ଫାଣ୍ଡିରୁ ଅଭିଯୁକ୍ତ ସ୍ବାମୀ ଚମ୍ପଟ: ପୋଲିସର ପାରିବାପଣିଆ ପ୍ରତି ଉଠିଲା ପ୍ରଶ୍ନ

ଗୋପାଳପୁର,୧୯।୭(ନବୀନ ରାଜ ଆଚାରୀ): ନବବଧୂ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀଙ୍କୁ ଧରି ବାପଘର ଲୋକେ ପୋଲିସ ଜିମା ଦେଇଥିଲେ। ହେଲେ ଏହାର କିଛି ଘଣ୍ଟା ମଧ୍ୟରେ ବ୍ରହ୍ମପୁର ମେଡିକାଲ ଫାଣ୍ଡିରୁ ଅଭିଯୁକ୍ତ ସ୍ବାମୀ ଚମ୍ପଟ ମାରିଥିଲେ। ଏହି ଘଟଣା ୪ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି। ଫଳରେ ପୋଲିସର ପାରିବାପଣିଆ ପ୍ରତି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।

କିପରି ଓ କେଉଁ ପରିସ୍ଥିତିରେ ଅଭିଯୁକ୍ତ ଚମ୍ପଟ ମାରିଲେ ତାକୁନେଇ ସନ୍ଦେହ ଦିନକୁ ଦିନ ଘନିଭୂତ ହେବାରେ ଲାଗିଛି। ଅନ୍ୟପକ୍ଷେ ଅଭିଯୁକ୍ତଙ୍କୁ ଗିରଫ ପ୍ରତିବାଦରେ ମଙ୍ଗଳବାର ମୃତ ରାଣୀଙ୍କ ବାପଘର ଲୋକ ଗୋଳନ୍ଥରା ଥାନା ସମ୍ମୁଖରେ ମୃତଦେହ ରଖି ଧାରଣା ଦେଇଥିଲେ l ପୋଲିସ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ହେଲେ ଘଟଣାର ୪ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଲକ୍ଷ୍ମୀଙ୍କୁ ପୋଲିସ ଗିରଫ କରିପାରି ନାହିଁ l ଅଭିଯୁକ୍ତ ବାହାର ରାଜ୍ୟକୁ ଚାଲି ଯାଇଥିବା ପୋଲିସ ଜାଣିବାକୁ ପାଇଛି। ଘଟଣା ସମ୍ପର୍କରେ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କୁ ପଚାରିବାରୁ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ମାର୍ଚ୍ଚ ୧୧ ତାରିଖରେ ଗୋପାଳପୁର ଥାନା ଅଧୀନସ୍ଥ ଆରୁଆପୁଲ୍ଲୀ ଗ୍ରାମର ରାଣୀ ମହାରଣାଙ୍କ ସହିତ ଗୋଳନ୍ଥରା ଥାନା ଅଧୀନ ଜଗନ୍ନାଥପୁର ଓଡିଆର୍‌ପି କଲୋନୀର ଲକ୍ଷ୍ମୀ ମହାରଣାଙ୍କ ମଧ୍ୟରେ ବିବାହ ହୋଇଥିଲା l

ପରେ ସ୍ବାମୀ ସ୍ତ୍ରୀ ରାଣୀଙ୍କୁ ଅଧିକ ଯୌତୁକ ଦାବିକରି ଶାରୀରିକ ଓ ମାନସିକତା ନିର୍ଯାତନା ଦେଇ ଆଶୁଥିଲେ l ଗତ ସୋମବାର ରାଣୀ ଗୁରୁତର ଅଛନ୍ତି ବୋଲି ଲକ୍ଷ୍ମୀ ଶାଳକ ରାଜେଶଙ୍କୁ ଜଣାଇଥିଲେ। ରାଜେଶ ତାଙ୍କ ସମ୍ପର୍କୟଙ୍କ ସହ ଜଗନ୍ନାଥପୁରରେ ପହଞ୍ଚି ଭଉଣୀଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହେଲେ ରାଣୀଙ୍କ ମୁଣ୍ଡ ପଛପଟେ ଓ ଶରୀରର ବିଭିନ୍ନ ସ୍ଥାନରେ ଫୁଲା ଚିହ୍ନ ଦେଖିବାକୁ ମିଳିଥିଲା l ରାଣୀଙ୍କ ବାପାଘର ଲୋକ ସ୍ବାମୀ ଲକ୍ଷ୍ମୀଙ୍କୁ ବ୍ରହ୍ମପୁର ମେଡିକାଲ ଫାଣ୍ଡିରେ ଜିମା ଦେଇଥିଲେ। ଆସି ଭାଇ ରାଜେଶ ଭଉଣୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଯୌତୁକ ଜିନିତ ଏକ ହତ୍ୟା ମାମଲା(ନଂ.୨୯୧/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ସେତିକିବେଳେ କୌଶଳ କ୍ରମେ ବ୍ରହ୍ମପୁର ମେଡିକାଲ ଫାଣ୍ଡିରୁ ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଥିଲେ।