକୁ ବିଷ୍ଣୁଙ୍କ ମୃତଦେହ ପଡିଥିବା ଦେଖିଥିଲେ। ସେ ସମୟରେ ପୁଅ ଅକ୍ଷୟ ମଧ୍ୟ ଘରେ ଅନୁପସ୍ଥିତ ରହିଥିଲେ। ଏହା ଜାଣିବା ପରେ ପଡୋଶୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ବୋଲି ଜଣାପଡିଥିଲା। ରାତିରେ ବାପାପୁଅ ଘରେ ଏକାଠି ରହିଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅକ୍ଷୟ ଠେଙ୍ଗାରେ ବିଷ୍ଣୁଙ୍କୁ ଆକ୍ରମଣ କରିଥିଲେ। ଏଥିରେ ବିଷ୍ଣୁଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ମଧ୍ୟ କେହି ଯେପରି ସନ୍ଦେହ ନ କରିବେ ସେଥିପାଇଁ ସେ ଘରଛାଡି ଯାଇ ନ ଥିଲେ। ଓଲଟା ପୋଲିସ ପାଖକୁ ଆସି ବୟାନ ଦେଇଥିଲେ। ପାରିପାର୍ଶ୍ୱିକ ସ୍ଥିତିି ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କଠାରୁ ବୟାନ ନେବା ପରେ ହତ୍ୟାକାଣ୍ଡରେ ଅକ୍ଷୟଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି। ଏବେ ମଧ୍ୟ ଅଧିକ ପ୍ରମାଣ ସଂଗ୍ରହ କରାଯାଉଛି ବୋଲି ଥାନା ଅଧିକାରୀ ବିଶ୍ୱାଳ କହିଛନ୍ତି।