ଛତ୍ରପୁର,୧୦।୩(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ମ୍ୟୁନିସିପେଣ୍ଠ ଗ୍ରାମରେ ୨୦୨୩ ସେପ୍ଟେମ୍ବର ୯ ତାରିଖରେ ପ୍ରସାଦ କୁମାର ପ୍ରଧାନଙ୍କ ଘରେ ନିଆଁ ଲଗାଇ ଘରର ଅସବାପତ୍ର ପୋଡି ଦିଆଯାଇଥିଲା। ଯାହାକୁ ନେଇ ସୋମବାର ଛତ୍ରପୁର ସବ୍ଜଜ ଅଦାଲତରେ ଏହି ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି। ୧୯ ଜଣ ସାକ୍ଷ୍ୟକୁ ବିଚାର କରି ବିଚାରପତି ପୂଜା ଦେ ମ୍ୟୁନିସିପେଣ୍ଠ ଗ୍ରାମର ଅଭିଯୁକ୍ତ ବିଜେନ୍ଦ୍ର ମହାପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲ ଦଣ୍ଡ ସହିତ ୩୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ବିଚାରପତି ତାଙ୍କରି ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ଏପିପି ଉମାକାନ୍ତ ତ୍ରିପାଠୀ ମକଦ୍ଦମା ପରିଚାଳନା କରିଥିଲେ ।
ସୂଚନାନୁସାରେ, ୨୦୨୩ ସେପ୍ଟେମ୍ବର ୯ ତାରିଖ ଛତ୍ରପୁର ଥାନା ଅଧୀନ ମ୍ୟୁନିସିପେଣ୍ଠ ଗ୍ରାମର ପ୍ରସାଦ କୁମାର ପ୍ରଧାନଙ୍କ ଘରେ ତାଙ୍କରି ପିଉସି କୁମାରୀ ବାରିକ ଶୋଇଥିବା ବେଳେ ରାତି ୧୨ଟାରେ ସେହି ଗ୍ରାମର ବିଜେନ୍ଦ୍ର ମହାପାତ୍ର ନାମକ ଜଣେ ବ୍ୟକ୍ତି ପେଟ୍ରୋଲ ଢାଳି ପ୍ରସାଦଙ୍କ ଘରେ ନିଆଁ ଲଗାଇଥିଲା । ଫଳରେ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଥିଲା। କୌଣସି କାରଣ ବଶତଃ ପ୍ରସାଦଙ୍କ ପିଉସି କୁମାରୀ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ଏନେଇ ସେପ୍ଟେମ୍ବର ୧୦ ତାରିଖରେ ପ୍ରସାଦ ଛତ୍ରପୁର ଥାନାରେ ଅଭିଯୁକ୍ତ ବିଜେନ୍ଦ୍ର ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଛତ୍ରପୁର ଥାନା ପକ୍ଷରୁ ୫୯୧/୨୦୨୩ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ପଠାଇଥିଲେ । ଏହି ମାମଲାର କୋର୍ଟରେ ବିଚାରଣା ଚାଲିଥିବା ବେଳେ ଆଜି ତାହାର ରାୟ ପ୍ରକାଶ ପାଇଛି ।