ଛାତ୍ରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ହତ୍ୟା ଧମକ ଅଭିଯୋଗ; ଥାନାରେ ମାମଲା, ୪ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ପାଠ ପଢୁଥିବା ଜଣେ ଛାତ୍ରଙ୍କୁ ଦାଦାବଟି ପାଇଁ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରତି ମାସରେ ଦାଦା ବଟି ଦିଆ ନଗଲେ ତାଙ୍କୁ ଜୀବନରେ ମାରିଦେବାକୁ ଅଭିଯୁକ୍ତ ମାନେ ଧମକ ଦେଇଥିବା ନେଇ ଛାତ୍ର ଜଣକ ସୋମବାର ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।

ଯୁକ୍ତ-୨ ଦ୍ବିତୀୟ ବର୍ଷର ଛାତ୍ର ମଳୟକାନ୍ତ ପାଢ଼ୀ ଗତ ଅଗଷ୍ଟ ୨୦ ତାରିଖରେ କଲେଜ ନିକଟରେ ଛିଡ଼ା ହୋଇଥିବା ବେଳେ ଦିଗପହଣ୍ଡି ପୁଞ୍ଜିକୟାଁ ଛକର ଅଜିତ ଓରଫ ବଳିଆ ସେଠୀ, ଜଗନ ସେଠୀ, ବି. ତୁରୁବୁଡି ଗ୍ରାମର କ୍ରିଷ୍ଣା ରେଡ୍ଡୀ, ପାଟପୁର ଗ୍ରାମର ଚନ୍ଦନ ମହାନ୍ତି  ତାଙ୍କୁ ମାସିକ ଦାଦାବଟି ଦେବାକୁ କହିଥିଲେ। ସେ କାହିଁକି ବୋଲି ପଚାରିବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ସେହି ସମୟରେ ଅଜିତ ସେଠୀ ପକେଟରୁ  ପିସ୍ତଲ ବାହାର କରି ଧମକ ଦେଇଥିବା ମଳୟକାନ୍ତ ପୋଲିସ କୁ କହିବା ସହ ବିଭିନ୍ନ ସମୟରେ ସେହି ଗୋଷ୍ଠୀର ଯୁବକ ମାନେ ତାଙ୍କୁ ରାସ୍ତାରେ ଅଟକାଇ ଧମକ ଦେଉଥିବାରୁ ସେ ବାଧ୍ୟ ହୋଇ ଜୀବନ ଭୟରେ ଏତଲା ଦେଇଥିବା କହିଛନ୍ତି। ଏତଲା ଅନୁଯାୟୀ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ. ୩୩୮/୨୪ ପ୍ରକାରେ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ଏଏସଆଇ ନରସିଂହ ପାଣିଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।ଗିରଫ ଭୟରେ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ  ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ କହିଛନ୍ତି।

Share