ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୭(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନାବାଳିକା ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଆଡ଼ହକ୍‌ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଶୁକ୍ରବାର ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ହେଲେ ପୋଲସରା ଅଞ୍ଚଳର ଜିତେନ୍ଦ୍ର ନାହାକ ଓରଫ ଜିତୁ (୩୪)। ଜିତୁ ୩୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଜରିମାନା ଅନାଦେୟ ଅତିରିକ୍ତ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବେ ବୋଲି ଜଜ୍‌ଙ୍କ ରାୟରେ ଉଲ୍ଲେଖ ରହିଛି। ଅନ୍ୟପଟେ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଆଇନସେବା ପ୍ରାଧିକରଣ ସଚିବ (ଡିଏଲ୍‌ଏସ୍‌ଏ)ଙ୍କୁ ଜଜ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୯ ଏପ୍ରିଲ ୧୩ ତାରିଖରେ ୧୧ ବଷର୍ର୍ୀୟା ନାବାଳିକା ଜଣଙ୍କ ଗାଁ ନିକଟରେ ଚାଲିଥିବା ମେରୁଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରେ ଜିତୁ ତାଙ୍କୁ ଆଇସ୍‌କ୍ରିମ ଖାଇବାକୁ ଦେଇ କୌଶଳକ୍ରମେ ଅପହରଣ କରି ନେଇଥିଲେ। ନାବାଳିକାଙ୍କୁ ସେ ଏକ ଆମ୍ବ ତୋଟାକୁ ନେଇ ବାରମ୍ବାର ବଳାତ୍କାର କରିଥିଲେ। ସେଠାକୁ ଅନ୍ୟ ଜଣେ ଯୁବକଙ୍କୁ ଡାକି ଭିଡିଓ କରିବାକୁ କହିଥିଲେ। ପୀଡ଼ିତା ଜଣଙ୍କ ସେଠାରୁ ଖସି ଆସିଥିଲେ। ଘଟଣାର ୪ ଦିନ ପରେ ସେ ତାଙ୍କ ବଡ଼ ଭଉଣୀଙ୍କ ସହ ଯାଉଥିବା ବେଳେ ଅଭିଯୁକ୍ତ ଜିତୁ ତାଙ୍କୁ ଅଟକାଇ ଜାତିଆଣ କଟୁ ମନ୍ତବ୍ୟ ଦେଇଥିଲେ। ଘଟଣା ସମ୍ପର୍କରେ କାହାକୁ ନ ଜଣାଇବାକୁ ଧମକ ଦେଇଥିଲେ। ସବୁ କଥା ଜାଣିବା ପରେ ପୀଡ଼ିତାଙ୍କ ମା’ ଏ ନେଇ ପୋଲସରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୮୬/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତ ଜିତୁଙ୍କୁ ୨୦୧୯ ଏପ୍ରିଲ ୨୨ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେଠାରୁ ସେ ବ୍ରହ୍ମପୁର ଜେଲରେ ବିଚାରାଧୀନ ବନ୍ଦି ଭାବେ ରହିଛନ୍ତି। ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ପୁରୁଷୋତ୍ତମପୁର ଏସଡ଼ିପିଓ ନିମାଇଁ ଚରଣ ସେଠୀ ଚାର୍ଜଶିଟ ଦାଖଲ କରିଥିଲେ। ମାମଲାର ବିଚାର ବେଳେ ୧୩ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଶୁକ୍ରବାର ଜିତୁଙ୍କୁ ଜେଲରୁ କଡା ସୁରକ୍ଷାରେ ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା। ସାକ୍ଷୀମାନଙ୍କ ବୟାନ ଓ ପୋଲିସ ଦାଖଲ କରିଥିବା ଚାର୍ଜଶିଟକୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳି ଥିବାରୁ ଜଜ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପିପି ମୋହନ ସିଙ୍ଗାରି ମକଦ୍ଦମା ପରିଚାଳନା କରିଥିଲେ।

Share