Categories: ଜାତୀୟ

୨୦ ବର୍ଷ ଜେଲରେ ରହିବା ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ବଳାତ୍କାର ଅଭିଯୁକ୍ତ

ଲଳିତପୁର,୨୩।୨: ବିନା ଦୋଷରେ ଜଣେ ଲୋକଙ୍କୁ ୨୦ ବର୍ଷ ଜେଲରେ ବିତାଇବାକୁ ପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଲଳିତପୁରରେ ଘଟିଛି। ୧୬ ବର୍ଷ ବୟସରେ ୨୦୦୦ରେ ବିଷ୍ଣୁ ନାମକ ଅଭିଯୁକ୍ତଙ୍କୁ ଶେଶନ କୋର୍ଟ ଆଜୀବନ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ। ତେବେ ସେତେବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ପ୍ରମାଣ ନ ଥିଲା। ଅପରପକ୍ଷରେ ଆଜୀବନ କାରାଦଣ୍ଡାଦେଶ ଅବଧି ୧୪ ବର୍ଷ ଥିବାବେଳେ ଅଭଯୁକ୍ତଙ୍କୁ ଅଧିକ ୬ ବର୍ଷ ଜେଲରେ ବିତାଇବାକୁ ପଡ଼ିଛି। ଏହି ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟ ଜେଲକୁ ଭର୍ସନା କରିଛନ୍ତିି। ଅଭିଯୁକ୍ତଙ୍କ ବିରୋଧରେ ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗ ଅଣାଯାଇଥିଲା। ସମ୍ପୃକ୍ତ ମହିଳା ଏସ୍‌ସି ହୋଇଥିବାରୁ ଏସ୍‌ସି-ଏସ୍‌ଟି ଆକ୍ଟ ଅନୁସାରେ ଶେଶନ କୋର୍ଟ ଏଭଳି ରାୟ ଦେଇଥିଲେ। ପରେ ଅଭିଯୁକ୍ତ ଏନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ବିଚାରପତି ଡ. କେ.ଜେ. ଠାକ୍‌ରେ ଏବଂ ଗୌତମ ଚୌଧୁରୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ନ ଥିବା ଦର୍ଶାଇ ତାଙ୍କ୍‌ୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏବେ ବିଷ୍ଣୁଙ୍କୁ ୩୬ ବର୍ଷ। ବିନା ଦୋଷରେ ଜେଲରେ ୨୦ ବର୍ଷ ବିତାଇ ଥିବାରୁ ଏବଂ ଆଜୀବନ କାରାଦଣ୍ଡ ସମୟ ସୀମା ଶେଷ ପରେ ବି କାହିଁକି ଆଇନର ପାଳନ କରାଗଲା ନାହିଁ ବୋଲି ହାଇକୋର୍ଟ ଭର୍ସନା କରିଛନ୍ତି।

Share